ଖୋଲିବ ହନି ପାର୍ଲର୍‌

ମହୁ ଚାଷ ପାଇଁ ଖଦି ବୋର୍ଡର ବ୍ୟାପକ ଯୋଜନା

ଭୁବନେଶ୍ୱର: ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଖୋଲିବ ହନି ପାର୍ଲର। ଲୋକମାନଙ୍କୁ ସହଜ ଓ ସୁବିଧାରେ ବିଶୁଦ୍ଧ ମହୁ ଉପଲବ୍ଧ କରାଇବା ତଥା ମହୁ ଚାଷୀଙ୍କୁ ଉପଯୁକ୍ତ ବଜାର ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ଏଭଳି ଯୋଜନା କରାଯାଉଛି। ଆଜି ‘ବିଶ୍ୱ ମହୁମାଛି ଦିବସ’ ଅବସରରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି ସୂଚନା ଦେଇଛନ୍ତି ବୋର୍ଡର ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା। ମହୁ ଚାଷୀମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ତଥା ବନ୍ଧୁ ପରିଜନଙ୍କ ଘରକୁ ଗଲା ବେଳେ ମିଠା ବଦଳରେ ମହୁ ବାକ୍ସ ଉପହାର ସ୍ୱରୂପ ନେଲେ ରାଜ୍ୟରେ ମହୁ ଚାଷର ବ୍ୟାପକତା ବଢ଼ିପାରନ୍ତା ବୋଲି ସେ କହିଥିଲେ। ଓଡ଼ିଶାରେ ମହୁଚାଷକୁ ସୁହାଇଲା ଭଳି ଜଳବାୟୁ ରହିଛି। ଗଜପତି, ମୟୂରଭଞ୍ଜ, କେଉଁଝର, ରାୟଗଡ଼ା ଓ ନୂଆପଡ଼ା ଆଜି ଜିଲ୍ଲାରେ ବ୍ୟାପକ ମହୁଚାଷ ମଧ୍ୟ ହେଉଛି। ଏହାକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଯୋଜନା ରହିଛି। ଏଥିପାଇଁ ବିଭିନ୍ନ ଜିଲ୍ଲାରେ ୨୦ ଜଣିଆ ଗ୍ରୁପ୍‌ କରି ୭ ଦିନିଆ ମାଗଣା ତାଲିମ୍‌ ଦିଆଯିବା ସହ ପ୍ରତ୍ୟେକ ଚାଷୀଙ୍କୁ ୫ଟି ମହୁବାକ୍ସ, ଗୋଟିଏ ଧୂଆଁଯନ୍ତ୍ର ଓ ଗୋଟିଏ ମହୁ ନିଷ୍କାସନ ଯନ୍ତ୍ର ୫୦ପ୍ରତିଶତ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଛି। ସରକାରଙ୍କ ଏହି ଯୋଜନା ଅନୁସାରେ ଗତ ୨ ବର୍ଷ ମଧ୍ୟରେ ୯ଟି ଜିଲ୍ଲାର ୧୨ ଶହ ହିତାଧିକାରୀଙ୍କୁ ତାଲିମ ଯୋଗାଇ ଦିଆଯାଇଛି। ପୁଣି ଗତ ୩ ବର୍ଷ ମଧ୍ୟରେ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ସିଧାସଳଖ ଚାଷୀମାନଙ୍କଠାରୁ ୧୯ ହଜାର ୩୨୪ କେଜି କଞ୍ଚା ମହୁ ସଂଗ୍ରହ କରି ୧୭ ହଜାର ୧୮୦ କେଜି ବିଶୋଧିତ ମହୁ ପ୍ରାୟ ୪୦ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି କରିଛନ୍ତି।

ଚଳିତ ବର୍ଷ ମହୁଚାଷ ପାଇଁ ଅନୁକୂଳ ବାତାବରଣ ଥିବା ଜିଲ୍ଲାରେ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଓ ଉଦ୍ୟାନ ବିଭାଗ ମିଳିତ ସହଯୋଗରେ ପ୍ରତ୍ୟେକ ବ୍ଲକରେ ୧୦୦ଜଣ ମହୁ ଚାଷୀ ସୃଷ୍ଟି କରିବାର ଖସଡ଼ା ପ୍ରସ୍ତୁତ ହୋଇଛି। ଏଥିସହ ଆଉ ୩ମାସ ମଧ୍ୟରେ ଭୁବନେଶ୍ୱରର ଗଣ୍ଡମୁଣ୍ଡାସ୍ଥିତ ଉଦ୍ୟୋଗପୁରୀ କ୍ୟାମ୍ପସ୍‌ରେ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ନିଜସ୍ୱ ଅତ୍ୟାଧୁନିକ ‘ମହୁ ବିଶୋଧନାଗାର’ କାର୍ଯ୍ୟକ୍ଷମ କରିବ। ଏନେଇ ଗୃହ ବି ନିର୍ମାଣ ସରିଛି। ଏଥିପାଇଁ ୪୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଏଥିସହ ମହୁ ଚାଷ ଯୋଜନାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ବୋର୍ଡ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା ଓ ଓୟୁଏଟିର ଅବସରପ୍ରାପ୍ତ ପ୍ରଧ୍ୟାପକ ଚିତ୍ତରଞ୍ଜନ ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଶତପଥୀ ଶେଷରେ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର ୧୦ ଜଣ ମହୁ ଚାଷୀଙ୍କୁ ୫ଟି ମହୁବାକ୍ସ, ଗୋଟିଏ ଧୂଆଁଯନ୍ତ୍ର ଓ ଗୋଟିଏ ମହୁ ନିଷ୍କାସନ ଯନ୍ତ୍ର ଆଦି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର