ଉଦ୍‌ଘାଟନ ହେବ ଷ୍ଟପ୍‌ ଏସିଡ୍‌ ଆଟାକ୍‌- ଚାପ୍ଟର ଓଡ଼ିଶା

ଏସିଡ୍‌ ପୀଡ଼ିତାଙ୍କ ପାଇଁ ଷ୍ଟପ୍‌-ଆ-ଥନ୍‌ ମରାଥନ୍‌

ଭୁବନେଶ୍ୱର: ମହିଳା ଓ ବାଳିକାମାନଙ୍କ ଉପରେ ହେଉଥିବା ଏସିଡ୍‌ ମାଡ଼ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ତଥା ଏସିଡ୍‌ର ବିକ୍ରି ଉପରେ ଅଙ୍କୁଶ ଲଗାଇବା ନିମନ୍ତେ ଏକ ଷ୍ଟପ୍‌-ଆ-ଥନ୍‌ ମିନି ମାରଥନ ଅନୁଷ୍ଠିତ ହେବ। ଇନ୍‌ଷ୍ଟଚ୍ୟୁଟ୍‌ ଫର ସୋସିଆଲ ଡେଭେଲପମେଣ୍ଟ୍‌, ନ୍ୟୁ ହୋପ୍‌ ଓ ସିରୋଜ ହାଙ୍ଗ ଆଉଟରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ମାରାଥନ୍‌ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଅସନ୍ତା ମେ’ ୨୭ତାରିଖ ସକାଳ ୫ଟା ୩୦ରେ ଅନୁଷ୍ଠିତ ହେବ। ଓଡ଼ିଶା ପୁଲିସ, ବିଏମ୍‌ସି ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ଓଡ଼ିଶାରେ ମହିଳାଙ୍କ ଉପରେ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତନ୍ମଧ୍ୟରୁ ଏସିଡ୍‌ ଆକ୍ରମଣର ଶିକାର ମହିଳା ଓ ବାଳିକାଙ୍କ ସଂଖ୍ୟା ମଧ୍ୟ ଅଧିକ। ଏକ ତଥ୍ୟ ଅନୁଯାୟୀ ଗତ ଆଠ ବର୍ଷ ମଧ୍ୟରେ ୫୯ ଜଣ ମହିଳା ଓ ବାଳିକା ଓଡ଼ିଶାରେ ଏସିଡ୍‌ ଆକ୍ରମଣର ଶିକାର ହୋଇଛନ୍ତି। ୨୦୧୬ ମସିହାରେ ୧୩ ଜଣ ବାଳିକା ଏସିଡ୍‌ ଆକ୍ରମଣର ଶିକାର ହୋଇଥିଲେ। ଏହି ମାରାଥନ୍‌ ଜରିଆରେ ଏସିଡ଼୍‍ ମାଡ଼ ବନ୍ଦ କରିବା ଏବଂ ଆକ୍ରମଣର ଶିକାର ମହିଳା ଓ ଯୁବତୀମାନଙ୍କୁ ଥଇଥାନ ପାଇଁ ସଚେତନତା ସୃଷ୍ଟି କରାଯିବ ବୋଲି ସମାଜସେବୀ ପ୍ରମୋଦିନୀ ରାଉଳ, ଶୁଭଶ୍ରୀ ଦାସ, ଅମିୟବାଳା ପଟ୍ଟନାୟକ ଓ ମନୀଷ ନାୟକ ପ୍ରମୁଖ ସୂଚନା ଦେଇଛନ୍ତି। ଏହି ଅବସରରେ ଷ୍ଟପ୍‌ ଏସିଡ୍‌ ଆଟାକ୍‌- ଚାପ୍ଟର ଓଡ଼ିଶାକୁ ଉଦ୍‌ଘାଟନ କରାଯିବ। କାର୍ଯ୍ୟକ୍ରମରେ ପୂର୍ବତନ ମେରାଇନ୍‌ କମାଣ୍ଡୋ, ସୌର୍ଯ୍ୟ ଚକ୍ର ପୁରସ୍କାରରେ ସମ୍ମାନିତ ପ୍ରବୀନ ତେଓତିଆ ସାମିଲ ହେବେ। ଏହା ସହିତ ଏହି କାର୍ଯ୍ୟକୁ ସଫଳ କରିବା ପାଇଁ କନ୍ୟା ଅନ୍‌ମୋଲ, ଧନୀମ ଫାଉଣ୍ଡେସନ, ଏସ୍‌ ଆଣ୍ଡ ପି, ଅକ୍ସରା, ହାପିିଇଟସ୍‌, ଇଷ୍ଟର ଇ, ଟିମ ଭିଏସଏକ୍ସ, ଉଇ ଫର ୟୁ, ସାହାରା, ଓଡ଼ିଶା ଡାନମ୍‌, କମ୍ୟୁନିଟି, ଲାୟନ୍ସ ମିନତି ବେହେରା କ୍ୟାନସର ଫାଉଣ୍ଡେସନ ଟ୍ରଷ୍ଟ, ଜୁମ୍ବା, ଓଡ଼ିଶା ସାଇନ୍ସ ଓ କିଟ୍‌ ପ୍ରମୁଖ ସଂଗଠନ ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର