ପହଞ୍ଚିଲେ ବାହାର ରାଜ୍ୟର ନୃତ୍ୟ ଦଳ

ଭୁବନେଶ୍ବର : ହକି ବିଶ୍ବକପ୍ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ୍‌ଡଉନ୍‌। ୨୭ ତାରିଖରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି ବାହାର ରାଜ୍ୟର ୬ଟି ନୃତ୍ୟ ଦଳ। ଏଥିସହ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୪ଟି ନୃତ୍ୟ ଦଳ ମଧ୍ୟ ସାମିଲ ହୋଇଛନ୍ତି। ସେମାନେ ଆଜିଠାରୁ କଳିଙ୍ଗ ଷ୍ଟାଡିୟମ୍‌ରେ ନୃତ୍ୟ ଅଭ୍ୟାସ କରିଛନ୍ତି। ଗତ ସପ୍ତାହେ ହେଲା ଷ୍ଟାଡିୟମ୍‌ର ୯ ନମ୍ବର ଗେଟ୍ ପାଖରେ ଥିବା ଖୋଲାପଡ଼ିଆରେ ‘କିସ୍’ ବିଦ୍ୟାଳୟର ସଂସ୍କୃତି ବିଭାଗ କଳାକାର ନୃତ୍ୟ ଅଭ୍ୟାସ କରୁଥିବା ବେଳେ ଆଜି ଆସାମ, ମଣିପୁର, ରାଜ୍ୟସ୍ଥାନ, ମହାରାଷ୍ଟ୍ର ଓ ଦିଲ୍ଲୀର ପାରମ୍ପରିକ ନୃତ୍ୟ ଦଳ ପହଞ୍ଚିଛନ୍ତି। ଓଡ଼ିଶାର ଛଉ, ଡଙ୍ଗରିଆ କନ୍ଧ, ଜଙ୍ଗଲି ଠେଙ୍ଗା ନୃତ୍ୟ ଦଳ ମଧ୍ୟ ଷ୍ଟାଡିୟମରେ ନୃତ୍ୟ ଅଭ୍ୟାସ କରିଛନ୍ତି। ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ କଳାକାରମାନେ ଖୋଲା ପଡ଼ିଆରେ ନୃତ୍ୟ ଅଭ୍ୟାସ କରିଥିବା ବେଳେ ଆଗାମୀ ଦିନରେ ନିଜର ଅଭ୍ୟାସ ଜାରି ରଖିବେ ବୋଲି ସେମାନଙ୍କ କୋରିଓଗ୍ରାଫରମାନେ କହିଛନ୍ତି।
ଉଦ୍‌ଘାଟନୀ ଉତ୍ସବରେ ବଲିଉଡ଼୍ ଅଭିନେତ୍ରୀ ମାଧୁରୀ ଆକର୍ଷଣ ସାଜିବେ। ତାଙ୍କ ସହ ‘କିସ୍’ର କଳାକାରମାନେ ପଞ୍ଚ ଭୂତ(ପାଣି, ପବନ, ଅଗ୍ନୀ, ଭୂମି ଓ ଆକାଶ)ର ନୃତ୍ୟ କରିବେ। ଯାହାକୁ ନେଇ ଷ୍ଟାଡିୟମ୍‌ରେ ସ୍ବତନ୍ତ୍ର ପ୍ରସ୍ତୁତି ଚାଲିଛି। ପୋଷାକ ବି ତିଆରି ହେଉଛି। କାର୍ଯ୍ୟକ୍ରମର ଆରମ୍ଭରେ ଓଡ଼ିଶାର ପ୍ରାକୃତିକ ସବୁଜିମା ଝଲକ ଦେଖିବାକୁ ମଳିବ। ପଶୁ ପକ୍ଷୀ ଓ ପ୍ରଜାପତି ବେଶରେ କଳକାରମାନେ ମନୋହର ନୃତ୍ୟ କରିବେ। ମାଧୁରୀଙ୍କ ସହ ମୁମ୍ବାଇର ଏକ ଶହେ ଜଣିଆ ନୃତ୍ୟ ଦଳ ଯୋଗ‌େଦେବେ। ଘୁମୁରା ଓ ଓଡ଼ିଶୀ ନୃ୍ତ୍ୟ ଦଳ ଦର୍ଶକଙ୍କୁ ଓଡ଼ିଶାର ପାରମ୍ପରାକୁ ପ୍ରଦର୍ଶନ କରିବେ। ୩ ହଜାରରୁ ଅଧିକ କଳାକାର ଉଦ୍‌ଘାଟନୀ ଉତ୍ସବରେ ଏକକାଳୀନ ନୃତ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର