ବର୍ଷକରେ ମାତ୍ର ୧୦୪ ଆବେଦନ

ସର୍ଜରି, ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଚିତ୍ର ଦୟନୀୟ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟବୀମା କାର୍ଡ ଥିବା ରୋଗୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗର ପେଡ଼ି ଧୀରେ ଧୀରେ ଖୋଲିବାରେ ଲାଗିଛି। ‘ସମ୍ବାଦ’ରେ ଏ ସଂପର୍କିତ ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ କ୍ୟାପିଟାଲ ହସ୍ପିଟାଲକୁ ତଥ୍ୟ ମାଗିଥିଲା। ହସ୍ପିଟାଲ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଦିଆଯାଇଥିବା ତଥ୍ୟରେ ସର୍ଜରି ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଯଥେଷ୍ଟ କମ୍‌ ସଂଖ୍ୟକ ସ୍ୱାସ୍ଥ୍ୟବୀମା କାର୍ଡ ବିନିଯୋଗ ହୋଇଥିବା ଜଣାପଡ଼ିଛି। ଗତ ୧ ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ବା ଆରଏସ୍‌ବିଓ୍ଵାଇରେ ମାତ୍ର ୧୦୧ ରୋଗୀ କ୍ଲେମ୍‌ ବା ଚିକିତ୍ସା ପାଇଛନ୍ତି। ୧୭ଟି ଅସ୍ତ୍ରୋପଚାର କ୍ଷେତ୍ରରେ ଏହି କ୍ଲେମ୍‌ ହୋଇଛି। ଏଥିରେ ଅଧିକ ସଂଖ୍ୟକ କେବଳ ହାର୍ଣ୍ଣିଆ ରୋଗୀ ରହିଥିବା ବେଳେ ଅନ୍ୟ ଅସ୍ତ୍ରୋପଚାର ସଂଖ୍ୟା ଯଥେଷ୍ଟ କମ୍‌ ରହିଛି। ତେବେ ବିଜୁ କୃଷକ କଲ୍ୟାଣ ଯୋଜନା ବା ବିକେକେଓ୍ଵାଇରେ କେତେ ସଂଖ୍ୟକ କ୍ଲେମ୍‌ ହୋଇଛି, ତାହାର ତଥ୍ୟ ଜଣାପଡ଼ିନାହିଁ।

ସୂଚନା ଅନୁଯାୟୀ, ଗତବର୍ଷ ଏପ୍ରିଲ ୧ରୁ ଚଳିତବର୍ଷ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ଆରଏସ୍‌ବିଓ୍ଵାଇରେ ୧୦୧ କ୍ଲେମ୍‌ ହୋଇଛି। ଆପେଣ୍ଡିକ୍ଟୋମିରେ ୫, ଏସି.ଆପେଣ୍ଡିସାଇଟ୍‌ସରେ ୯, ବି/ଏଲ ହାଇଡ୍ରୋସିଲ୍‌ରେ ୪, କୋଲେଲିଥେସିସ୍‌ରେ ୪, କୋଲେସିଷ୍ଟୋମିରେ ୧୦, ଡାଏବେଟିକ୍‌ ଫୁଟ ଅଲସରରେ ୪, ଏପିଗ୍ୟାସଟ୍ରିକ୍‌ ହାର୍ଣ୍ଣିଆ, ଫାଇବ୍ରୋଡେମୋନା ୟୁନିଲାଟେରାଲ, ଗ୍ୟାସଟ୍ରିକ୍‌ ଆଉଟଲଫ୍‌ଟ ଓବିଏସ୍‌ଟି, ଗ୍ୟାନାକ୍‌ରେ ଗୋଟିଏ ଲେଖାଏଁ, ଫିଷ୍ଟୁଲାରେ ୪, ହାଣ୍ଣିଆରେ ୩୬, ବ୍ରେଷ୍ଟ ଲମ୍ପରେ ୮, ମଲଟିପଲ ଅଲସରରେ ୫, ପେନ ଆବଡୋମେନ୍‌ରେ ୪, ଡି.ଡବ୍ଲ୍ୟୁରେ ୩ ଓ ୟୁରିନାରି ବ୍ଲାଡରରେ ଗୋଟିଏ କ୍ଲେମ୍‌ ହୋଇଛି। ସେହିପରି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ମଧ୍ୟ ସ୍ୱାସ୍ଥ୍ୟବୀମାର ଦୟନୀୟ ଚିତ୍ର ଦେଖିବାକୁ ମିଳିଛି। ଡେଲିଭରି, ଡେଲିଭରି ସହ ଏପିସିଓଷ୍ଟ ଏଣ୍ଡ ପ୍ରିପେୟାର, ସିଜରିଆନ ଡେଲିଭରି, ଲୋୟର ସେଗମେଣ୍ଟ ସିଜରିଆନ୍‌ ସେକ୍ସନ୍‌, ସିଜରିଆନ୍‌ ଡେଲିଭରି ସହ ଟ୍ୟୁବକଟୋମି, କନଭେନସନାଲ ଟ୍ୟୁବକଟୋମି, ଇନର୍ସସଅନ୍‌ ଅଫ୍‌ ଜେୟୁଡି ଡିଭାଇସ୍‌ରେ ଗୋଟିଏ ହେଲେ କ୍ଲେମ୍‌ ହୋଇନାହିଁ। କେବଳ ଡିୟୁବିରେ ୩ଟି କ୍ଲେମ୍‌ ହୋଇଛି। ହସ୍ପିଟାଲର ଭେଷଜ ବିଭାଗର ଜେନେରାଲ ଓ୍ଵାର୍ଡରେ ଏହି ବର୍ଷ ୫୦୪ଟି କ୍ଲେମ୍‌ ହୋଇଥିବା ବେଳେ ଜେନେରାଲ ଓ୍ଵାର୍ଡ-ଆଇସିୟୁରେ ୫୩ଟି କ୍ଲେମ୍‌ ହୋଇଛି। ଜନନୀ ସୁରକ୍ଷା କାର୍ଯ୍ୟକ୍ରମ ବା ଜେଏସ୍‌ଏସ୍‌କେ ମଧ୍ୟରେ ଡେଲିଭରି ଆସୁଥିବାରୁ ସ୍ୱାଭାବିକ ଭାବେ କୌଣସି କ୍ଲେମ୍‌ ହେଉନାହିଁ। ଏହାସହ ଟ୍ୟୁବକଟୋମି ମଧ୍ୟ ପରିବାର ନିୟୋଜନ କାର୍ଯ୍ୟକ୍ରମ ଅଧୀନରେ ଆସୁଥିବାରୁ ଏଥିରେ ମାଗଣା ସୁବିଧା ମିଳୁଛି। ତେବେ କ୍ୟାପିଟାଲ ହସ୍ପିଟାଲରେ ପୂର୍ବରୁ ହିଷ୍ଟୋଟୋମି ଓ ଟ୍ରୋଲାସ ଭଳି ଅସ୍ତ୍ରୋପଚାର ଅଧିକ ସଂଖ୍ୟାରେ ହେଉଥିବା ବେଳେ ଗତ କିଛି ମାସ ହେବ ଆନେସ୍ଥେସିଆର ଅଭାବ ଦର୍ଶାଇ ଏହାକୁ ବନ୍ଦ କରି ଦିଆଯାଇଛି। ତଥାପି ଲୁଚାଛପା କିଛି ନିଜର ପରିଚିତ ଲୋକଙ୍କୁ ଏହି ସୁବିଧା ଦିଆଯାଉଥିବା ଅଭିଯୋଗ ହେଉଛି। ତେବେ ଏସବୁ ଅସ୍ତ୍ରୋପଚାରରେ କେତେ ଲୋକଙ୍କୁ ଚିକିତ୍ସା ହେଉଛି ତାହାର କୌଣସି ତଥ୍ୟ ନାହିଁ। କ୍ୟାପିଟାଲ ହସ୍ପିଟାଲର ସର୍ଜରି ବିଭାଗରେ ୫ଜଣ ବିଶେଷଜ୍ଞ ଡାକ୍ତର ରହିଛନ୍ତି। ପ୍ରତି ମାସରେ ଅତି କମ୍‌ରେ ସର୍ଜରି ବିଭାଗରେ ୧୦୦ଟି ଅସ୍ତ୍ରୋପଚାର ହେଉଛି। କ୍ୟାପିଟାଲ ହସ୍ପିଟାଲ ଏକ ରେଫେରାଲ ହସ୍ପିଟାଲ ହୋଇଥିବାରୁ ରାଜଧାନୀ ସମେତ ନିକଟବର୍ତୀ ଜିଲ୍ଲାଗୁଡ଼ିକରୁ ଶହ ଶହ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି। ଯେତିକି ସଂଖ୍ୟକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ହେଉଛି ସ୍ୱାସ୍ଥ୍ୟବୀମା କାର୍ଡଧାରୀ। ମାତ୍ର କ୍ୟାପିଟାଲ ହସ୍ପିଟାଲର କେତେକ ଡାକ୍ତର ସ୍ୱାସ୍ଥ୍ୟବୀମା କାର୍ଡଧାରୀ ରୋଗୀଙ୍କୁ ଶୋଷଣ କରୁଛନ୍ତି। ଫଳରେ ରୋଗୀଙ୍କୁ ବୀମାକାର୍ଡ ଜରିଆରେ ମିଳିବାକୁ ଥିବା ସୁବିଧା ମିଳି ପାରୁ ନାହିଁ। ବୀମା କାର୍ଡ ବ୍ୟବହାର ନ ହେବା ଯୋଗୁଁ ବୀମା କମ୍ପାନି ଲାଭବାନ ହେବା ସହ କ୍ୟାପିଟାଲ ହସ୍ପିଟାଲର ରୋଗୀ କଲ୍ୟାଣ ସମିତି ବା ଆରକେଏସ୍‌କୁ ଟଙ୍କା ମଧ୍ୟ ଆସି ପାରୁନାହିଁ। ବର୍ଷ ବର୍ଷ ଧରି ହସ୍ପିଟାଲରେ ଏଭଳି ଲୁଟ୍‌ ଚାଲିଥିଲେ ହେଁ ହସ୍ପିଟାଲ କର୍ତୃପକ୍ଷ ଡାକ୍ତରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ।

କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟବୀମା କାର୍ଡ ରୋଗୀଙ୍କୁ ଶୋଷଣ ଘଟଣା

‘ପିକୁ’ରେ ରହୁଛନ୍ତି ହସ୍ପିଟାଲ କର୍ମଚାରୀ!
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବିଭାଗରେ ଖୋଲିଥିବା ଶିଶୁ ଆଇସିୟୁ ବା ‘ପିକୁ’ ନାଁକୁ ମାତ୍ର ଚାଲିଛି। ସେଠାରେ କୌଣସି ଶିଶୁଙ୍କୁ ରଖାଯାଉ ନାହିଁ। କେବଳ ସମସ୍ତଙ୍କ ନଜର ହଟାଇବା ଲାଗି ଶିଶୁ ଓ୍ଵାର୍ଡରୁ ପ୍ରତିଦିନ ସକାଳେ କିଛି ଶିଶୁଙ୍କୁ ସେଠାକୁ ନିଆଯାଉଛି ଓ କିଛି ଘଣ୍ଟା ପରେ ଫେରାଇ ଅଣାଯାଉଛି। ଗୁରୁତର ଅବସ୍ଥାରେ ରହିଥିବା ଶିଶୁଙ୍କୁ ପୂର୍ବଭଳି ଏସ୍‌ସିବିକୁ ରେଫର କରାଯାଉଛି। ଏହିଭଳି ଖେଳ ଉଦ୍‌ଘାଟନ ପରଠାରୁ ଚାଲିଛି। ଅପରପକ୍ଷରେ ଶିଶୁ ନ ରହିବା ଯୋଗୁଁ ସେଠାରେ ହସ୍ପିଟାଲର କିଛି କର୍ମଚାରୀ ନିଜର ବାସସ୍ଥାନ କରି ନେଇଛନ୍ତି। ଏସି ଲାଗି ଥିବାରୁ ରାତିରେ ଆରାମରେ ଶୋଉଛନ୍ତି। କର୍ତୃପକ୍ଷ ଏହାକୁ ଆଖି ବୁଜି ଦେଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ‘ପିକୁ’ ଉଦ୍‌ଘାଟନ ପୂର୍ବରୁ ଚର୍ଚାରେ ରହିଥିଲା। ରାଜ୍ୟର ମେଡିକାଲ କଲେଜକୁ ବାଦ୍‌ ଦେଲେ ଜିଲ୍ଲାସ୍ତରୀୟ ହସ୍ପିଟାଲରେ ଏଭଳି ସୁବିଧା ନ ଥିଲା। ଏ ଦୃଷ୍ଟିରୁ କ୍ୟାପିଟାଲ ହସ୍ପିଟାଲର ଶିଶୁ ବିଭାଗରେ ଏହାକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ବିଭିନ୍ନ କାରଣରୁ ଏହାର ନିର୍ମାଣ ଘୁଞ୍ଚି ଘୁଞ୍ଚି ଚାଲିଥିଲା। ଶେଷରେ ଗତବର୍ଷ ଡିସେମ୍ବର ମାସରେ ଏହାର ଉଦ୍‌ଘାଟନ ହୋଇଥିଲା। ‘ପିକୁ’ରେ ୧ମାସରୁ ୧୪ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଚିକିତ୍ସା ହେବାର ବ୍ୟବସ୍ଥା ରହିଛି। କ୍ୟାପିଟାଲ ହସ୍ପିଟାଲରେ ଏଥିପାଇଁ ୪ଟି ଶଯ୍ୟା ରହିଛି। ଏଥିପାଇଁ ୬ଜଣ ଲେଖାଏଁ ନର୍ସ ଓ ଆଟେଣ୍ଡାଣ୍ଟ ସମେତ ଜଣେ ଡାକ୍ତର ନିଯୁକ୍ତ ହୋଇଛନ୍ତି। ଏହାର ନିର୍ମାଣରେ ଲକ୍ଷାଧିକ ଟଙ୍କା ଖର୍ଚ ହୋଇଥିଲେ ହେଁ ଏହା ରୋଗୀଙ୍କ ପ୍ରକୃତ ସେବାରେ ଲାଗି ପାରୁନାହିଁ।

ସୂଚନା ଅନୁଯାୟୀ, ‘ପିକୁ’ରେ କାର୍ଯ୍ୟରତ କର୍ମଚାରୀ ଏ ପର୍ଯ୍ୟନ୍ତ ଭେଣ୍ଟିଲେଟର ଲଗାଇ ପାରୁ ନ ଥିବା ଅଭିଯୋଗ ହେଉଛି। ତେଣୁ ଶିଶୁ ବିଭାଗକୁ ଜରୁରୀ ପରିସ୍ଥିତିରେ ଆସୁଥିବା ଶିଶୁଙ୍କୁ ‘ପିକୁ’କୁ ସ୍ଥାନାନ୍ତର କରିବା ପାଇଁ କେହି ଉଚିତ ମଣୁ ନାହାନ୍ତି। ତେଣୁ ସେମାନଙ୍କୁ ବାଧ୍ୟହୋଇ ଏସ୍‌ସିବିକୁ ରେଫର କରି ଦିଆଯାଉଛି। ଉଦ୍‌ଘାଟନ ଦିନଠାରୁ ଏଠାରେ କୌଣସି ଶିଶୁଙ୍କୁ ଆଡମିସନ୍‌ କରାଯାଇ ନ ଥିବା ଜଣାପଡ଼ିଛି। ଆଜି ପର୍ଯ୍ୟନ୍ତ ମଧ୍ୟ ଏହାର ଫମୋକେସନ୍‌ ହୋଇନାହିଁ। କୌଣସି ଶିଶୁ ଏଠାରେ ଆଡମିଟ୍‌ ହେଉ ନ ଥିବାରୁ ବାହାରୁ କିଛି କର୍ମଚାରୀ ଯାଇ ‘ପିକୁ’ରେ ରହୁଥିବା ନଜରକୁ ଆସିଛି। କର୍ମଚାରୀଙ୍କୁ ପିଛା ସରକାର ମାସକୁ ଲକ୍ଷାଧିକ ଟଙ୍କା ଖର୍ଚ ହେଉଥିଲେ ହେଁ, ତାହା ବ୍ୟର୍ଥ ହେଉଛି। ମାସ ମାସ ଧରି ଏଭଳି ଅବ୍ୟବସ୍ଥା ଜାରି ରହିଥିଲେ ହେଁ ହସ୍ପିଟାଲ କର୍ତୃପକ୍ଷ ଏଥିପାଇଁ ଧ୍ୟାନ ଦେଉନାହାନ୍ତି। ଯାହାକୁ ନେଇ ‘ପିକୁ’ରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ଏ ସଂପର୍କରେ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିପାରି ନାହିଁ।

ସମ୍ବନ୍ଧିତ ଖବର