ହକି ବିଶ୍ୱକପ୍‌ ରହଣି ପ୍ରସ୍ତୁତି: ଓଟିଡିସି ଓ ‘ଓୟୋ’ ମଧ୍ୟରେ ଏମ୍‌ଓୟୁ 

ଭୁବନେଶ୍ୱର: ହକି ବିଶ୍ୱକପ୍‌ ବେଳେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ରହଣିକୁ ଦୃଷ୍ଟିରେ ରଖି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)  ଅନ୍‌ଲାଇନ୍‌ ଟ୍ରାଭେଲ୍‌ ଏଜେଣ୍ଟ୍‌ ତଥା ରୁମ୍‌ ଯୋଗାଉଥିବା ‘ଓୟୋ’ ସହ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିଛି। ଚୁକ୍ତି ମୁତାବକ ଓୟୋ ତା ଅଧୀନରେ ଓଡ଼ିଶାରେ ଥିବା ସମସ୍ତ  ହୋଟେଲ୍‌ ଓ ହୋମ୍‌ ଷ୍ଟେ’ର ତାଲିକା ପ୍ରସ୍ତୁତ କରି ବିଶ୍ୱକପ୍‌ ସମୟରେ ଦର୍ଶକଙ୍କ ରହଣି ପାଇଁ ମହଜୁଦ ରଖିବେ। ଓୟୋ ପକ୍ଷରୁ ଓଡ଼ିଶାରେ ରହଣି ପାଇଁ ଉପଲବ୍ଧ ଥିବା ସମସ୍ତ ରହଣି ସୁବିଧା ବାବଦରେ ଓଟିଡିସିର େଓ୍ଵବ୍‌ସାଇଟ୍‌ରେ ପ୍ରଚାର ପ୍ରସାର କରାଯିବ। ଓୟୋ ପକ୍ଷରୁ ମଧ୍ୟ ବିଶ୍ୱକପ୍‌ ସମୟରେ ସହରର ପ୍ରମୁଖ ସ୍ଥାନ ଏୟାରପୋର୍ଟ, ରେଳ ଷ୍ଟେସନ୍‌ ଓ ବସ୍‌ ଟର୍ମିନାଲ୍‌ରେ ‘ହେଲ୍ପ ଡେସ୍କ୍‌’ ରହିବ। ପର୍ଯ୍ୟଟକଙ୍କୁ ଓୟୋର ହୋମ୍‌ ଷ୍ଟେ ବାବଦରେ ସୂଚନା ଦେବାରେ ଏହା ସହଯୋଗ କରିବ। ଏଥିସହ ରୁମ୍‌ ବୁକିଂ ପାଇଁ ଏକ ସ୍ୱତନ୍ତ୍ର ଫୋନ୍‌ ଲାଇନ୍‌ ମଧ୍ୟ ରଖାଯିବ। ତେବେ କେବଳ ଓୟୋ ନୁହେଁ, ବିଶ୍ୱକପ୍‌ ସମୟରେ ଅନ୍ୟ ଆଗ୍ରହୀ ଅନ୍‌ଲାଇନ୍‌ ଟ୍ରାଭେଲ୍‌ ଏଜେଣ୍ଟ୍‌ଙ୍କ ସହ ମିଳିତ ଭାବେ ରହିବାର ବନ୍ଦୋବସ୍ତ କରାଯିବ ବୋଲି ପର୍ଯ୍ୟଟନ ଓ କ୍ରୀଡ଼ା ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି। ଶ୍ରୀ ଦେବ କହିଲେ, ଆଗକୁ ବିଶ୍ୱକପ୍‌ ଥିବାରୁ ଯେମିତି ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବ ତାହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଓୟୋର ସିଇଓ ରିତେଶ ଅଗ୍ରଓ୍ଵାଲ୍‌ କହିଛନ୍ତି ଯେ, ଭୁବନେଶ୍ୱରରେ ହକି ବିଶ୍ୱକପ୍‌ ଆୟୋଜନ ହେଉଥିବା ବେଳେ ଆମେ ଓଟିଡିସି ସହ ଯୋଡ଼ି ହୋଇ ରହଣି ସେବା ଯୋଗାଇ ଦେବା ପାଇଁ ସ୍ୱାକ୍ଷର କରି ଉନ୍ନତ ସେବା ଯୋଗାଇ ଦେବାକୁ ସଂକଳ୍ପବଦ୍ଧ। ସଂପ୍ରତି ୧୬୦ଟି ଓୟୋ ହୋଟେଲ୍‌ ଚେନ୍‌ ସହ ୧୬୦୦ ରୁମ୍‌ ଉପଲବ୍ଧ ରହିଛି। ଆମେ ମଧ୍ୟ କିଭଳି ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ଓ ସୁନ୍ଦର ରହଣି ସେବା ଯୋଗାଇ ପାରିବୁ, ସେ ଦିଗରେ ଯଥେଷ୍ଟ ଗୁରୁତ୍ୱ ଦେବୁ। ଉତ୍ସାହୀ କ୍ରୀଡ଼ାପ୍ରେମୀ ପର୍ଯ୍ୟଟକ ଯେପରି ଓଡ଼ିଶାରେ ରହଣି ସମୟରେ କୌଣସି ବି ସମସ୍ୟାର ସାମ୍ନା ନ କରିବେ, ସେ ବାବଦରେ ଆମେ ସଚେତନ ରହିବୁ ବୋଲି ଶ୍ରୀ ଅଗ୍ରଓ୍ଵାଲ କହିଛନ୍ତି।

ସମ୍ବନ୍ଧିତ ଖବର