ଘର ଆଗରେ ମୁକୁଳା ଡ୍ରେନ୍‌

ଚନ୍ଦ୍ରଶେଖରପୁର: ଘରୁ ବାହାରିଲେ ବିପଦ। ଟିକିଏ ଅସାବଧାନ ହେଲେ ଜୀବନ ଚାଲିଯିବାର ଆଶଙ୍କା ରହିଛି। ନୀଳାଦ୍ରିବିହାର ସେକ୍ଟର-୫ ମଧ୍ୟ ଦେଇ ଯାଇଥିବା ମୁଖ୍ୟଡ୍ରେନ୍‌ ସମ୍ପୂର୍ଣ୍ଣ ମୁକୁଳା ପଡ଼ିଥିବାରୁ ଅଞ୍ଚଳବାସୀଙ୍କୁ ଏମିତି ଭୟ ଘାରୁଛି। ମାଷ୍ଟରପ୍ଲାନ୍‌ ରୋଡ୍‌ ପାଖ ବସ୍ତିରୁ ବାହାରିଥିବା ଏହି ମୁଖ୍ୟ ଡ୍ରେନ୍‌ଟି ସମ୍ପୂର୍ଣ୍ଣ ଭାବରେ ସେକ୍ଟର-୫ ଅଞ୍ଚଳ ମଧ୍ୟ ଦେଇ ଯାଇଛି। ଏହି ଡ୍ରେନ୍‌ ଦେଇ ଉକ୍ତ ବସ୍ତି ଓ ସେକ୍ଟର-୫ ଅଞ୍ଚଳର ବର୍ଜ୍ୟବସ୍ତୁ ଯାଇଥାଏ। ମାତ୍ର ଏହି ଡ୍ରେନ୍‌ଟି ସମ୍ପୂର୍ଣ୍ଣ ମୁକୁଳା ପଡ଼ିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ସବୁବେଳେ ବିପଦ ସୃଷ୍ଟି କରୁଛି। ଟିକିଏ ଅସାବଧାନ ହେଲେ ପ୍ରାଣ ଚାଲିଯିବାର ଆଶଙ୍କା ରହିଛି। ଅପରପକ୍ଷେ ଘୋଡ଼ଣି ନଥିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡ଼ିବା ସହ ମଶାମାଛିଙ୍କ ବଂଶବୃଦ୍ଧି ପାଇଁ ଏହି ଡ୍ରେନ୍‌ ଅନୁକୂଳ ପରିବେଶ ସୃଷ୍ଟି କରୁଛି। ଏହି ଅଞ୍ଚଳରେ ପ୍ରାୟ ୫୨୦ରୁ ଉର୍ଧ୍ୱ ପରିବାର ବସବାସ କରୁଛନ୍ତି। କିନ୍ତୁ ଏପରି ଅସ୍ୱାସ୍ଥ୍ୟକର ପରିବେଶ କାରଣରୁ ଅଞ୍ଚଳବାସୀଙ୍କୁ ମ୍ୟାଲେରିଆ, ଫାଇଲେରିଆ, ବାତଜ୍ୱର ଭଳି ମାରତ୍ମକ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାବ୍ୟତୀତ ଅନେକ ଥର ଏହି ମୁକୁଳା ଡ୍ରେନ୍‌ରେ ଜନସାଧାରଣ, ଗାଈଗୋରୁ ପଡ଼ି ଖଣ୍ଡିଆଖାବର ହେବାର ବହୁ ନଜିର ରହିଛି।

