ବର୍ଜ୍ୟବସ୍ତୁରେ ଗୋବର ପୋକ, ବାଘୁଣୀ ‘ସୁନ୍ଦରୀ’

ଭୁବନେଶ୍ବର ମୁକ୍ତାକାଶ ସଂଗ୍ରହାଳୟରେ ସ୍ଥାନିତ ହେବ

ଭୁବନେଶ୍ବର: ଗୋବର ପୋକ। ଆଜିକାଲିର ‌ପିଲାଏ ହୁଏତ ଏ ନାଁ’ଟି ସହ ପରିଚିତ ନଥ‌ିବେ। ଉଡ଼ନ୍ତା ସିଂହ ଭଳି ଶବ୍ଦଟି ସମସ୍ତଙ୍କୁ ନୂଆ ଲାଗିପାରେ। ବିରାଡ଼ି ଭଳି ମୁହଁ, ଚଢ଼େଇ ଭଳି ଡେଣା ଏବଂ ମୟୂର ଭଳି ଲାଞ୍ଜ ଥିବା ବିଚିତ୍ର ପକ୍ଷୀଟିଏ କଳ୍ପନା ପ୍ରସୂତ ହୋଇପାରେ। ମାତ୍ର ସୃଜନୀ ସ୍ପର୍ଶ ଦେଇ ବର୍ଜ୍ୟବସ୍ତୁରେ ଯେ ଏଭଳି ପଶୁପକ୍ଷୀଙ୍କ ଅବିକଳ ନକଲ ଉତାରି ହୁଏ ତାହା ଆଉ ମାତ୍ର ଦିନ କେଇଟାରେ ଦେଖିହେବ। ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ (ବିଡିଏ) ଏବଂ ଆର୍ଟିଷ୍ଟ୍‌ ନେଟ୍‌ୱର୍କ ପ୍ରମୋଟିଙ୍ଗ୍‌ ଇଣ୍ଡିଆନ୍‌ କଲ୍‌ଚର (ଆନ୍‌ପିକ୍‌) ଦ୍ବାରା ପ୍ରସ୍ତୁତ ହେଉଥିବା ଏହି ସ୍ଥାପତ୍ୟଗୁଡ଼ିକୁ ଭୁବନେଶ୍ବର ମୁକ୍ତାକାଶ ସଂଗ୍ରହାଳୟରେ ସ୍ଥାନିତ କରାଯିବ। କଳିଙ୍ଗ ନଗର କେ-୭ରେ ୫ ଏକର ପରିମିତ ଜାଗାରେ ଏହି ସ୍ଥାପତ୍ୟଗୁଡ଼ିକ ଶୋଭା ପାଇବ। ଭାରତ ସମେତ ଅଷ୍ଟ୍ରେଲିଆ, ବେଲ୍‌ଜିୟମ, ନିଉଜିଲାଣ୍ଡ୍‌, ଇଂଲଣ୍ଡ, ନେଦରଲାଣ୍ଡ, ଜାପାନ,‌ ସ୍ପେନ୍‌, ଚୀନ, ଆର୍ଜେଣ୍ଟିନା ଭଳି ୧୪ଟି ଦେଶର ୨୧ ଜଣ ଶିଳ୍ପୀ ଏହି ସ୍ଥାପତ୍ୟ ପ୍ରସ୍ତୁତ କରୁଛନ୍ତି। ଯେଉଁ ଦେଶ ହକି ବିଶ୍ବକପ୍‌ରେ ଯୋଗ ଦେବାକୁ ଆସିଛନ୍ତି ସେଇ ଦେଶରୁ ଜଣେ ଲେଖାଏଁ ସ୍ଥପତିଙ୍କୁ ସୁଯୋଗ ଦିଆଯାଇଛି। ଏନେଇ ଆନ୍‌ପିକ୍‌ର ପରିଚାଳନା ଟ୍ରଷ୍ଟି ଶଶାଙ୍କ ମହାପାତ୍ର କହିଛନ୍ତି, ଆନ୍‌ପିକ୍‌ ପକ୍ଷରୁ ଭାରତ ବର୍ଷରେ ଏଭଳି ପରିକଳ୍ପନା ପ୍ରଥମ। ଓଡ଼ିଶା ଟ୍ରାଇନାଲ୍‌ ଇଣ୍ଟରନେସ୍‌ନାଲ୍‌ ଆର୍ଟ (ଓଟିଆ) ୨୦୨୦ ଅଭିଯାନ କ୍ରମରେ ‘ପ୍ରଥମ ଅନ୍ତର୍ଜାତୀୟ ପବ୍ଲିକ୍‌ ଆର୍ଟ ସିମ୍ପୋଜିୟମ: ୱେଷ୍ଟ୍‌ ଟୁ ଆର୍ଟ’ରେ ଏହି କଳା ସୃଷ୍ଟି କରାଯାଇଛି। ୨୦୨୦ ମସିହା ସୁଦ୍ଧା ବିଦେଶରୁ ଏହିଭଳି ୨୫୦ କଳାକାରଙ୍କୁ ଆଣି ଏଭଳି କଳାତ୍ମକ ସୃଷ୍ଟି ଭେଟି ଦିଆଯିବ।

ଲୁହା ଜାଲିରେ ସୁନ୍ଦରୀ ବାଘୁଣୀ
ଯେବେ ନେଦରଲାଣ୍ଡର ଅନିତା ମାରିଆ ୱେଲ୍‌ମିନା ହାର୍ଡେ ଓଡ଼ିଶା ଆସୁଥିଲେ ସେ ବାଘୁଣୀ ସୁନ୍ଦରୀ ବାବଦରେ ଏକ ଇଂରାଜୀ ଖବରକାଗଜରୁ ପଢ଼ି ଜାଣିବାକୁ ପାଇଲେ। ସେ ମଣିଷକୁ ମାରିଥିବା ଖବର ପଢ଼ିବା ପରେ ତାକୁ ନିଜ ସ୍ଥାପତ୍ୟରେ ରୂପ ଦେବା କଥା ଚିନ୍ତା କଲେ। ଓଡ଼ିଶାରେ ପହଞ୍ଚିବା ପରେ ସେ ଏବେ ବର୍ଜ୍ୟ ଭାବେ ପଡ଼ି ରହିଥିବା ଲୁହା ପାତି ରଡ୍‌ରେ ୫ ମିଟରର ଲମ୍ବର ବିଶାଳ ବାଘ ନିର୍ମାଣ କରୁଛନ୍ତି। ଏହାର ନାମ ମଧ୍ୟ ‘ସୁନ୍ଦରୀ ଟାଇଗର୍‌’ ରଖିବେ ବୋଲି କହିଛନ୍ତି ଅନିତା। ଏଥିସହ ପଶୁଙ୍କ ପ୍ରତି ଅହିଂସା ଆଚରଣ ପାଇଁ ମଧ୍ୟ ସେ ବାର୍ତା ଦେଇଛନ୍ତି।

୭ ହାତୀଙ୍କ ମୃତ୍ୟୁ ସମ୍ବାଦ ପଢ଼ି ଲୁହାରେ କଲେ ସ୍ଥାପତ୍ୟ
ବିମାନରେ ଆସିବା ବେଳେ କ’ଣ ସ୍ଥାପତ୍ୟ ସୃଷ୍ଟି କରିବି ସେନେଇ ଚିନ୍ତା କରୁଥିଲି। ଏଠି ପହଞ୍ଚିବା ପରେ ‌ବିଦ୍ୟୁତ ତାର ଲାଗି ୭ଟି ହାତୀ ମରିଯାଇଥିବା ଖବର ସମ୍ବାଦପତ୍ରରୁ ପଢ଼ିଲି। ଏହା ଦେଖିବା ପରେ ଲୁହା ରଡ୍‌ରେ ହାତୀର ପରିକଳ୍ପନା ମନକୁ ଆସିଲା। ତେଣୁ ଏହାକୁ ସ୍ଥାପତ୍ୟର ରୂପ ଦେଉଛି ବୋଲି କହିଛନ୍ତି ବେଲ୍‌ଜିୟମ୍‌ର ଡି ଲିମାନ୍‌ସ। ଅଜିତ ଓ ରଙ୍ଗନାଥ ତାଙ୍କୁ ସହଯୋଗ କରୁଛନ୍ତି। ସେହିପରି ଅଷ୍ଟ୍ରେଲିଆର ହେଇଦି ମାକ୍‌ଜିଓକ୍‌ ୧ ନମ୍ବର ହାଟରେ ଧାନ କେଣ୍ଡା ଦେଖିବା ପରେ ଧାନ କେଣ୍ଡାକୁ ବର୍ଜ୍ୟବସ୍ତୁରେ ରୂପ ଦେଇଛନ୍ତି।

ହାଇବ୍ରିଡ୍‌ ପକ୍ଷୀରୁ ଉଡ଼ନ୍ତା ସିଂହ
ଇଂଲଣ୍ଡର ନୋଆ ଏହି ପ୍ରଦର୍ଶନୀ ସ୍ଥଳରେ ପହଞ୍ଚିବା ପରେ ଏକ ଗୋବର ପୋକ ଗଡ଼ିଗଡ଼ି ଯାଉଥିବା ‌ଦେଖି ତାକୁ ସ୍ଥାପତ୍ୟରେ ଫୁଟାଇବାକୁ ଚେଷ୍ଟା କରିଥିବା କହିଛନ୍ତି। ଅଟୋ, ଟ୍ରକ୍‌ର କିଛି ଅଂଶ ଓ ରଡ୍‌କୁ ଏକାଠି କରି ସେ ଗୋବର ପୋକର ରୂପ ଦେଉଛନ୍ତି। ଦିଲ୍ଲୀର ବାରାବାବୁ ମାହାତୋ ଏକ ବିଚିତ୍ର ପକ୍ଷୀ ନିର୍ମାଣ କରୁଛନ୍ତି। ଯାହାର ମୁହଁ ବିରାଡ଼ି ଭଳି, ଲାଞ୍ଜ ମୟୂର ପୁଛ ଭଳି ଏବଂ ଡେଣା ଚଢ଼େଇର ପକ୍ଷୀ ଭଳି। ଜିତେନ୍ଦ୍ର କୁମାର ଓଝା ଲୁହାରେ ଏକ ମନି ପର୍ସ ପ୍ରସ୍ତୁତ କରିଛନ୍ତି। ଆର୍ଜେଣ୍ଟିନାର ଡାନିଏଲ୍‌ ଗାଲୋ ବର୍ଜ୍ୟ ବସ୍ତୁରେ ସିଂହକୁ ଆକର୍ଷଣୀୟ ଢଙ୍ଗରେ ଉପସ୍ଥାପିତ କରିଛନ୍ତି। ପୃଥ୍ବୀରାଜ ସାହୁ ୩ ହଜାର ସାଇକେଲ୍‌ ରଡ୍‌ରେ ହାତୀ ନିର୍ମାଣ କରିଛନ୍ତି। ଚୁଗୁଲି ସାହୁ କାର୍‌ର ବଡି, ଚେନ୍‌ ବକେଟ୍‌, ରିମ୍‌କୁ ନେଇ ବିଶାଳ ମୟୂର ତିଆରି କରିଛନ୍ତି। ନିଉଜିଲାଣ୍ଡ୍‌ର ଡୋନାଲ୍‌ଡ ବଗ୍‌ଲାସ ବାଲି ସିମେଣ୍ଟ ବୁହାଯାଉଥିବା କଡ଼େଇରେ କଇଁଛ ପ୍ରସ୍ତୁତ କରିଛନ୍ତି।

ସମ୍ବନ୍ଧିତ ଖବର