ଲୋକାର୍ପିତ ହେଲା ଭୁବନେଶ୍ୱର ନିଉ ଷ୍ଟେସନ୍‌

ପୁରୀ-ଅନୁଗୁଳ, ରାଉରକେଲା-ସମ୍ବଲପୁର ମଧ୍ୟରେ ଚାଲିବ ମେମୁ ଟ୍ରେନ୍‌, ୫ଟି ପ୍ରକଳ୍ପ ଉଦ୍‌ଘାଟନ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

ଭୁବନେଶ୍ୱର/ବାରଙ୍ଗ: ପୂର୍ବତଟ ରେଳପଥର ପାଞ୍ଚଟି ରେଳ ଭିତ୍ତିଭୂମି ସଂରଚନା ସମ୍ପର୍କୀୟ ପ୍ରକଳ୍ପକୁ ଆଜି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଛନ୍ତି। ଶ୍ରୀ ପ୍ରଧାନ ଭୁବନେଶ୍ୱର ନିଉ ଷ୍ଟେସନ୍‌କୁ ଲୋକାର୍ପଣ କରିବା ପରେ ଭୁବନେଶ୍ୱର ଷ୍ଟେସନ୍‌ର ୬ମିଟର ଚଉଡ଼ା ବିଶିଷ୍ଟ ତୃତୀୟ ଫୁଟ୍‌ ଓଭରବ୍ରିଜ୍‌ର ଉଦ୍‌ଘାଟନ କରିଥିଲେ। ଏହାପରେ ଭିଡିଓ କନ୍‌ଫରେନ୍ସିଂରେ ଖୋର୍ଦ୍ଧା ରୋଡ୍‌ର ନୂଆ ମେମୁ ସେଡ୍‌, ପୁରୀ ବଗଲା ଧର୍ମଶାଳାର ନୂଆ ଟିକେଟ୍‌ କାଉଣ୍ଟର୍‌ ଓ ରଥଯାତ୍ରା ମୋବାଇଲ୍‌ ଆପ୍‌ର ଲୋକାର୍ପଣ କରିଥିଲେ। ରଥଯାତ୍ରା ପୂର୍ବରୁ ରେଳ ମନ୍ତ୍ରଣାଳୟ ଓଡ଼ିଶାବାସୀଙ୍କୁ ୫ଟି ଉପହାର ଦେଇଥିବାରୁ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଲେ ଯେ, ଭୁବନେଶ୍ୱର ସହର ଦ୍ରୁତ ଗତିରେ ବଢ଼ି ଚାଲିଥିବାରୁ ଜନସାଧାରଣ ଉତ୍କଣ୍ଠାର ସହ ଆଉ ଏକ ନୂଆ ରେଳ ଷ୍ଟେସନ୍‌କୁ ଅପେକ୍ଷା କରିଥିଲେ। ରଥଯାତ୍ରା ପୂର୍ବରୁ ଏହା ପୂରଣ ହୋଇଛି। ନୂଆ ରେଳ ଷ୍ଟେସନ୍‌ରୁ ନନ୍ଦନକାନନ ଛକ ମଧ୍ୟରେ ଦୂରତା କମାଇବା ପାଇଁ ଜମି ଅଧିଗ୍ରହଣ କରି ଏକ କିମି ମଧ୍ୟରେ ଏକ ପ୍ରଶସ୍ତ ରାସ୍ତା ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ଏହାସହ ଭୁବନେଶ୍ୱର ନିଉ ରେଳ ଷ୍ଟେସନ୍‌ ନାମକୁ ବଦଳାଇ ଓଡ଼ିଆରେ ଭୁବନେଶ୍ୱର ନୂଆ ରେଳ ଷ୍ଟେସନ୍‌ ଲେଖିବାକୁ ସେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କୁ କହିଥିଲେ। ପୁରୀ-ଅନୁଗୁଳ, ରାଉରକେଲା-ସମ୍ବଲପୁର ମଧ୍ୟରେ ମେମୁ ଟ୍ରେନ୍‌ ପ୍ରଚଳନକୁ କେନ୍ଦ୍ର ମନ୍ତ୍ରୀ ସ୍ୱାଗତ କରିଥିଲେ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂହ ଉଦ୍‌ବୋଧନ ଦେଇ କହିଲେ ଯେ, ଏହି ଷ୍ଟେସନ୍‌ କାର୍ଯ୍ୟକ୍ଷମ ହେବା ପରେ କଟକ-ଭୁବନେଶ୍ୱର ମଧ୍ୟରେ ହେଉଥିବା ଟ୍ରେନ୍‌ ଚଳାଚଳ ଭିଡ଼ କମିବ। ଭବିଷ୍ୟତରେ କେତେକ ଟ୍ରେନ୍‌ ପ୍ରାରମ୍ଭିକ ଚଳାଚଳର ସ୍ଥାନ ହେବ। ଯାହା ଭୁବନେଶ୍ୱରର ଉତ୍ତରାଞ୍ଚଳ ଜନସାଧାରଣଙ୍କ ପାଇଁ ସୁବିଧାପ୍ରଦ ହେବ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ରାଜୀବ ବର୍ମା, ପ୍ରମୁଖ ମୁଖ୍ୟ ପରିଚାଳନା ପ୍ରବନ୍ଧକ ଦେବରାଜ ପଣ୍ଡା, ପ୍ରମୁଖ ମୁଖ୍ୟ ବାଣିଜ୍ୟ ପ୍ରବନ୍ଧକ ଅଜୟ କୁମାର ବେହେରା, ଖୋର୍ଦ୍ଧା ରୋଡ୍‌ ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ବ୍ରଜମୋହନ ଅଗ୍ରଓ୍ଵାଲ ପ୍ରମୁଖ ଉପସ୍ଥିତ ଥିଲେ।

୨୦୧୨ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଏହି ଷ୍ଟେସନ୍‌ ୨୦୧୫ରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହି ଷ୍ଟେସନ୍‌ ରାଜଆଠଗଡ଼-ବାରଙ୍ଗ ରେଳ ଲାଇନର ଦୋହରୀକରଣର ଏକ ଅଂଶ। ଏଠାରୁ ଦକ୍ଷିଣ ଭାରତକୁ ରେଳ ଚଳାଚଳ ଆରମ୍ଭ କରିବାକୁ ଯୋଜନା ହୋଇଥିଲେ ହେଁ ଭିତ୍ତିଭୂମି ଅଭାବରୁ ଏବେ କେବଳ ତିନିଟି ପାସେଞ୍ଜର ଟ୍ରେନ୍‌ ରହଣି କରିବ ବୋଲି ନିଷ୍ପତ୍ତି ହୋଇଛି। ଏହି ରେଳ ଷ୍ଟେସନଟି ପ୍ରାୟ ୩୦କୋଟି ଟଙ୍କାରେ ନିର୍ମାଣ ହୋଇଛି। ଏଥିରେ ଷ୍ଟେସନ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ୨୫କୋଟି, ବିଭିନ୍ନ ବିଲ୍‌ଡିଂ ପାଇଁ ୧.୨କୋଟି, ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ୩.୫କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଠାରେ ଅତ୍ୟାଧୁନିକ ସିଗନାଲ୍‌ ବ୍ୟବସ୍ଥା, ୭ଟି ପ୍ଲାଟଫର୍ମ, ପ୍ଲାଟଫର୍ମ ରୁଫ୍‌, ଷ୍ଟେସନ୍‌ ବିଲ୍‌ଡିଂ, ରେଳ ଟ୍ରାକ ଉପରେ ବିଦ୍ୟୁତ ତାର ସଂଯୋଗ, ଟ୍ରେନ୍‌ ଗୋଟେ ଟ୍ରାକ୍‌ରୁ ଅନ୍ୟ ଟ୍ରାକ୍‌କୁ ଯିବା ପାଇଁ (ରେଳଲାଇନ୍‌ ଇଣ୍ଟର ଲକିଂ) ବ୍ୟବସ୍ଥା ହୋଇଛି। ଏହି ଷ୍ଟେସନ୍‌ରେ ଟିକେଟ କାଉଣ୍ଟର୍‌, ସଂରକ୍ଷଣ ଗୃହ, ଯାତ୍ରୀ ପ୍ରତୀକ୍ଷା ଗୃହ, ଦ୍ୱିତୀୟ ଶ୍ରେଣୀ ପ୍ରତୀକ୍ଷା ଘର, ପାର୍ସଲ କାର୍ଯ୍ୟାଳୟ, ଭିଆଇପି ଲାଉଞ୍ଜ, ଶୌଚାଳୟ ଓ ପିଇବା ପାଣି ଆଦି ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଷ୍ଟେସନ୍‌ରେ ପୁରୀ-ହାଓ୍ଵଡା-ପୁରୀ ପାସେଞ୍ଜର, ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର, କଟକ-ବ୍ରହ୍ମପୁର-କଟକ ମେମୁ ଟ୍ରେନ୍‌ ରହଣି କରିବ।

