ବଜେଟ୍‌ ମତାମତ: ଟାର୍ଗେଟ୍‌ରେ ଗରିବ, ମଧ୍ୟବିତ୍ତ

ସଂସଦରେ ଆଗତ ହୋଇଥିବା ବଜେଟ୍‌ରେ ଶିକ୍ଷା, ସ୍ବାସ୍ଥ୍ୟ ଓ ନିଯୁକ୍ତି କ୍ଷେତ୍ରକୁ ଅଣଦେଖା କରାଯାଇଛି। ଉପସ୍ଥାପିତ ହୋଇଥିବା ବଜେଟ୍‌ ମଧ୍ୟବିତ୍ତ ପରିବାରକୁ ସୁହାଇଲା ଭଳି ହୋଇଛି। କୃଷି, ଗ୍ରାମୀଣ ବିକାଶ ଆଦିକୁ ବଜେଟ୍‌ରେ ପ୍ରାଧାନ୍ୟ ଦିଆଯାଇଛି। ଏକ ଲକ୍ଷ ଡିଜିଟାଲ୍ ଭିଲେଜ୍‌ ପ୍ରକ୍ରିୟାକରଣ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ସାଗର ମାଳା ଯୋଜନା ଅନ୍ତର୍ଭୁକ୍ତ ହାଇୱେର ବିକାଶ ନିଶ୍ଚିତ ରୂପେ ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବ। ଏହି ବଜେଟ୍‌ରେ ଗ୍ରାଚୁଇଟି ପରିମାଣ ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି, ଇପିଏଫ୍ ପରିମାଣ ୭ ହଜାରରୁ ୨୧ ହଜାରକୁ ବୃଦ୍ଧି, ଇଏସ୍ଆଇର ପରିମାଣ ୧୫ ହଜାରରୁ ୨୧ ହଜାରକୁ ବୃଦ୍ଧି ସ୍ବାଗତଯୋଗ୍ୟ।
ଶରତ କୁମାର କର, ଭୁବନେଶ୍ୱର
ଭୂମିହୀନ ଓ ଭାଗଚାଷୀଙ୍କ ପାଇଁ କିଛି ନାହିଁ
ବଜେଟ୍‌ରେ କ୍ଷୁଦ୍ର ତଥା ନାମମାତ୍ର ଚାଷୀମାନଙ୍କୁ ୬ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ ସ୍ବାଗତଯୋଗ୍ୟ। ହେଲେ ଏହାଦ୍ବାରା କୃଷି କ୍ଷେତ୍ରରେ ଦୀର୍ଘକାଳୀନ ବା ସ୍ଥାୟୀ ଉନ୍ନତି କେତେ ମାତ୍ରାରେ ହେବ ତାହା ସନ୍ଦେହଜନକ। ବରଂ ଏହା ପରିବର୍ତ୍ତେ ଶସ୍ୟର ସର୍ବନିମ୍ନ ସହାୟତା ମୂଲ୍ୟରେ ବୃଦ୍ଧି କରାଯାଇଥିଲେ କୃଷକମାନେ ବିଶେଷ ଭାବେ ଉପକୃତ ହୋଇଥାନ୍ତେ। ଭୂମିହୀନ, ଭାଗ ଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ। ବ୍ୟକ୍ତିଗତ ଆୟକର ଟିକସ ଛାଡ଼ ଫଳରେ ନିମ୍ନ ମଧ୍ୟବିତ୍ତ ଶ୍ରେଣୀ ବର୍ଗର ବ୍ୟକ୍ତିମାନେ ଉପକୃତ ହେବେ। ସର୍ବୋପରି ଦେଖିବାକୁ ଗଲେ ବଜେଟ୍‌ରେ ସବୁ ବର୍ଗର ବ୍ୟକ୍ତିମାନଙ୍କୁ ଖୁସି କରିବା ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ତାହା ଭବିଷ୍ୟ ପ୍ରଭାବୀ ନୁହେଁ। ବରଂ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ଭଳି ମନେ ହେଉଛି।
ଡ. ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ, ଅର୍ଥନୀତି ବିଭାଗ,
ରମାଦେବୀ ବିଶ୍ବବିଦ୍ୟାଳୟ
ଶିକ୍ଷା ପାଇଁ ନୈରାଶ୍ୟଜନକ ବଜେଟ୍‌
ବଜେଟ୍‌ରେ ସାଧାରଣତଃ ଶିକ୍ଷା କ୍ଷେତ୍ରର ପ୍ରାଧାନ୍ୟ ରହିବା କଥା। ମାତ୍ର କେନ୍ଦ୍ର ସରକାର ସବୁ ସମୟରେ ଶିକ୍ଷାକୁ ଅବହେଳା କରିବା ଏକ ପରମ୍ପରାରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି। ସମ୍ବିଧାନର ଧାରା ୨୧ ଏ(କ) ଅନୁସାରେ ସମସ୍ତଙ୍କୁ ନିଶ୍ଚିନ୍ତ ଶିକ୍ଷା ଓ ମାଗଣା ଶିକ୍ଷା ଯୋଗାଇ ଦେବା କଥା। ସବୁ କ୍ଷେତ୍ରରେ ମାଗଣା ସୁବିଧା ଦିଆଯାଉଥିବାରୁ ଶିକ୍ଷାକୁ ବି ମାଗଣା କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ବ। ଏଥିସହ ବେକାର ଯୁବକ ଯୁବତୀଙ୍କ ପାଇଁ ଭତ୍ତା ପ୍ରଦାନ କରାଯିବାର ଆବଶ୍ୟକତା ଥିଲା। ଯାହାକି ଏଥର ବଜେଟ୍‌ରେ ଦେଖିବାକୁ ମିଳିଲା ନାହିଁ। ଶିକ୍ଷା କ୍ଷେତ୍ର ପାଇଁ ଏହା ଏକ ନୈରାଶ୍ୟଜନକ ବଜେଟ୍‌।
ବାସୁଦେବ ଭଟ୍ଟ, ସଭାପତି, ଓଡ଼ିଶା ଅଭିଭାବକ ମହାସଂଘ
ଖୁଚୁରା ବ୍ୟବସାୟୀଙ୍କୁ ସୁହାଇଲା ଭଳି ବଜେଟ୍‌
କେନ୍ଦ୍ର ସରକାରଙ୍କ ଏହି ବଜେଟ୍‌ ଖୁଚୁରା ବ୍ୟବସାୟୀଙ୍କୁ ବେଶ୍ ସୁହାଇବ। ଆୟକର ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବାରୁ ଖୁଚୁରା ବେପାରୀମାନେ ବେଶ୍ ଲାଭବାନ ହେବେ। ବଡ଼ ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଖରାପ ପ୍ରଭାବ ପକାଇବ ନାହିଁ। ଚଳିତ ବଜେଟ୍‌ ପାଇଁ ବଜାର‌ରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ବୃଦ୍ଧି ଘଟିବା ଆଶଙ୍କା ନାହିଁ। ତେବେ କୃଷକମାନଙ୍କ ପାଇଁ ବଣ୍ଟାଯିବାକୁ ଥିବା ଟଙ୍କା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏହାଦ୍ବାରା ଗରିବ କୃଷକମାନଙ୍କର ଉନ୍ନତି ସାଧିତ ହେବ ନାହିଁ। ବରଂ ଏଭଳି ଯୋଜନା ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ।
-ଶକ୍ତିଶଙ୍କର ମିଶ୍ର, ଆଇନଜୀବୀ ତଥା ସମ୍ପାଦକ, କୁବେରପୁରୀ ବ୍ୟବସାୟୀ ସଂଘ
ମଧ୍ୟବିତ୍ତଙ୍କ ବଜେଟ୍‌
ଲୋକାଭିମୁଖୀ ବଜେଟ୍‌। ପୂର୍ବରୁ ଉପସ୍ଥାପିତ ହେଉଥିବା ବଜେଟ୍‌ରେ ଗରିବ ଓ ଧନୀ ବର୍ଗଙ୍କୁ ନେଇ ପ୍ରସ୍ତୁତ ହେଉଥିଲା। ଯେଉଁଥିପାଇଁ ବଜେଟକୁ ନେଇ ସବୁବେଳେ ଆକ୍ଷେପ କରାଯାଇଥାଏ। ହେଲେ ଏଥର ବଜେଟ୍‌ରେ ପ୍ରଥମ ଥର ପାଇଁ ମଧ୍ୟବିତ ପରିବାରକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି। କେନ୍ଦ୍ର ସରକାର ସକରାତ୍ମକ ପଦକ୍ଷେପ ନେଇଛନ୍ତି। ଏଭଳି ଐତିହାସିକ ବଜେଟ୍‌ ଦ୍ବାରା ୩ କୋଟିରୁ ଊର୍ଧ୍ବ ମଧ୍ୟବିତ୍ତ ପରିବାର ଉପକୃତ ହେବେ।
ଗିରିଜା ଶଙ୍କର ଜେନା, କଷ୍ଟ ଆକାଉଣ୍ଟାଣ୍ଟ
ବଜେଟ୍‌ରେ ବରିଷ୍ଠ ନାଗରିକଙ୍କ ପାଇଁ କିଛି ନାହିଁ
ଚଳିତ ବଜେଟ୍‌ରେ ବରିଷ୍ଠ ନାଗରିକଙ୍କ ପାଇଁ କିଛି ନାହିଁ। ଏବେ ୫ଲକ୍ଷ ଆୟ ପର୍ଯ୍ୟନ୍ତ ଆୟକର ଛାଡ଼ ହୋଇଥିଲେ ହେଁ ଏହାଦ୍ବାରା ୮୦ବର୍ଷରୁ ଅଧିକ ପେନସନ ଉପଭୋକ୍ତା ଉପକୃତ ହେବେ ନାହିଁ। କାରଣ ପୂର୍ବରୁ ଏମାନେ ଏହି ବର୍ଗରେ ଅଛନ୍ତି। ବର୍ତ୍ତମାନର ସୁବିଧା ଅନୁଯାୟୀ, ୬୦ରୁ ୮୦ବର୍ଷ ପର୍ଯ୍ୟନ୍ତ ବରିଷ୍ଠ ନାଗରିକ କିଛି ମାତ୍ରାରେ ଉପକୃତ ହେବେ। ସେହିପରି ପ୍ରଧାନମନ୍ତ୍ରୀ ‘ଶ୍ରମଯୋଗୀ ମାନ ଧନ ଯୋଜନା’ ଦ୍ବାରା ବରିଷ୍ଠ ନାଗରିକ ଉପକୃତ ହେବେ ବୋଲି କୁହାଯାଉଥିଲେ ହେଁ ଏହା ମିଛ। କାରଣ ଏହି ପେନସନ ଯୋଜନାରେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୬୦ବର୍ଷରୁ କମ୍‌ ବ୍ୟକ୍ତି ଉପକୃତ ହେବେ। ପୋଷ୍ଟ ଅଫିସ୍ ଓ ବ୍ୟାଙ୍କରେ ଟିଡିଏସ୍‌ ଛାଡ଼ ୧୦ରୁ ୪୦ହଜାର ପର୍ଯ୍ୟନ୍ତ ଜମା ଉପରେ ହେବ ବୋଲି କୁହାଯାଇଥିଲେ ହେଁ ଏବେ ବରିଷ୍ଠ ନାଗରିକଙ୍କ ପାଇଁ ଏହା ୫୦ହଜାର ଅଛି। ତେଣୁ ଚଳିତ ବଜେଟ୍‌ରେ ବରିଷ୍ଠ ନାଗରିକ ଉପକୃତ ହେବେ ‌ନାହିଁ।
-ସିଲଭର୍ ଏଜ୍‌ ଫାଉଣ୍ଡେସନ୍ ଫର୍ ଏଲ୍ଡରର୍ସ
ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ଅଣଦେଖା
୨୦୧୯-୨୦ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ୍‌ ଦେଶରେ ନୂଆ ଅର୍ଥନୈତିକ ସମ୍ଭାବନା ଆଣିବ। ଏହା ଏକ ଐତିହାସିକ ବଜେଟ୍‌। ନିମ୍ନ ଓ ମଧ୍ୟବିତ୍ତ ପରିବାରକୁ ସୁହାଇଲା ଭଳି ହୋଇଛି। ପ୍ରତିରକ୍ଷା କ୍ଷେତ୍ର ପାଇଁ ବଜେଟ୍‌ରେ ୩ ଲକ୍ଷ କୋଟି ଟଙ୍କା ରଖାଯାଇଛି। ଯାହାକି ଦେଶ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜଭୁତ କରିବ। ଚାଷୀଙ୍କ ପାଇଁ ଏକାଧିକ ପଦକ୍ଷେପ ନିଆଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଉଚ୍ଚତର ଶିକ୍ଷା ଓ ଗବେଷଣାକୁ ଅଣଦେଖା କରାଯାଇଛି।
ସମୃଦ୍ଧା ନାୟକ, ଏମ୍‌ଫିଲ୍‌ ଛାତ୍ରୀ
କୃଷକର ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ
କୃଷକମାନଙ୍କୁ ଦିଆ ଯାଉଥିବା ଆର୍ଥିକ ସହାୟତା କୃଷକର ଉତ୍ପାଦନ କ୍ଷମତା ବୃଦ୍ଧିରେ ସହାୟକ ହେବ। ଏହି ଅର୍ଥ ଠିକଣା ସମୟରେ ଚାଷୀଙ୍କୁ ସାର ବିହନ ଓ ଉପକରଣ କିଣିବା ପାଇଁ ବେଶ୍ ସାହାଯ୍ୟ କରିବ। ଫଳରେ ଏହାଦ୍ବାରା ଅମଳ ବୃଦ୍ଧି ପାଇବ। ଏଥିସହ କୃଷକଟିଏ ମହାଜନର ଶୋଷଣରୁ ଅନେକାଂଶରେ ମୁକ୍ତି ପାଇବ। ପର୍ଯ୍ୟାୟକ୍ରମେ ଆର୍ଥିକ ସହାୟତା ବଳରେ କୃଷକର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଆର୍ଥିକ ସହାୟତାକୁ ଠିକଣା ବାଟରେ ପରିଚାଳନା କଲେ, କୃଷକର ଭବିଷ୍ୟତ ପ‌ାଇଁ ବେଶ୍ କିଛି ହାତପାଣ୍ଠି ରହିବାର ସମ୍ଭାବନା ରହିଛି। ତେଣୁ ଏହା ଏକ ସୁଦୂରପ୍ରସାରୀ ଯୋଜନା।
-ତପନ କୁମାର ମହାପାତ୍ର, ଯୁବ ଚାଷୀ, ଯାଁଳା
ରାଜ୍ୟ ସରକାରଙ୍କୁ ଅନୁକରଣ କରାଯାଇଛି
ଚଳିତ ବଜେଟ୍‌ ଶ୍ରମିକ, ଚାଷୀ ଓ ମଧ୍ୟବିତ୍ତ ପରିବାରଙ୍କ ପାଇଁ ହୋଇଛି। ତେବେ କୃଷି ଓ ଚାଷୀଙ୍କ କ୍ଷେତ୍ରରେ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ଅନୁସରଣ କଲା ଭଳି ବଜେଟ୍‌ ଲାଗୁଛି। ରାଜ୍ୟ ସରକାର କିଛି ଦିନ ପୂର୍ବରୁ ‘କାଳିଆ’ ଯୋଜନା ଭଳି ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା କରି ଚର୍ଚ୍ଚାରେ ରହିଛନ୍ତି। କେନ୍ଦ୍ର ସରକାର ଏହାକୁ ଅନୁକରଣ କଲା ଭଳି ଚାଷୀଙ୍କ ପାଇଁ ଏକ ଏୗତିହାସିକ ବଜେଟ୍‌ ପ୍ରସ୍ତୁତ କରିଛନ୍ତି। ହେଲେ ବଜେଟ୍‌ରେ ମହିଳା ଓ ଶିଶୁଙ୍କ ପାଇଁ ସେଭଳି କିଛି ଆଖିଦୃଶିଆ ବ୍ୟବସ୍ଥା ହୋଇନି।
ଲୋରା ମହାପାତ୍ର, ସମାଜସେବୀ

ସମ୍ବନ୍ଧିତ ଖବର