ବସ୍‌ଷ୍ଟାଣ୍ଡ୍‌ରେ ଖୁଲାମଖୁଲା ମଦ ବିକ୍ରି: ବାହାରେ ଦେଶୀ, ଭିତରେ ବିଦେଶୀ

ଭୁବନେଶ୍ବର: ଲୁଚାଛୁପାରେ ନୁହେଁ। ଖୁଲମଖୁଲା ବିକ୍ରି ହେଉଛି ମଦ। ପୁଲିସ୍‌ ଆଢ଼ୁଆଳରେ ନୁହେଁ। ବରଂ ପୁଲିସ୍‌ର ନାକତଳେ ରାସ୍ତାକଡ଼ ପାଲଟିଛି ଖୋଲା ଦେଶୀ ବାର୍‌। ରାଜଧାନୀର ସବୁଠୁ ବ୍ୟସ୍ତବହୁଳ ସ୍ଥାନ ତଥା ରାଜ୍ୟର ସର୍ବବୃହତ୍‌ ବସ୍‌ଷ୍ଟାଣ୍ଡ୍‌ରେ ହିଁ ଚାଲିଛି ଏହି କାରବାର। ବସ୍‌ଷ୍ଟାଣ୍ଡ୍‌ ପାଚେରିକୁ ଲାଗିଥିବା ଅଧାଭଙ୍ଗା କାନ୍ଥ ନିକଟରେ ଚାଲିଛି ଏହି ୨୪ ଘଣ୍ଟିଆ ବାର୍‌। ଅଥଚ ସେଇଠି ପ୍ରତିଦିନ ପଇଁତରା ମାରୁଥିବା ପିସିଆର୍‌ ସବୁ ଦେଖି ଚୁପ୍‌। ଖାଲି ସେତିକି ନୁହେଁ, ବସ୍‌ଷ୍ଟାଣ୍ଡ୍‌ ପରିସରରେ ଏକ ହୋଟେଲ୍‌ରେ ଚଢ଼ା ଦରରେ ଉପଲବ୍ଧ ହେଉଛି ବିଦେଶୀ ମଦ। ଭୋଜନ ସହ ମଦ୍ୟପାନର ଚୋରା କାରବାର ଚାଲିଥିଲେ ହେଁ କେହି ମୁହଁ ଖୋଲି ପ୍ରତିବାଦ କରୁନାହାନ୍ତି। ଏଠାରୁ ମାତ୍ର ୫ଶହ ମିଟର ଦୂରରେ ଖଣ୍ଡଗିରି ଥାନା ଅଛି। ବାରମ୍ବାର ଚଢ଼ଉ ବି ହେଉଛି। ମାତ୍ର ଭିତିରି କାରବାର ଯୋଗୁଁ ବର୍ଷବର୍ଷ ଧରି ଏସବୁ ଅବାଧରେ ଚାଲୁଥିବା ଅଭିଯୋଗ ହୋଇଛି।