ଦୂରେଇ ରହିଲେ ମନ୍ତ୍ରୀ, ବିଧାୟକ
ଆଜିର କାର୍ଯ୍ୟକ୍ରମକୁ ଓଡ଼ିଶାର ତିନି ଜଣ ମନ୍ତ୍ରୀ, ଦୁଇ ସାଂସଦ, ତିନି ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲେ ହେଁ କେହି ଯୋଗ ଦେଇ ନଥିଲେ। ଭୁବନେଶ୍ୱର ନିଉ ଷ୍ଟେସନ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟସାଣୀ, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତି ଓ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ କେହି ଆସି ନଥିଲେ। ସେହିପରି ଖୋର୍ଦ୍ଧା ରୋଡ୍‌ ଷ୍ଟେସନ୍‌କୁ ଜଟଣୀ ବିଧାୟକ ଭାଗିରଥୀ ବଡ଼ଜେନା ଏବଂ ପୁରୀର ବଗଲା ଧର୍ମଶାଳାକୁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏବଂ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ନିମନ୍ତ୍ରଣ କରାଯାଇଥିଲେ ହେଁ କେହି ଆସି ନଥିଲେ।

ରାଜ୍ୟ ସରକାରଙ୍କ କୌଣସି ଲୋକ ପ୍ରତିନିଧି ଯୋଗ ନ ଦେବା ପରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ତାଙ୍କ ନିର୍ବାଚନୀ ମଣ୍ଡଳୀରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ, ଉଦ୍‌ଘାଟନ ଥିଲା। ତେଣୁ ମୁଁ ଯାଇପାରିଲିନି। ସେହିପରି ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ମୋତେ ନିମନ୍ତ୍ରଣ କରାଯାଇଥିଲେ ହେଁ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ରେଲ୍‌େଓ୍ଵର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହେଉ ନଥିବାରୁ ମୁଁ ଗଲିନାହିଁ। ତାଙ୍କ କହିବାନୁଯାୟୀ, ବାରମ୍ବାର ଦାବି ସତ୍ତ୍ୱେ ପଟିଆ ଷ୍ଟେସନ୍‌ର ଉନ୍ନତିକରଣ ହେଉନାହିଁ। ପଦା ସାହି ଓ ପଟିଆ ଲେଭେଲ୍‌ କ୍ରସିଂରେ ରେଳ ଓଭରବ୍ରିଜ୍‌ ନିର୍ମାଣ ପାଇଁ ଗତ ସପ୍ତାହରେ ରେଲ୍‌େଓ୍ଵ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲି। ସେଥିରେ କିଛି ସକରାତ୍ମକ ଉତ୍ତର ମିଳି ନଥିଲା। ଭୁବନେଶ୍ୱର ଷ୍ଟେସନ୍‌ ଆଧୁନିକୀକରଣ ଏମ୍‌ଓୟୁରେ ବିଳମ୍ବ ହେଉଛି। ଏହାର ପ୍ରତିବାଦ ସ୍ୱରୂପ ଶ୍ରୀ ମିଶ୍ର ଆଜିର କାର୍ଯ୍ୟକ୍ରମକୁ ଗଲେ ନାହିଁ ବୋଲି କହିଛନ୍ତି। ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତି କହିଛନ୍ତି ଯେ, ସେ ଭୁବନେଶ୍ୱରରେ ନଥିବାରୁ କାର୍ଯ୍ୟକ୍ରମରେ ଯୋଗଦେଇପାରିଲେନି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିହାରରେ ଥିବାରୁ ଆଜିର କାର୍ଯ୍ୟକ୍ରମରେ ଯୋଗଦେଇପାରିଲେନି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର