ହାଇକୋର୍ଟରେ ଓୟୁଏଟି କୁଳପତି ଓ କୁଳସଚିବ ବ୍ୟକ୍ତିଗତ ହାଜର

କଟକ: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର କନିଷ୍ଠ ବୈଜ୍ଞାନିକ ସୁଶାନ୍ତ କୁମାର ମହାନ୍ତିଙ୍କ ବକେୟା ପ୍ରାପ୍ୟ ପ୍ରଦାନ ସଂପର୍କିତ ମାମଲାର ଶୁଣାଣି ସମୟରେ ହାଇକୋର୍ଟରେ ଓୟୁଏଟି କୁଳପତି ଓ କୁଳସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି। ଜଷ୍ଟିସ ଡକ୍ଟର ବି. ଆର. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ କୁଳପତି ପ୍ରଫେସର ଏସ୍. ପଟ୍ଟନାୟକ ଓ କୁଳସଚିବ ସୁଷମାରାଣୀ ଦେବୀ ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ ଦାଖଲ କରିଥିଲେ। ଆବେଦନକାରୀଙ୍କ ଚାକିରି ନିୟମିତ କରାଯିବା ସହିତ ପ୍ରାପ୍ୟ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଦର୍ଶାଯାଇଥିଲା। ସେପଟେ ଖଣ୍ଡପୀଠ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇବା ସହିତ ୩ ମାସ ଭିତରେ ଆବେଦନକାରୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ହରମୋହନ ଧଳ ମାମଲା ପରିଚାଳନା କରୁଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ ପ୍ରସଂଗରେ ଜବାବ ରଖିବା ପାଇଁ ଓୟୁଏଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏଥିରେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଏପ୍ରିଲ ୧୬ରେ ମାମଲାର ଶୁଣାଣି କରି ହାଇକୋର୍ଟ ୨୫ ତାରିଖ ଦିନ ଓୟୁଏଟି କୁଳପତି ଓ କୁଳସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ, ୧୯୯୧ ଏପ୍ରିଲ ୧୨ରେ ଆବେଦନକାରୀ ଓୟୁଏଟିରେ ପୋଷ୍ଟ ଗ୍ରାଜୁଏଟ ରିସର୍ଚ୍ଚ ଫେଲୋ(ପିଜିଆରଏଫ) ଭାବେ ନିଯୁକ୍ତି ପାଇଥିଲେ। ତେବେ ଆବେଦନକାରୀଙ୍କୁ ଚାକିରି କ୍ଷେତ୍ରରେ ୨୦୦୯ ଫେବ୍ରୁଆରିରେ ନିୟମିତ କରାଯାଇଥିଲା। ଆବେଦନକାରୀଙ୍କ ଚାକିରି କାଳ ୧୯୯୧, ଏପ୍ରିଲ ୧୨ରୁ ଗଣନା କରାଯାଇନଥିଲା। ଫଳରେ ଆବେଦନକାରୀ ବରିଷ୍ଠତା ହରାଇବା ସହ ଚାକିରି ସମୟରେ ପାଇବାକୁ ଥିବା ସମସ୍ତ ପ୍ରାପ୍ୟରୁ ବଞ୍ଚିତ ହୋଇଥିଲେ। ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ୧୯୯୧ର ନିଯୁକ୍ତି ଦିନଠାରୁ ତାଙ୍କ ଚାକିରି କାଳକୁ ଗଣନା କରାଯାଇ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦିଆଯାଉ ବୋଲି ଦର୍ଶାଇଥିଲେ। ୨୦୧୫ ଡିସେମ୍ବର ୧୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ଚାକିରିରେ ଯୋଗ ଦେବା ଦିନଠାରୁ ୧୯୯୧ରୁ ଆବେଦନକାରୀଙ୍କ ଚାକରି ନୟମିତ କରିବା ସହିତ ସମସ୍ତ ବାକେୟା ପ୍ରାପ୍ୟ ପ୍ରଦାନ ଲାଗି ନିର୍ଦେଶ ଦେଇଥିଲେ। ଏହାପରେ ଆବେଦନକାରୀଙ୍କ ଚାକିରି ନିୟମିତ କରାଯାଇଥିବା ବେଳେ ବକେୟା ପ୍ରାପ୍ୟ କିନ୍ତୁ ଓୟୁଏଟି ପକ୍ଷରୁ ପ୍ରଦାନ କରାଯାଇ ନଥିଲା। ଏହାପରେ ବକେୟା ପ୍ରାପ୍ୟ ପ୍ରସଂଗକୁ ନେଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର