ଗୋଟିଏ ଦିନରେ ‘ମୋ ବସ୍‌’ରେ ଗଲେ ଲକ୍ଷେ ଯାତ୍ରୀ

ଭୁବନେଶ୍ବର: ‘ମୋ ବସ୍‌’ରେ ଗୋଟିଏ ଦିନରେ (ଅକ୍ଟୋବର ୧୪ରେ) ୧,୦୧,୮୮୧ ଜଣ ଯାତ୍ରୀ ଯାତ୍ରା କରିଛନ୍ତି। ଦିନକରେ ଏକ ଲକ୍ଷ ଯାତ୍ରୀ ଯାତ୍ରା କରିବା ରାଜଧାନୀବାସୀ ‘ମୋ ବସ୍‌’ରେ ଯାତାୟାତ କରିବାକୁ ପସନ୍ଦ କରୁଥିବା ସୂଚାଉଛି ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।

କ୍ରୁଟ୍ ପକ୍ଷରୁ ‘ମୋ ବସ୍’ ଯୋଜନା ଆରମ୍ଭ ହେବାର ବର୍ଷକ ମଧ୍ୟରେ ଏହି ସଫଳତା ମିଳିଥିବାରୁ ଏହାକୁ କିପରି ଅଧିକ ଲୋକାଭିମୁଖୀ କରିହେବ ସେନେଇ କ୍ରୁଟ୍ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। କ୍ରୁଟ୍‌ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି ଯେ, ଏବେ ଦୈନିକ ହାରାହାରି ୮୦ହଜାର ଲୋକ ‘ମୋ ବସ୍‌’ରେ ଯାତ୍ରା କରୁଛନ୍ତି। ଅଗଷ୍ଟ ମାସ ଶେଷ ସୁଦ୍ଧା ଦୈନିକ ଯାତ୍ରୀ ଯାତାୟାତ ହାର ୭୦ହଜାର ଥିବାବେଳେ ଦେଢ଼ ମାସରେ ଏହା ଏକ ଲକ୍ଷ ଟପିବା ଆମକୁ ଉତ୍ସାହିତ କରିଛି ବୋଲି ସେ କହିଛନ୍ତି। କ୍ରୁଟ୍‌ର ସୂଚନା ଅନୁଯାୟୀ, ସେପ୍ଟେମ୍ବର ପ୍ରଥମ ସପ୍ତାହରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ହଠାତ୍ ‘ମୋ ବସ୍‌’ରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିଥିଲା। ସେପ୍ଟେମ୍ବର ୬ରେ ଯାତ୍ରୀ ଯାତାୟାତ ୯୬ହଜାରରେ ପହଞ୍ଚିଥିବାବେଳେ ସେପ୍ଟେମ୍ବର ୮ରେ ଏହା ୯୪ହଜାର ଛୁଇଁଥିଲା। କ୍ରୁଟ୍ ପକ୍ଷରୁ ଆରମ୍ଭ ହୋଇଥିବା ଫ୍ରିଡମ୍ ମନ୍ଥଲି ପାସ୍ ଏବଂ ନ୍ୟୁଜ୍ ପେପର୍ ଅନ୍‌ ହୁଇଲ୍‌ସ ଭଳି ସେବା ଯୋଗୁଁ ଅଧିକ ଯାତ୍ରୀ ‘ମୋ ବସ୍‌’ରେ ଯାତାୟତ କରିବାକୁ ପସନ୍ଦ କରୁଛନ୍ତି ବୋଲି କୁହାଯାଇଛି।

ଅପରପକ୍ଷେ ଯାତ୍ରୀ ବଢ଼ିବା ସହ ‘ମୋ ବସ୍‌’ର ଆୟ ବି ବଢ଼ିଛି। ମେ ମାସରେ ‘ମୋ ବସ୍‌’ର ଆୟ ୫ଲକ୍ଷ ୩୯ହଜାର ୨୩୩ଟଙ୍କା ହୋଇଥିବା ବେଳେ ଅକ୍ଟୋବର ୧୪ରେ ୧୩ଲକ୍ଷ ୮୧ହଜାର ୩୭୧ଟଙ୍କା ଆୟ ହୋଇଛି। ସେହିପରି ଜୁନ୍‌‌େର ୬,୭୦,୬୨୧ଟଙ୍କା, ଜୁଲାଇରେ ୮,୨୧,୧୨୭ଟଙ୍କା, ଅଗଷ୍ଟରେ ୯,୭୬,୫୯୦ଟଙ୍କା, ସେପ୍ଟେମ୍ବରରେ ୧୧,୬୩,୭୯୨ ଟଙ୍କା ଆୟ ହୋଇଛି।

ସମ୍ବନ୍ଧିତ ଖବର