ନିର୍ମାଣ ପରଠାରୁ ଥରୁଟିଏ ବି ଡ୍ରେନ୍‌ଟିର ମରାମତି ହୋଇନାହିଁ। ଫଳରେ ଅଧିକାଂଶ ସ୍ଥାନରେ ଡ୍ରେନ୍‌ଟି ଭାଙ୍ଗି ଯାଇଛି। ଯଥାଶୀଘ୍ର ମରାମତି କାର୍ଯ୍ୟ କରାନଗଲେ, ଡ୍ରେନ୍‌ଟି ଭୁଶୁଡ଼ି ପଡ଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଜନପ୍ରତିନିଧି ତଥା କର୍ପୋରେଟରଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିପାରିନାହିଁ। ଖାଲି ଏହି ସମସ୍ୟା ନୁହେଁ, ଯେ କୌଣସି ସମସ୍ୟା ସଂପର୍କରେ ସୂଚନା ଦେବାକୁ କର୍ପୋରେଟର୍‌ଙ୍କୁ ଯୋଗାଯୋଗ କଲେ ସେ ଫୋନ୍‌ ଉଠାଉନଥିବା ଅଭିଯୋଗ ହୋଇଛି।

ଦୁର୍ଗନ୍ଧରେ ରହି ହେଉନାହିଁ

ଏ ଅଞ୍ଚଳରେ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ବସବାସ କରୁଛନ୍ତି। ଘର ଆଗରେ ମୁକୁଳା ଡ୍ରେନ୍‌ ରହିଥିବାରୁ ସବୁବେଳେ ସେମାନଙ୍କ ପାଇଁ ବିପଦ ଲାଗି ରହିଛି। ଲୋକମାନେ ନିଜ ଖର୍ଚ୍ଚରେ ଘର ଆଗରେ ଥିବା ଖୋଲା ଡ୍ରେନ୍‌କୁ ସ୍ଲାବ୍‌ ପକାଇ ଘୋଡ଼ାଇଛନ୍ତି। ଡ୍ରେନ୍‌ ଖୋଲା ପଡ଼ିଥିବାରୁ ଏହି ଅଞ୍ଚଳରେ ଦୁର୍ଗନ୍ଧରେ ରହି ହେଉନାହିଁ। ଏହି ସମସ୍ୟାର ସମାଧାନ ନିମନ୍ତେ ବାରମ୍ବାର ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି ଫଳ ମିଳିନାହିଁ।
ଡ. ଶୁକଦେବ ଭୂୟାଁ, ସଭାପତି, ନୀଳାଦ୍ରିବିହାର ସେକ୍ଟର-୫ ରେସିଡେଣ୍ଟ୍‌ େଓ୍ଵଲ୍‌ଫେୟାର୍‌ ଆସୋସିଏସନ୍‌

ମକୁଳା ଡ୍ରେନ୍‌ ଦୁର୍ଘଟଣାର କାରଣ

ଡ୍ରେନ୍‌ର ମରାମତି ତଥା ରକ୍ଷଣାବେକ୍ଷଣ ହେଉନଥିବାରୁ ଅଧିକାଂଶ ସ୍ଥାନରେ ଏହା ଭାଙ୍ଗିରୁଜି ଗଲାଣି। ଯଥାଶୀଘ୍ର ଏହାର ମରାମତି କାମ ନହେଲେ ଭୁଶୁଡ଼ି ପଡ଼ିବ। ପୂରା ସେକ୍ଟର-୫କୁ ଏହି ଡ୍ରେନ୍‌ ବ୍ୟାପି ରହିଥିବାରୁ ଏହାକୁ ଘୋଡ଼ାଗଲେ ସ୍ଥାନୀୟ ବାସିନ୍ଦା ଦୁର୍ଗନ୍ଧ ଓ ବିଭିନ୍ନ ରୋଗରୁ ରକ୍ଷା ପାଇପାରନ୍ତେ। ମୁକୁଳା ଡ୍ରେନ୍‌ କାରଣରୁ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି। ପ୍ରଶାସନ ପକ୍ଷରୁ ଏହାର ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ।
ହରିହର ମହାପାତ୍ର, ସମ୍ପାଦକ, ନୀଳାଦ୍ରିବିହାର ସେକ୍ଟର-୫ ରେସିଡ଼େଣ୍ଟ୍‌ େଓ୍ଵଲ୍‌ଫେୟାର୍‌ ଆସୋସିଏସନ୍‌

ସମ୍ବନ୍ଧିତ ଖବର