ଅଣ୍ଟାରେ ମାଉଜର୍‌ ଖୋସି ବୁଲୁଛନ୍ତି ଅପରାଧୀ, ଠପ୍‌ ହୋଇ ଯାଇଛି ଅପରେସନ୍‌ ବ୍ଲାକ୍‌ସ୍ମୋକ୍‌

ଭୁବନେଶ୍ବର : ଖଣ୍ଡଗିରି ଥାନା ଅଧୀନ ବାହାଦୁଲପୁର ପୁପୁ ଜେନାଙ୍କୁ ହତ୍ୟା, ବାଲିପାଟଣା ଥାନା ଅଧୀନରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଫାଙ୍କା ଗୁଳି ଚାଳନା କରି ଲୁଟ୍‌, ନଖରା ଛକରୁ ଫାୟାରିଂ କରି ୩୫ଲକ୍ଷ ଲୁଟ;‌ ଏଭଳି ସଂଘାତିକ ଅପରାଧରେ ଅପରାଧୀମାନେ ମାଉଜର ବ୍ୟବହାର କରିଛନ୍ତି। ତେବେ ଏସବୁ ବନ୍ଧୁକ କେଉଁଠୁ ଆସୁଛି? କିଏ ଏହି ମାରଣାସ୍ତ୍ରକୁ ରାଜଧାନୀକୁ ଯୋଗାଣ କରୁଛି? ଏହା ପଛରେ କାହାର ହାତ ଅଛି? ଏହି ମାରଣାସ୍ତ୍ର ରୢାକେଟ କିଏ ଚଳାଉଛି; ପୁଲିସ କିନ୍ତୁ ଏହାର ତଦନ୍ତ କରୁନାହିଁ। ଫଳରେ ବିଗିଡି ଗଲାଣି ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି। କଥା କଥାକେ ଏଠାରେ ଫୁଟୁଛି ଗୁଳି। ଚେନ୍‌ ଲୁଟେରାମାନେ ମଧୢ ଅଣ୍ଟାରେ ବନ୍ଧୁକ ଖୋସିଲେଣି। ଗଳିଗୁଣ୍ତାମାନେ ଷ୍ଟାଇଲ ମାରିବାକୁ ମାଉଜର ଧରୁଛନ୍ତି। ଚଳିତ ବର୍ଷ ରାଜଧାନୀରେ ୭ଟି ଗୁଳିକାଣ୍ତ ଘଟଣା ଘଟିଲାଣି। ପୁଲିସ ମଧୢ ଗୁଳିକାଣ୍ତ ଘଟଣାକୁ ଯେଉଁ ଭଳି ଢଙ୍ଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା କରୁନାହିଁ। ଫଳରେ ବେପରୁଆ ହୋଇ ଯାଇଛନ୍ତି ଅପରାଧୀ। ଛୋଟଛୋଟ କଥାରେ ଗର୍ଜନ କରୁଛି ମାଉଜର। ୨୦୧୧ରୁ ୨୦୧୩ ମସିହାରେ ମଧୢରେ ରାଜଧାନୀରେ ଯେଉଁଭଳି ଅବାଧ ଚୋରା ମାଉଜର କାରବାର ହେବା ସହିତ ବିଭିନ୍ନ ସ୍ଥାନରେ ଗୁଳିକାଣ୍ତ ଘଟିଥିଲା ସେଭଳି ପରିସ୍ଥିତି ପୁଣି ଥରେ ଫେରିବା ଭଳି ମନେ ହେଉଛି। ଏଭଳି ସ୍ଥିତିରେ ରାଜଧାନୀରେ ଚୋରା ମାଉଜର କାରବାର ଓ ବେପାରୀଙ୍କ ଉପରେ ନଜର ରଖିବାକୁ କମିସନରେଟ ପୁଲିସ ଆରମ୍ଭ କରିଥିବା ଅପରେସନ୍‌ ବ୍ଲାକସ୍ମୋକ୍‌ ଏବେ ସଂପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି। ଚଳିତ ବର୍ଷ ଅପରେସନ୍‌ ବ୍ଲାକସ୍ମୋକ୍‌ ଯୋଜନାରେ ଗୋଟିଏ ହେଲେ ବି ବନ୍ଧୁକ ଜବତ ହୋଇନାହିଁ କିମ୍ବା ଜଣେ ହେଲେ ବି ମାଉଜର ବେପାରୀଙ୍କୁ କମିସନରେଟ୍‌ ପୁଲିସ ଗିରଫ କରିବାକୁ ସକ୍ଷମ ହୋଇନାହିଁ।

୨୦୧୪ ମସିହାରେ କମିସନରେଟ୍‌ ପୁଲିସ ପକ୍ଷରୁ ଅପରେସନ୍‌ ବ୍ଲାକସ୍ମୋକ ଆରମ୍ଭ ହୋଇଥିଲା। ଏଥିପାଇଁ ସ୍ବତନ୍ତ୍ର ଭାବେ କୁଇକ୍‌ ଆକ୍ସନ ଟିମ୍‌କୁ ଦାୟିତ୍ବ ଦିଆଯାଇଥିଲା। ଦାୟିତ୍ବ ପାଇବା କ୍ଷଣି ରାଜଧାନୀରେ ମାଉଜର ବେପାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ପୁଲିସ। ପାଖରେ ମାଉଜର ରଖିବାକୁ ଅପରାଧୀମାନେ ଡରୁଥିଲେ। ୨୦୧୪ ମସିହାରେ ଅପରେସନ୍‌ ବ୍ଲାକସ୍ମୋକ୍‌ ଯୋଜନାରେ ୮୬ଟି ମାମଲା ରୁଜୁ କରାଯିବା ସହିତ ୯୩ଟି ମାଉଜର ଓ ୨୪୯ଟି ଅଫୁଟା ଗୁଳି ଜବତ ହୋଇଥିଲା। ସେହିପରି ୨୦୧୫ ମସିହାରେ ୧୧୩ଟି ମାମଲା ରୁଜୁ କରାଯିବା ସହିତ ୬୩ଟି ମାଉଜର ଓ ୧୬୨ଟି ଅଫୁଟା ଗୁଳି ଜବତ କରାଯାଇଥିଲା। ୨୦୧୬ ମସିହାରେ ୧୫୭ଟି ମାମଲା ରୁଜୁ କରାଯିବା ସହିତ ୮୯ଟି ମାଉଜର ଓ ୭୧୭ଟି ଅଫୁଟା ଗୁଳି ଜବତ କରାଯାଇଥିଲା। ପାଖାପାଖି ୩୭୮ ଜଣ ଅପରାଧୀଙ୍କୁ ମାଉଜର ରଖିବା ଓ କାରବାର କରିବା ଅଭିଯୋଗରେ ଗିରଫ କରାଯାଇଥିଲା ଏହି ୩ ବର୍ଷରେ। କିନ୍ତୁ ଗତ ୩ ବର୍ଷ ହେବ କମିସନରେଟ ପୁଲିସ ବ୍ଲାକସ୍ମୋକ ଅପରେସନକୁ ବନ୍ଦ କରିଦେଇଛି। ଅନେକ ସ୍ଥାନରେ ଲୁଟେରାମାନେ ମାଉଜର ମୁନରେ ଚେନ୍‌ଲୁଟ କରୁଛନ୍ତି। ନା ଗୋଟିଏ ହେଲେ ବି ମାଉଜର ଜବତ କରିଛି ନା ଜଣେ ହେଲେ ବି ମାଉଜର ବେପାରିଙ୍କୁ ଗିରଫ କରିବାକୁ ସକ୍ଷମ ହୋଇ ପାରିଛି କ୍ୟୁଏଟି। ଫଳରେ ଏବେ ରାଜଧାନୀରେ ପୁଣି ଥରେ ଚୋରା ମାଉଜର କାରବାର ଆରମ୍ଭ ହୋଇଗଲାଣି।

ଚଳିତ ବର୍ଷ ରାଜଧାନୀରେ ପାଖାପାଖି ୭ଟି ସ୍ଥାନରେ ଗୁଳିକାଣ୍ତ ଘଟିଛି

ଚଳିତ ମାସ ୫ ତାରିଖ ଘଟଣା। ବାଲିପାଟଣା ଥାନା ଅନ୍ତର୍ଗତ ବଳଭଦ୍ରପୁର ଗାରେଡ଼ିପାଞ୍ଚଣ ରାସ୍ତାରେ ଅପରାହ୍ନରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍‌ ହୋଇଥିଲା। ତାଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ଓ ଫାଙ୍କା ଗୁଳି ଚାଳନା କରି ଦୁର୍ବୃତ୍ତମାନେ ୧ ଲକ୍ଷ ୪୧ ହଜାର ଟଙ୍କା ଲୁଟି ନେଇଥିଲେ। ଉଜ୍ଜୀବନୀ ସ୍ମଲ ଫାଇନ୍ସାସ କର୍ମଚାରୀ ଦିଲ୍ଲୀପ କୁମାର ବେହେରା କୁଳନ୍ତିରା ଏବଂ ଚଣାହଟ୍ଟାର ୩ଟି ମହିଳା ମଣ୍ତଳଠାରୁ ଟଙ୍କା ଆଦାୟ କରି ଫେରୁଥିବା ସମୟରେ ଲୁଟ୍‌ର ଶିକାର ହୋଇଥିଲେ। ସେହିପରି ସପ୍ତାହକ ତଳେ ଖଣ୍ଡଗିରି ଥାନା ଅଧୀନ ବାହଦଲପୁର ହତ୍ୟା ଘଟଣା। ଅଭିଯୁକ୍ତ ବାପି ବନ୍ଧୁକ ଫୁଟାଇ ପପୁକୁ ହତ୍ୟା କରିବା ସହିତ ତାଙ୍କ ବାପା ଅଭିମନ୍ୟୁଙ୍କୁ ଗୁଳି ମାଡ଼ କରି ଗୁରୁତର ଭାବେ ଆହତ କରିଥିଲା। ବାଲିପାଟଣା ଥାନା ଅଧୀନରେ ଜଣେ ଠିକାଦାର ଲକ୍ଷ୍ମୀଧର ପାତ୍ରଙ୍କୁ ଫାଙ୍କା ଗୁଳି ଚାଳନା କରି ୧୮ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ସେହିପରି ବାଲିପାଟଣା ଛକ ଭଅଁରା କେନାଲ ରାସ୍ତାରେ ତ୍ରିଲୋଚନ ଜେନା, ଅକ୍ଷୟ କୁମାର ମହାନ୍ତି ଓ ରାଜ କିଶୋର ପାତ୍ରଙ୍କ ଝିଅଙ୍କଠାରୁ ବନ୍ଧୁକ ମୁନରେ ଲୁଟ୍‌ ହୋ‌ଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର