ପିଆଜ @ ୨୦ ବେଲଗାମ୍‌ ଖୁଚୁରା ବଜାର

ଖଣ୍ଡଗିରି: ଗତ ଦୁଇ ଦିିନ ହେଲା ହଠାତ୍‌ ପିଆଜ ଦର ବୃଦ୍ଧି ଖାଉଟିଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଉଭୟ ଆମଦାନୀ ଓ ପାଇକାରୀ ଦର ସ୍ଥିର ଥିବାବେଳେ ଖୁଚୁରା ବଜାରରେ ପିଆଜ କିିଲୋ ୨୦ ଟଙ୍କାକୁ ଛୁଇଁଛି। ରାଜ୍ୟ ଯୋଗାଣ ବିଭାଗର ନିଷ୍କ୍ରିୟତା କାରଣରୁ ବେଲଗାମ୍‌ ହୋଇ ପଡ଼ିଛିି ଖୁଚୁରା ବଜାର। ଖୁଚୁରା ବେପାରୀମାନେ ମନମୁଖୀଭାବେ ବର୍ଦ୍ଧିତ ଦରରେ ବିକୁଛନ୍ତି। କିଲୋ ପିଛା ୭ ଟଙ୍କାରୁ ୮ ଟଙ୍କା ପର୍ଯ୍ୟନ୍ତ ଲାଭ କରି ସେମାନେ ବେପାର କରୁଛନ୍ତି। କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ଏବେ ପାଇକାରୀ ଦର ୧୨ଟଙ୍କାରୁ ଆରମ୍ଭ କରି ୧୩ ଟଙ୍କା ପର୍ଯ୍ୟନ୍ତ ରହିଛି। ଭୁବନେଶ୍ୱରକୁ ଦୈନିକ ୨୦୦ ଟନ୍‌ ପିଆଜର ଆବଶ୍ୟକତା ଥିବାବେଳେ ନାସିକ୍‌ ଓ ଅନ୍ୟାନ୍ୟ ଅଞ୍ଚଳରୁ ଦୈନିକ ପ୍ରାୟ ୩୦୦ ଟନ୍‌ ପିଆଜ ଭୁବନେଶ୍ୱରକୁ ଆସୁଛିି। ତେଣୁ ଆମଦାନୀରେ କୌଣସି ସମସ୍ୟା ନାହିଁ ଓ ପିଆଜ ଦର ବୃଦ୍ଧିର କାରଣ ମଧ୍ୟ ନାହିଁ। ପାଇକାରୀ ଦର ୧୩ ଟଙ୍କା ଥିବାରୁ ଖୁଚୁରା ବଜାରରେ କିଲୋ ପିଛା ୧୬/୧୭ ଟଙ୍କାରେ ପିଆଜ ବିକ୍ରି ହେବା କଥା। ମାତ୍ର ଖୁଚୁରା ବଜାରରେ କିଲୋ ପିଛା ୨୦ ଟଙ୍କାରେ ବିକ୍ରି କରାଯାଉଛି। ଆଜି କ୍ୟାପିଟାଲ ହାଟରେ କିଲୋ ପିଛା ୨୦ ଟଙ୍କାରେ ପିଆଜ ବିକ୍ରି କରାଯାଇଛି। ସେହିଭଳି ରାଜଧାନୀର ସମସ୍ତ ହାଟ ବଜାରରେ ମଧ୍ୟ ଅନୁରୂପ ଅବସ୍ଥା। କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ କହିବା କଥା ପାଇକାରୀ ବଜାରରେ କିଛି ସମସ୍ୟା ନାହିଁ। ପାଇକାରୀ ଦର ଠିକ୍‌ ରହିଛି। ଜିଲ୍ଲା ଯୋଗାଣ ବିଭାଗ ଏହା ଉପରେ ନଜର ରଖିବା ଜରୁରୀ। ବିଭାଗୀୟ ଅଧିକାରୀମାନେ ଠିକଣା ସମୟରେ ବଜାର ଦରକୁ ନେଇ ସମୀକ୍ଷା କଲେ, ଏଭଳି ଖାଉଟି ଶୋଷଣ ସ୍ଥିତି ସୃଷ୍ଟି ହୁଅନ୍ତା ନାହିଁ ବୋଲି ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି। ଏ ନେଇ ଖୋର୍ଧା ଜିଲ୍ଲା ଯୋଗାଣ ଅଧିକାରୀଙ୍କ କହିବା କଥା ଏଭଳି ଅଭିଯୋଗ କୌଣସି ସୂତ୍ରରୁ ମିଳିନାହିଁ। ତେଣୁ ଖୁବ୍‌ ଶୀଘ୍ର ଏ ବାବଦରେ ଯାଞ୍ଚ କରିବାକୁ ମାର୍କେଟିଂ ଇଣ୍ଟେଲିଜେନ୍‌ସିର ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦେଶ ଦେବେ ଓ ସେମାନଙ୍କ ରିପୋର୍ଟ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଗତ ଜାନୁଆରି ଓ ଫେବ୍ରୁଆରି ମାସରେ ପିଆଜ ଦର ୪୦ ଟଙ୍କା ଥିଲା। କିନ୍ତୁ ମାର୍ଚ୍ଚ ମାସରେ ଅମଳ ଋତୁ ପାଇଁ ହଠାତ୍‌ ୨୫ ଟଙ୍କା ହ୍ରାସ ପାଇଲା। ପରିସ୍ଥିତି ଏମିିତିି ହୋଇଥିଲା ଯେ ଚାଷୀମାନେ କିଲୋ ପିଛା ୫ ଟଙ୍କା ବି ପାଇନଥିଲେ। ଏବେ ଏହି ଦର ବୃଦ୍ଧିରୁ ଚାଷୀମାନେ ବିଶେଷ ଲାଭବାନ୍‌ ହେବାର ନାହିଁ। କିନ୍ତୁ ଖୁଚୁରା ବେପାରୀମାନେ ମାଲେମାଲ୍‌ ହେଉଛନ୍ତି।

ସମ୍ବନ୍ଧିତ ଖବର