କେବେ ଉଦ୍‌ଘାଟିତ ହେବ ଅର୍କିଡ୍ ହାଉସ୍?

ତାଲିମ୍ କେନ୍ଦ୍ରରେ ତିଆରି ଚାଲିଛି ଜୈବିକ ଖତ, ଚାଲୁନି ମ୍ୟୁଜିକାଲ ଫାଉଣ୍ଟେନ୍

ଭୁବନେଶ୍ବର: ୪ବର୍ଷ ତଳେ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରରେ ଅର୍କିଡ୍ ହାଉସ୍ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ବ‌େର୍ଷ ହେବ ଗୃହ ନିର୍ମାଣ କାମ ସରିଛି। ହେଲେ ଏଯାଏ ଏହା ଭିତରେ ଗୋଟିଏ ହେଲେ ଅର୍କିଡ୍ ଫୁଲ ଦେଖିବାକୁ ମିଳୁନି। ବିଭିନ୍ନ ପ୍ରଜାତିର ଅର୍କିଡ୍ ଫୁଲ ଲଗାଯିବାକୁ ଟେଣ୍ଡର ଆହ୍ବାନ କରାଯାଇଛି। ହେଲେ କେହି ଏ ପର୍ଯ୍ୟନ୍ତ ଆବେଦନ କରି ନାହାନ୍ତି। ଏକାମ୍ରକାନନ ପରିସରରେ ରହିଛି ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର। ଏଠାରେ ବିଭିନ୍ନ ଉଦ୍ଭିଦ ଉପରେ ଗବେଷଣା କରାଯାଇଥାଏ। ଦେ‌ଶରେ ଯେତେ ପ୍ରକାରର ଅର୍କିଡ୍ ଫୁଲ ରହିଛି ତାହାକୁ ଗୋଟିଏ ଘର ଭିତରେ ରଖିବା ପାଇଁ ୨୦୧୪ ମସିହାରେ ନିଷ୍ପତ୍ତି ହୋଇଥିଲା। ୧୫୦୦ ବର୍ଗଫୁଟର କାଚ ଘରେ ପ୍ରାୟ ୪ଶହ ପ୍ରକାରର ଅର୍କିଡ୍ ଫୁଲକୁ ଲୋକମାନେ ଦେଖିବାର ସୁଯୋଗ ପାଇବେ। ଏଥିରେ ଗ୍ରୀଷ୍ମ ଓ ବର୍ଷା ଋତୁରେ ଫୁଟୁଥିବା ଅର୍କିଡ୍ ସହିତ ଭୂଇଁ ଓ ଡାଳରେ ଫୁଟୁଥିବା ଅର୍କିଡ୍ ଶୋଭା ପାଇବ। ଇଡ୍‌କୋ ପକ୍ଷରୁ ଗୃହ ନିର୍ମାଣ କାର୍ଯ୍ୟ‌ ଶେଷ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ଏହାର ଉଦ୍‌ଘାଟନ ହୋଇପାରି ନାହିଁ। ଏହା ଭିତରେ ଛାତ୍ରଛାତ୍ରୀ ଓ ପର୍ଯ୍ୟଟକଙ୍କୁ ଅର୍କିଡ୍‌ ଉପରେ ଶିକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ମାତ୍ର କତୃର୍ପକ୍ଷଙ୍କ ଅବହେଳା ଯୋଗୁଁ ତାହା ମଧ୍ୟ ସଂପୂର୍ଣ୍ଣ ହୋଇ ପାରିନାହିଁ। ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଭିତରେ ବିଭିନ୍ନ ପ୍ରକାର ଟିସୁ କଲ୍‌ଚର ଓ ଉଦ୍ଭିଦ ବିଜ୍ଞାନ ଉପରେ ଗବେଷଣା କରାଯାଇଥାଏ। ରାଜ୍ୟ ତଥା ରାଜ୍ୟ ବାହାରୁ ଛାତ୍ରଛାତ୍ରୀ ଏଠାକୁ ଆସିଥାନ୍ତି। ଏଥିପାଇଁ ଉଦ୍ଭିଦ କେନ୍ଦ୍ର ଭିତରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜନଜାତିଙ୍କ ତାଲିମ୍ ପାଇଁ ଏକ ତାଲିମ କେନ୍ଦ୍ର ଖୋଲା ଯାଇଥିଲା। ୧୯୯୯ ମହାବାତ୍ୟା ପରଠାରୁ ଏହି ତାଲିମ୍ କେନ୍ଦ୍ର ସହିତ ତାଲିମ୍ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ହୋଇଯାଇଛି। ଦଶଟି ଘର ବିଶିଷ୍ଟ ଏହି ତାଲିମ କେନ୍ଦ୍ରରେ ଏବେ ଜୈବିକ ଖତ ତିଆରି ହେଉଛି ଓ ଏହାକୁ ପ୍ୟାକେଟିଂ ମଧ୍ୟ କରାଯାଉଛି। ଅପରପକ୍ଷରେ ଜୈବିକ ଖତ ତିଆରି କରାଯିବା ପାଇଁ ୬ଟି ଘର ମଧ୍ୟ ତିଆରି ହୋଇଛି। ସେଥିରୁ ତିନୋଟି ଘରେ ଜୈବିକ ଖତ ତିଆରି କରାଯାଉଥିବା ବେଳେ ଅନ୍ୟ ତିନୋଟି ଘର ଭାଙ୍ଗିବାକୁ ବସିଲାଣି। ଦିନକୁ ଶହଶହ ପର୍ଯ୍ୟଟକ ଏକାମ୍ରକାନନକୁ ବୁଲିବା ପାଇଁ ଆସୁଛନ୍ତି। ଏହାକୁ ନଜରରେ ରଖି ସେଠାରେ ଏକ ଫୁଡ୍‌ କୋର୍ଟ ମଧ୍ୟ ତିଆରି କରାଯାଇଥିଲା। ଘର ତିଆରି ହୋଇଛି ହେଲେ ତାହା ଚାଲୁନାହିଁ। ସେହିପରି ଏହି କେନ୍ଦ୍ର ଭିତରେ ଏକ ଗୋଲାପ ବଗିଚା ମଧ୍ୟରେ ଏକ ମ୍ୟୁଜିକାଲ ଫାଉଣ୍ଟେନ୍‌ ତିଆରି କରାଯାଇଥିଲା, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଥିଲା। ପ୍ରାୟ ୮ ବର୍ଷ ହେଲାଣି, ନା ଏଥିରୁ ପାଣି ବାହାରୁଛି ନା ଧୂନ୍। ପାଣି ରହି ଫାଉଣ୍ଟେନ୍ ଭିତରେ ପଙ୍କ ଭରିଗଲାଣି।
ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ନିର୍ଦେଶିକା ରେବିକା ନାୟର କହିଛନ୍ତି, ଅର୍କିଡ୍ ହାଉସ୍‌ର ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଟଙ୍କା ଖର୍ଚ ହୋଇଛି। ଏଠାରେ କେବଳ ଅର୍କିଡ୍ ଫୁଲ ଶୋଭା ପାଇବାର ବ୍ୟବସ୍ଥା ରହିଥିବା ବେଳେ ଫୁଲ ଲଗାଇବା ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ପ୍ରାୟ ୪ଶହ ପ୍ରଜାତିର ଅର୍କିଡ୍ ଫୁଲର ପ୍ରଦର୍ଶନ କରାଯିବ। ଆସନ୍ତାବର୍ଷ ଜାନୁଆରିରେ ଏହାର ଉଦ୍‌ଘାଟନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି ଟ୍ରେନିଂ ସେଣ୍ଟରକୁ ନୂଆ କରି ତିଆରି କରାଯିବ। ଯାହାର ସମସ୍ତ ଦାୟିତ୍ବ ବିଏସ୍‌ଏନ୍‌ଏଲ୍ ବହନ କରିବ। ୧୦ ବଖରା ବିଶିଷ୍ଟ ଘର ମଧ୍ୟରୁ ୫ ବଖରାରେ ବ୍ୟାଖ୍ୟାନ କେନ୍ଦ୍ର, ପରିବେଶ ବିଜ୍ଞାନ ଉପରେ ତାଲିମ୍ ଦିଆଯିବ। ଅନ୍ୟ ୫ ବଖରାରେ ବୃକ୍ଷ ଓ ବୃକ୍ଷ ଭିତ୍ତିକ ବସ୍ତୁ ଓ ସହଜରେ ମାଟିରେ ମିଶି ପାରୁଥିବା ପ୍ଲାଷ୍ଟିକ୍‌ର ସଂଗ୍ରହାଳୟ ହେବ। ଅବ୍ୟବହୃତ ହୋଇ ରହିଥିବା ୩ଟି ଘରେ ଜୈବିକ ଖତ ତିଆରି କରାଯିବା ସହ ବୃକ୍ଷ ଚାରା ଉତ୍ପାଦନ କରାଯିବ। ଫୁଡ୍‌କୋର୍ଟ ଓ ୱାଟର ଫାଉଣ୍ଟେନ୍‌କୁ ପୁର୍ନବାର ଏହାର ନବୀକରଣ କରାଯିବ ବୋଲି ଶ୍ରୀମତୀ ନାୟର କହିଛନ୍ତି।

ସମ୍ବନ୍ଧିତ ଖବର