କେବଳ କମିସନରେଟ୍ ପୁଲିସ ବିଲ୍‌ଡିଂରେ ବନ୍ଦ ରହିଲା ଲାଇଟ୍‌

ଭୁବନେଶ୍ବର: ଶକ୍ତି ସଞ୍ଚୟ ସହ ପରିବେଶ ସଚେତନତା ଉଦ୍ଦେଶ୍ୟରେ ବିଶ୍ବବ୍ୟାପୀ ଆଜି ପାଳିତ ହୋଇଛି ଆର୍ଥ ଆୱାର। ବିଭିନ୍ନ ଦେଶ ନିଜ ନିଜ ସମୟ ରାତି ସାଢ଼େ ୮ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ଘଣ୍ଟାଟିଏ ଅଦରକାରୀ ଲାଇଟ୍‌ ବନ୍ଦ ରଖି ପୃଥିବୀ ପାଇଁ ପାଳନ କରିଛନ୍ତି। ୱାର୍ଲଡ ୱାଇଡ୍ ଫଣ୍ଡ ଫର ନେଚର ବା ଡବ୍ଲୁଡବ୍ଲୁଏଫ୍ ପକ୍ଷରୁ ମାର୍ଚ ମାସର ଶେଷ ଶନିବାରକୁ ଆର୍ଥ ଆୱାର ଭାବେ ପାଳନ କରାଯାଇ ଆସୁଛି। ୨୦୦୭ ମସିହାରୁ ଅଷ୍ଟ୍ରେଲିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ୧୮୭ଟି ଦେଶରେ ପହଞ୍ଚିଛି। ଚଳିତବର୍ଷ ଆର୍ଥ ଆୱାର ବିଷୟବସ୍ତୁ ରହିଛି ‘କନେକ୍ଟ ଟୁ ଆର୍ଥ’। ଏହାସହ ଡବ୍ଲୁଡବ୍ଲୁଏଫ୍‌ ୱେବସାଇଟ୍‌ରେ ଏହା ‘ବିଫରଦିପ୍ଲାନେଟ୍‌’ ଅଭିଯାନ ଚଳାଇଛି। ଭାରତରେ ମଧ୍ୟ ଏହି ଅଭିଯାନ କିଛି ବର୍ଷ ହେବ ପାଳିତ ହୋଇଆସୁଛି। ଚଳିତବର୍ଷ ଏହି ଅଭିଯାନରେ ରାଜ୍ୟର କମିସନରେଟ୍ ପୁଲିସ୍ ବିଲ୍ଡିଂ ସାମିଲ ହୋଇଛି। ସଂଧ୍ୟା ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ବିଲ୍ଡିଂର ଭିତର ଓ ବାହାର ଲାଇଟ୍ ବନ୍ଦ ରହିଥିବା ଜଣାପଡ଼ିଛି। ତେବେ ରାଜଧାନୀର ଅନ୍ୟାନ୍ୟ ସରକାରୀ କିମ୍ବା ବେସରକାରୀ ବିଲ୍ଡିଂ ଏହି ଅଭିଯାନରେ ସାମିଲ ହୋଇନାହାନ୍ତି। ଫଳରେ ରାଜଧାନୀରେ ଆର୍ଥ ଆୱାର ଫିକା ପଡ଼ିଛି। ପ୍ରତିବର୍ଷ ଏନେଇ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ସଚେତନତା କରାଯାଉଥିଲେ ହେଁ ରାଜଧାନୀବାସୀଙ୍କ କ୍ଷେତ୍ରରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ। ରାଜଧାନୀର ବଡ଼ ବଡ଼ ବିଲ୍ଡିଂରେ ଆଜି ପୂର୍ବ ଦିନମାନଙ୍କ ଭଳି ଲାଇଟ୍ ଜଳୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର