ଭୁଶୁଡ଼ି ପଡ଼ିଲାଣି ଓପିଟିସିଏଲ୍ ପ୍ୟାନେଲ୍‌ ବୋର୍ଡ

ଭୁବନେଶ୍ବର : ରାଜଧାନୀରେ ଭୂତଳ କେବୁଲ୍‌ ବିଛାଉଛି ଓପିଟିସିଏଲ୍। ୯୦% କାମ ବି ଶେଷ ହେଲାଣି। କିନ୍ତୁ ଜନପଥରେ ଯେଉଁ ୧୦% କାମ ବାକି ଅଛି ତାହା ଏବେ ଓପିଟିସିଏଲ୍ ନିଦ ହଜାଇ ଦେଲାଣି। ଏବେ ରାମମନ୍ଦିର ଛକରୁ ବାଣୀବିହାର ପର୍ଯ୍ୟନ୍ତ ଭୂତଳ କେବୁଲ୍‌ ବିଛାଇବା କାର୍ଯ୍ୟ ଚାଲିଥିବା ବେଳେ ନିକଟରେ ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର ପର୍ଯ୍ୟନ୍ତ ଭୂତଳ କେବୁଲ୍‌ ବିଛା କାମ ସରିଛି। କିନ୍ତୁ ଏହି ରାସ୍ତାରେ ଏବେ ସ୍ମାର୍ଟ ଜନପଥ କାମ ଚାଲି ଥିବାରୁ ରାସ୍ତାକୁ ପୁଣି ଖୋଳା ଚାଲିଛି। ଏହି ରାସ୍ତା ଏମିତି ଖୋଳା ହେଉଛି ଯେ ରାସ୍ତାକଡ଼ରେ ଓପିଟିସିଏଲ୍‌ ପକ୍ଷରୁ ବସା ଯାଇଥିବା ପ୍ୟାନେଲ୍‌ ବୋର୍ଡ, ଟ୍ରାନ୍ସଫର୍ମର୍‌ ଏବେ ଗୋଟିକ ପରେ ଗୋଟିଏ ଖାଲକୁ ଗଳି ପଡ଼ୁଛି। ଆଉ କିଛି ଦିନେ ଦୁଇ ଦିନରେ ଗଳି ପଡ଼ିବା ସ୍ଥିତିରେ ଅଛି। ରାଜ୍ୟ ସରକାରଙ୍କ ଦୁଇଟି ସଂସ୍ଥା ରାଜଧାନୀରେ ଗୋଟିଏ ଅଞ୍ଚଳରେ କାମ କରୁଥିଲେ ହେଁ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ଏବେ ଓପିଟିସିଏଲ୍‌କୁ ପୁଣି ମୂଳରୁ କାମ କରିବାକୁ ପଡ଼ୁଛି।

ଏନେଇ ଓପିଟିସିଏଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସ୍ମାର୍ଟ ଜନପଥ କାମ ଯୋଗୁଁ ଆମେ ବସାଇଥିବା ବିଭିନ୍ନ ଯନ୍ତ୍ରାଂଶ, ଟ୍ରାନ୍ସଫର୍ମର ଆଦି ନିକଟରେ ରାସ୍ତା ପୁଣି ଖୋଳା ଯାଇଛି। ହେଲେ ବର୍ଷା ଯୋଗୁଁ ଆମ ଯନ୍ତ୍ରାଂଶ, ଟ୍ରାନ୍ସଫର୍ମର, ପ୍ୟାନେଲ୍‌ ବୋର୍ଡ ଆଦି ବାକ୍ସ ସହ ଭୁଶୁଡ଼ି ପଡ଼ିଛି। ଯଦି ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଆମକୁ ରାସ୍ତା ଖୋଳିବା ପୂର୍ବରୁ ଆଗୁଆ ଜଣାଇଥାନ୍ତେ, ହୁଏତ ଆମେ କିଛି ପ୍ରତିକାର ବ୍ୟବସ୍ଥା କରିଥାନ୍ତୁ। କିନ୍ତୁ ଆମକୁ କିଛି ନଜଣାଇ ରାସ୍ତା ଖୋଳି ଦେବାରୁ ଆମକୁ ପୁଣି ଭାଙ୍ଗି ଯାଇଥିବା ବୋର୍ଡଗୁଡ଼ିକୁ ମରାମତି କରିବାକୁ ପଡ଼ିବ। ଏବେ କିଛି ଟ୍ରାନ୍ସଫର୍ମର, ପ୍ୟାନେଲ୍ ବୋର୍ଡକୁ ଦଉଡ଼ି ବାନ୍ଧି ରଖାଯାଇଛି।

ସମ୍ବନ୍ଧିତ ଖବର