ବିକାଶ ଧାରାରେ ଓୟୁଏଟିର ଅବଦାନ ଅତୁଳନୀୟ

୫ ପ୍ରକଳ୍ପ ଉଦ୍‌ଘାଟିତ, ୧୦ର ଶିଳାନ୍ୟାସ

ଖଣ୍ଡଗିରି : କୃଷି ଓ କୃଷକର ପ୍ରଗତିରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର (ଓୟୁଏଟି)ର ଅବଦାନ ଅତୁଳନୀୟ। ଆଗକୁ ଏହି ବିଶ୍ୱବିଦ୍ୟାଳୟକୁ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ତୋଳିବା ସହ ରାଜ୍ୟ କୃଷିର ବିକାଶ ଧାରାକୁ ବଜାୟ ରଖିବା ପାଇଁ ନିରନ୍ତର ଉଦ୍ୟମ ଜାରି ରହୁ। ରବିବାର ଓୟୁଏଟିର ଭିତ୍ତିଭୂମି ସଦୃଢ଼ୀକରଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ଓୟୁଏଟି ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୫ଟି ନୂତନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବା ସହ ୧୦ଟି ପ୍ରଳ୍ପପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଉଦ୍‌ଘାଟିତ ପ୍ରକଳ୍ପଗୁଡ଼ିକ ହେଲା, ଭୁବନେଶ୍ୱର କୃଷି ମହାବିଦ୍ୟାଳୟର ଆଦର୍ଶ ପରୀକ୍ଷା କକ୍ଷ, ଓୟୁଏଟିର କମଳା ପୂଜାରୀ ଛାତ୍ରୀନିବାସ, ଭବାନୀପାଟଣା କୃଷି ମହାବିଦ୍ୟାଳୟର ଛାତ୍ରାବାସ ଓ ଛାତ୍ରୀ ନିବାସ ଏବଂ ଭଦ୍ରକ କୃଷି ବିଜ୍ଞାନ କେନ୍ଦ୍ରର ବିହନ ପ୍ରକ୍ରିୟାକରଣ ଓ ସାଇତା କେନ୍ଦ୍ର। ସେହିଭଳି ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ ହେଲା ଚିପିଲିମା କୃଷି ମହାବିଦ୍ୟାଳୟର ଗବେଷଣାଗାର ସମୂହ ଓ ଅଧ୍ୟାପନା ପ୍ରକୋଷ୍ଠ ସମୂହ, ବରଗଡ଼ ଓ ଦେବଗଡ଼ର କୃଷି ବିଜ୍ଞାନ କେନ୍ଦ୍ରର ବିହନ ପ୍ରକ୍ରିୟା କରଣ ଓ ସାଇତା କେନ୍ଦ୍ର, ବ୍ରହ୍ମପୁର ଡାଲି ଜାତୀୟ ଫସଲ ଗବେଷଣା କେନ୍ଦ୍ରର ବିହନ ପ୍ରକିୟା କରଣ ଓ ସାଇତା କେନ୍ଦ୍ର, ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଗବେଷଣାଗାର ସମୂହ, ଭୁବନେଶ୍ୱର କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ଉପଗ୍ରହ ଆଧାରିତ ଜ୍ଞାନକୌଶଳ କେନ୍ଦ୍ର, ଉଚ୍ଚସ୍ତରୀୟ ଯନ୍ତ୍ରପାତି କର୍ମଶାଳା, ତାଲିମ କେନ୍ଦ୍ର ଓ ମୌଳିକ କଳା ଓ ବିଜ୍ଞାନ ମହାବିଦ୍ୟାଳୟର ଅତ୍ୟାଧୁନିକ ଶ୍ରେଣୀଗୃହ। ଏହି ଅବସରରେ ଅତିଥିଭାବେ ରାଜ୍ୟ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ, ଭାରତୀୟ କୃଷି ଗବେଷଣା ପରିଷଦର ଉପମହାନିର୍ଦେଶକ ଡ. ନରେନ୍ଦ୍ର ସିଂ ରାଠେରା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର