ବନ୍ଦ ରହିବ ଓପିଡି, କ୍ୟାପିଟାଲ ହସ୍‌ପିଟାଲରେ ଛଟପଟ ହେବେ ରୋଗୀ!

ବିକଳ୍ପ ବ୍ୟବସ୍ଥା ପାଇଁ ପ୍ରସ୍ତୁତ: ସରକାର

ଭୁବନେଶ୍ୱର : ପଶ୍ଚିମବଙ୍ଗରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ଘଟଣାରେ ଆସନ୍ତାକାଲି(ସୋମବାର) ସକାଳୁ ରାଜ୍ୟର ସମସ୍ତ ଓପିଡି ବନ୍ଦ ରହିବ। କେବଳ ଜରୁରୀ ଅପରେସନ୍‌ ଓ ଜରୁରୀ ସେବାକୁ ଛାଡ଼ି ଦେଲେ ଅନ୍ୟ କୌଣସି ଚିକିତ୍ସା ସେବା ଯୋଗାଇ ଦିଆଯିବ ନାହିଁ। ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ ଏଭଳି କଠୋର ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଫଳରେ କ୍ୟାପିଟାଲ ହସ୍‌ପିଟାଲ ସମେତ ରାଜଧାନୀର ପ୍ରାୟ ସମସ୍ତ ହସ୍ପିଟାଲରେ ଶହ ଶହ ରୋଗୀ ଚିକିତ୍ସା ଅଭାବରୁ ଛଟପଟ ହେବାର ଆଶଙ୍କା ସୃଷ୍ଟି ହୋଇଛି। କେବଳ ଭୁବନେଶ୍ବର ନୁହେଁ, ଆଖପାଖ ଅଞ୍ଚଳରୁ କ୍ୟାପିଟାଲ ହସ୍‌ପିଟାଲକୁ ଦୈନିକ ୭ଶହରୁ ଊର୍ଦ୍ଧ୍ବ ରୋଗୀ ଆସୁଥିବା ବେଳେ ଏହି ନିଷ୍ପତ୍ତିକୁ ନେଇ ଲୋକେ ପ୍ରମାଦ ଗଣିଛନ୍ତି। ଅପରପକ୍ଷରେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଜରୁରୀ ରୋଗୀ ସେବା ଯେଭଳି ବ୍ୟାଘାତ ନ ହେବ, ସେଥିପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗ ସୂଚନା ମୁତାବକ, ସରକାରୀ ଡାକ୍ତରଖାନାରେ ଆବଶ୍ୟକ ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମେଡିକାଲ କଲେଜ୍‌ର ଅଧ୍ୟାପକ ଓ ଡାକ୍ତରମାନଙ୍କର ଛୁଟି ବାତିଲ କରାଯାଇଛି। କୌଣସି ପରିସ୍ଥିତିରେ ଯେଭଳି ଗୁରୁତର ରୋଗୀଙ୍କର ଚିକିତ୍ସାରେ ଅବହେଳା ନ ହୁଏ, ସେଥିପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଡାକ୍ତରମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଗୋଟିଏ ପଟେ ଡାକ୍ତର କାର୍ଯ୍ୟରୁ ନିବୃତ୍ତ ରହୁଥିବା ବେଳେ କାଲି ସକାଳେ ୭ଶହରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସା ନ ପାଇ କ୍ୟାପିଟାଲ ହସ୍ପିଟାଲ ପରିସରରେ ଜମା ହୋଇ ରହିବେ। ଫଳରେ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

ସମ୍ବନ୍ଧିତ ଖବର