ଖୁଲମଖୁଲା ଭିତରକୁ ଯାଉଛି ମାଦକ ଦ୍ରବ୍ୟ

ଝାରପଡ଼ା ଜେଲ୍‌ରେ ପ୍ରସ୍ତୁତ ହେଉଛି ଅପରାଧୀଙ୍କ ବ୍ଲୁ ପ୍ରିଣ୍ଟ୍‌

ଭୁବନେଶ୍ୱର: ଝାରପଡ଼ା ସ୍ୱତନ୍ତ୍ର ଜେଲରେ ଖୁଲମଖୁଲା ମାଦକ ଦ୍ରବ୍ୟର ଚାଲାଣ ହେଉଛି ବୋଲି ଅଭିଯୋଗ ହୋଇ ଆସୁଥିଲା। ଆଜି ଏହାର ପ୍ରମାଣ ମିଳିଛି। ଗୋପନରେ ସୁଟିଂ କରାଯାଇଥିବା ଏହାର ଭିଡିଓ ପଦାକୁ ଆସିଛି। ଜଣେ ମହିଳା ଓ୍ଵାର୍ଡର ସମସ୍ତଙ୍କ ସମ୍ମୁଖରେ ଯାଞ୍ଚ କରୁଛନ୍ତି, କିନ୍ତୁ ହାତଗୁଞ୍ଜା ନେଇ କେତେକ ନିର୍ଦିଷ୍ଟ ବିଚାରାଧୀନ କଏଦୀଙ୍କ ପାଇଁ ନିଜେ ମାଦକଦ୍ରବ୍ୟ ଭିତରକୁ ନେଇ ଯାଉଛନ୍ତି। ଯାହାର ଭିଡିଓ କଏଦ ହୋଇଯାଇଛି ଗଣମାଧ୍ୟମର କ୍ୟାମେରାରେ। ମଙ୍ଗଳବାର, ପୂର୍ବାହ୍ନ ପ୍ରାୟ ୧୧ଟା। ଝରାପଡ଼ା ଜେଲ୍‌ରେ ବିଚାରାଧୀନ କଏଦୀଙ୍କୁ ଭେଟିବାକୁ ଆସିଥିଲେ ସେମାନଙ୍କ ସମ୍ପର୍କୀୟ। କିଏ ହାତରେ ଶୁଖିଲା ଖାଦ୍ୟ ଆଣିଥିଲା ତ ଆଉ କିଏ ବିସ୍କୁଟ, ମିକ୍ସଚର ଆଦି। ତେବେ ଏହା ସହିତ କେହି କେହି ଗୁଟ୍‌ଖା, ବିଡ଼ି, ସିଗାରେଟ୍‌ ଓ ଖଇନି ମଧ୍ୟ ସାଙ୍ଗରେ ଆଣିଥିଲେ। ଏସବୁକୁ ଜଣେ ମହିଳା ଓ୍ଵାର୍ଡର ଯାଞ୍ଚ କରିଥିଲେ। କିନ୍ତୁ ଯେଉଁ ସମ୍ପର୍କୀୟମାନେ ମହିଳା ଓ୍ଵାର୍ଡରଙ୍କୁ ହାତଗୁଞ୍ଜା ଦେଉଥିଲେ ସେମାନଙ୍କ ଜିନିଷପତ୍ର ସହିତ ମାଦକଦ୍ରବ୍ୟ ଭିତରକୁ ଯାଉଥିଲା। ଏପରିକି ମହିଳା ଓ୍ଵାର୍ଡର ଜଣକ ଅନାୟାସରେ ଏସବୁକୁ ଭିତରକୁ ନେଇ ଯାଉଥିଲେ।

କେବଳ ମାଦକଦ୍ରବ୍ୟ କାହିଁକି, ଝାରପଡ଼ା ଜେଲ୍‌ ଏବେ ଗ୍ୟାଙ୍ଗଷ୍ଟରଙ୍କ ଅପରାଧ କରିବାର ଯୋଜନାସ୍ଥଳ ପାଲଟିଛି। କିଛି ଦିନ ତଳେ କଟକ ସଦର ଥାନା ଅଧୀନ ବାଲି ଠିକାଦାର ବିଜନ ପାଲଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାର ବ୍ଲୁ-ପ୍ରିଣ୍ଟ୍‌ ଝାରପଡ଼ା ଜେଲ୍‌ରୁ ପ୍ରସ୍ତୁତ ହୋଇଥିବା ଜଣାପଡ଼ିବା ପରେ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। ଜେଲ୍‌ କର୍ତୃପକ୍ଷ ଦୁର୍ଦାନ୍ତ ଅପରାଧୀମାନଙ୍କ ଉପରେ କଭଳି ନଜର ରଖିଛନ୍ତି ତାହା ଏଥିରୁ ସ୍ପଷ୍ଟ ହୋଇ ଯାଉଛି। ଜେଲ୍‌ରେ ଲାଗିଥିବା ସିସି କ୍ୟାମେରା ଓ ୨୪ ଘଣ୍ଟିଆ ପ୍ରହରା ଏକ ପ୍ରକାର ଫାର୍ସରେ ପରିଣତ ହୋଇଛି। କମିସନରେଟ ପୁଲିସ ନା ଜେଲ୍‌ ବିଭାଗର ବେପରୁଆ ମନୋଭାବ ଫଳରେ ଗୋଟିଏ ପରେ ଗୋଟିଏ ବଡ଼ ବଡ଼ ଅପରାଧର ଯୋଜନା ଜେଲ୍‌ର ଚାରିକାନ୍ଥ ଭିତରେ ହିଁ ହେଉଛି। ବାଲି ଠିକାଦାର ବିଜନ ପାଲଙ୍କ ଉପରେ ହୋଇଥିବା ଗୁଳିମାଡ଼ର ବ୍ଲୁ ପ୍ରିଣ୍ଟ୍‌ ଝାରପଡ଼ା ଜେଲ୍‌ରେ ରହୁଥିବା ଡି ବ୍ରଦର୍ସ ସୁଶାନ୍ତ ଧଳସାମନ୍ତ କରିଥିଲା ବୋଲି କଟକ ଡିସିପି ଅଖିଳେଶ ସିଂହ କହିଥିଲେ। ସୁଶାନ୍ତଙ୍କ ନିର୍ଦେଶରେ ନୂଆପଲ୍ଲୀ ଅଞ୍ଚଳର ମିକୁ ଓରଫ୍‌ ମୃତ୍ୟୁଞ୍ଜୟ ନାୟକ ଓ ସାଲିଆସାହି ଅଞ୍ଚଳର ସଦା ନାଏକ ଏଭଳି କାଣ୍ଡ କରିଥିଲେ। ଏଥିପାଇଁ ସୁଶାନ୍ତଙ୍କୁ କଟକ ପୁଲିସ ରିମାଣ୍ଡରେ ନେଇ ପଚରା ଉଚରା ମଧ୍ୟ କରିଥିଲା।

୯ ବର୍ଷରେ୪ ଥର ହୋଇଛି ଚଢ଼ଉ
ଲାଗି ପାରିଲା ନାହିଁ ସ୍କାନର୍‌ ମେସିନ୍‌
ଏବେ ବି ଟୁଜି ଜାମର୍‌ରେ ଚଳୁଛି କାମ

ବଡ଼ କଥା ହେଉଛି ପ୍ରତି ୩ ମାସରେ ପୁଲିସ ପକ୍ଷରୁ ଜେଲ୍‌ ଉପରେ ଅଚାନକ ଚଢ଼ଉ କରାଯିବାର ନିୟମ ଥିଲେ ମଧ୍ୟ ଏହାକୁ ପାଳନ କରାଯାଉନାହିଁ। ଗତ ୯ ବର୍ଷ ମଧ୍ୟରେ କମିସନରେଟ ପୁଲିସ ପକ୍ଷରୁ ଝାରପଡ଼ା ଜେଲ୍‌ ଉପରେ ମାତ୍ର ୪ ଥର ଚଢ଼ଉ କରାଯାଇଛି। କଏଦୀମାନଙ୍କ ଉପରେ ନଜର ରଖିବାକୁ ସିସି କ୍ୟାମେରା ଲାଗିଛି। କିନ୍ତୁ ସେଥିରୁ ଅର୍ଧାଧିକ ଅଚଳ। ଜେଲ୍‌ ଭିତରେ ଏବେ ଯେଉଁ ମୋବାଇଲ୍‌ ଜାମର୍‌ ଲାଗିଛି ତାହା ଏବେ ବି ଟୁ-ଜି। ଅପରାଧୀମାନେ ଏବେ ୪-ଜି ମୋବାଇଲ୍‌ ଫୋନ୍‌ ଧରିଲେଣି। ଜେଲ ଭିତରକୁ ମୋବାଇଲ୍‌ ଫୋନ୍‌, ମାରଣାସ୍ତ୍ର ନ ପଶି ପାରିବା ଲାଗି ଲଗେଜ୍‌ ସ୍କାନର ଲାଗିବ ବୋଲି ୪ ବର୍ଷ ତଳେ ଯୋଜନା ହୋଇଥିଲା। ଯୋଜନା କେବଳ ଯୋଜନାରେ ହିଁ ରହି ଯାଇଛି। ଏ ସମ୍ପର୍କରେ ଜେଲ ସୁପରିନ୍‌ଣ୍ଟେଣ୍ଡେଣ୍ଟ୍‌ ରବୀନ୍ଦ୍ରନାଥ ସ୍ୱାଇଁ କହିଛନ୍ତି, ଜେଲ୍‌ ଭିତରେ ସିସି କ୍ୟାମେରାରେ ଅପରାଧୀମାନଙ୍କ ଉପରେ ନଜର ରଖାଯିବା ସହିତ, ୨୪ ଘଣ୍ଟିଆ ପହରା ଦିଆଯାଉଛି।

ସମ୍ବନ୍ଧିତ ଖବର