ଏଭଳି ଚୋରା କାରବାର ସମ୍ପର୍କରେ ଖବର ପାଇ ଅନୁସନ୍ଧାନରେ ଆରମ୍ଭ କରିଥିଲୁ। ସମ୍ପୃକ୍ତ ସ୍ଥାନରେ ପହଞ୍ଚିବା ମାତ୍ରେ ଅଶ୍ରାବ୍ୟ ଗାଳି କାନରେ ପଡ଼ିଲା। ସେଠି ପହଞ୍ଚିବା ପରେ ଜଣେ ମଦ୍ୟପ ମାତାଲ ହୋଇ ରାସ୍ତା ଉପରେ ଗଡ଼ୁଥାଏ। ଦେଖିଲୁ, ଏକ ଛୋଟିଆ ଟିଣ କ୍ୟାବିନ୍‌ଟିଏ ବସ୍‌ଷ୍ଟାଣ୍ଡ୍‌ର ପାଚେରି ଆଡ଼କୁ ମୁହଁ କରି ପଡ଼ିଛି। ତା’ ପାଖରେ ଗଛ ବୁଦାର ଆଢ଼ୁଆଳରେ ଏକ ଛୋଟିଆ ସ୍ଥାନକୁ ନୀଳ ରଙ୍ଗର ଜରି ଅଖା ଦେଇ ବନ୍ଦ କରିଦିଆଯାଇଛି। ଆଉ ତା ଭିତରେ ଚାଲିଥାଏ ମଦ୍ୟପଙ୍କ ଆଡ଼ା। ନିଶାସକ୍ତମାନେ ପରସ୍ପରକୁ ଏପରି ଗାଳିଗୁଲଜ କରୁଥିଲେ ଯେ, ସେଇ ସ୍ଥାନକୁ ଲାଗି ରହିଥିବା ଅଟୋ ଷ୍ଟାଣ୍ଡ୍‌ରେ ଛିଡ଼ା କରିଥିବା ଏକ ଅଟୋ ଭିତରେ ବୟସ୍କ ବ୍ୟକ୍ତିମାନେ ଭୟ ପାଇଯାଉଥିଲେ। ଏମିତି କି ଅସହ୍ୟ ହେବାରୁ କିଛି ଲୋକ ଅଟୋରୁ ମଧ୍ୟ ଉଠି ଚାଲି ଯାଉଥିଲେ। ପାଖରେ ଥିବା ଅଟୋ ଷ୍ଟାଣ୍ଡ୍‌ରେ ଜଣେ ଅଟୋ ଚାଳକଙ୍କଠୁ ଏ ବାବଦରେ ଖବର ନେବା ପରେ ବୁଝିଲୁ ୬୫ରୁ ୭୦ ଟଙ୍କା ମଧ୍ୟରେ ଏଠି ଦେଶୀ ମଦ ବିକ୍ରି ହେଉଛି। ପୁଲିସ୍‌ ବି ପ୍ରତିଦିନ ଏହି ବାଟ ଦେଇ ଯାତାୟାତ କରୁଛି। ବିଭିନ୍ନ ସମୟରେ ଚଢ଼ଉ ବି ହେଉଛି। ହେଲେ ଏପରି ବେଆଇନ୍‌ କାରବାରରେ ରୋକ୍‌ ଲାଗି ପାରୁନି। କ୍ୟାବିନ୍‌ଟିକୁ ଏପରି ଢଙ୍ଗରେ ପକାଯାଇଛି ଯେମିତି ଲାଗିବ ଏହା ବନ୍ଦ ରହୁଛି। ମାତ୍ର ବାସ୍ତବରେ ଏହା ୨୪ ଘଣ୍ଟା ଖୋଲା ରହୁଛି। ବିଳମ୍ବିତ ରାତିରେ ‌କେବିନ୍‌ ବନ୍ଦ ରହୁଥିବା ଜଣା ପଡ଼ୁଥିଲେ ହେଁ ଏଠାରେ ଯେକୌଣସି ମୁହୂର୍ତ୍ତରେ ଦେଶୀ ମଦ ପାଇବାରେ ସମସ୍ୟା ହୁଏ ନାହିଁ। ବସ୍‌ଷ୍ଟାଣ୍ଡ୍‌ରେ ଏହା ନିତିଦିନିଆ ଘଟଣା ପାଲଟିଛି। ଅଥଚ ଏହା କାହାକୁ ଦିଶୁନି। ନଚେତ୍‌ କିଛି ଅଦୃଶ୍ୟ ଲୋଭ ଅବା ଚାପ ବଳରେ ଏଇ ଦେଶୀ ବାର୍‌ ଅବାଧରେ ଚାଲିଛି ବୋଲି ସୂଚନା ମିଳିଛି। ସେଠୁ ଯେବେ ବସ୍‌ଷ୍ଟାଣ୍ଡ୍‌ ମଧ୍ୟରେ ପ୍ରବେଶ କଲୁ, ତା ଭିତରେ ବି ଏକ ହୋଟେଲ୍‌ରେ ବିଦେଶୀ ମଦ ମିଳୁଥିବା ନେଇ ଜଣେ ବୃଦ୍ଧ ସୂଚନା ଦେଲେ। କହିଲେ, ଯାହା ଖୋଜିବ ମିଳିବ। କେବଳ ଦାମ୍‌ ଟିକେ ଅଧିକ ଦେବାକୁ ପଡ଼ିବ। ମଦ୍ୟପଙ୍କୁ ଏସବୁ ଜାଗା ଅଛପା ନୁହେଁ। ମାତ୍ର ମଦ ପିଇ ରାସ୍ତାରେ ଗଡ଼ିଲା ବେଳେ ‘ଟଙ୍କା ପନ୍ଦର, ସବୁ ଅନ୍ଧାର’ ଭଳି ପ୍ରଚଳିତ ଲୋକକଥାର ସତ୍ୟତା ଏଇଠି ପ୍ରତିଦିନ ଦେଖିବାକୁ ମିଳୁଛି। ଏନେଇ ଆଇନଜୀବୀ ଅଶୋକ ବେହେରାଙ୍କ କହିବା ମୁତାବକ, ଓଡ଼ିଶା ଅବକାରୀ ଆଇନ୍‌ ମୁତାବକ ସର୍ବସାଧାରଣ ସ୍ଥାନରେ ଏପରି ମଦ କାରବାର ବେଆଇନ୍‌। ମାତ୍ର ସବୁ ଆଇନ୍‌କୁ ଜଳାଞ୍ଜଳି ଦେଇ ଏପରି କାରବାର ଚାଲିଛି। କେବଳ ସେତିକି ନୁହେଁ, କିଛି ଛୋଟଛୋଟ ଦୋକାନରେ ମଧ୍ୟ ବେଆଇନ୍‌ ଗଞ୍ଜେଇ ସିଗାରେଟ୍‌ ଅବାଧରେ ବିକ୍ରି ହେଉଛି। ସ୍ଥାନୀୟ ବାସିନ୍ଦାମାନେ ଏନେଇ ବାରମ୍ବାର ପୁଲିସ୍‌ର ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।

ସମ୍ବନ୍ଧିତ ଖବର