୯ ଦିନରେ ଓୟୁଏଟି ଅସ୍ଥାୟୀ କର୍ମଚାରୀଙ୍କ ଧାରଣା

ଜାରି ରହିବ କାର୍ଯ୍ୟବନ୍ଦ ଆନ୍ଦୋଳନ

ଖଣ୍ଡଗିରି: ମେ’ ୨୯ ତାରିଖରୁ ଆଜି ପର୍ଯ୍ୟନ୍ତ ୯ ଦିନ ଧରି ବିଭିନ୍ନ ଦାବି ନେଇ ଓୟୁଏଟି ଅସ୍ଥାୟୀ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି। ଆଗକୁ ଏହା ଜୋର୍‌ଦାର କରାଯିବ। କର୍ତ୍ତୃପକ୍ଷ କର୍ମଚାରୀମାନଙ୍କ ଦାବି ଶୁଣୁନଥିବାରୁ କର୍ମଚାରୀ ସଂଘ ଏହି ନିଷ୍ପତ୍ତି ନେଇଛି। ଆଜି ଧାରଣାସ୍ଥଳରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଓୟୁଏଟି ଓ୍ଵାର୍କରସ୍‌ ୟୁନିଅନ୍‌ର ଅଭିଯୋଗ ଅନୁସାରେ ଓୟୁଏଟିରେ ପ୍ରାୟ ୫ଶହ ଅସ୍ଥାୟୀ ଶ୍ରମିକ କାମ କରୁଛନ୍ତି। ବିଭିନ୍ନ ସ୍କିମ୍‌ ସମେତ ସମସ୍ତ କାର୍ଯ୍ୟାଳୟ ଓ ବିଶେଷକରି ବିଭିନ୍ନ ଗବେଷଣାଗାରରେ ଏଭଳି କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ଓୟୁଏଟିର ଗବେଷଣାଗତ ସମସ୍ତ ସଫଳତା ପଛରେ ଏହି ଅସ୍ଥାୟୀ କର୍ମଚାରୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ନିହିତ ରହିଛି। ମାତ୍ର ପରିତାପର କଥା ସେମାନେ ଦୀର୍ଘ ବର୍ଷ ଧରି ଗୋତି ଶ୍ରମିକ ଭାବେ ଖଟୁଛନ୍ତି। ଶ୍ରମ ଆଇନକୁ ଫାଙ୍କି ଓୟୁଏଟି କର୍ତୃପକ୍ଷ ସେମାନଙ୍କୁ ସର୍ବନିମ୍ନ ମଜୁରିଠାରୁ କମ୍‌ରେ ଖଟାଇ ଆସୁଛନ୍ତି। କୌଣସି ପ୍ରକାର ଛୁଟି ନାହିଁ କି ଶ୍ରମିକମାନଙ୍କ ପାଇଁ ପ୍ରୋଭିଡେଣ୍ଟ ସୁବିଧା ଉପଲବ୍‌ଧ ହେଉନାହିଁ। ଏମିତିକି ଶ୍ରମିକମାନଙ୍କ ପାଇଁ ଆଇନ ଅନୁସାରେ ଥିବା ବୀମା ସୁବିଧା ମଧ୍ୟ କରାଯାଉନାହିଁ। ମହିଳା କର୍ମଚାରୀମାନଙ୍କୁ ପ୍ରସୂତିକାଳୀନ ଛୁଟି ଦିଆଯାଉନଥିବାରୁ ସେମାନେ ଗର୍ଭବତୀ ଅବସ୍ଥାରେ ମଧ୍ୟ ଖଟିବାକୁ ବାଧ୍ୟ ହେଉଛନ୍ତି। ଚାକିରିର ସ୍ଥାୟୀତ୍ୱ ନଥିବାରୁ ବହୁ ସମୟରେ ସେମାନଙ୍କୁ ମନଇଚ୍ଛା ଛଟେଇ କରାଯାଉଛି। ଏହି ଶ୍ରମିକମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ରାଜ୍ୟ ଶ୍ରମ ବିଭାଗ, କର୍ମଚାରୀ ବୀମା ନିର୍ଦେଶକ ଓ ପ୍ରୋଭିଡେଣ୍ଟ କମିସନରଙ୍କ ନିର୍ଦେଶକୁ ବେଖାତିର କରାଯାଉଛି। ଏ ନେଇ ପୂର୍ବରୁ ବାରମ୍ବାର କୁଳପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ନିର୍ଦେଶ ମିଳିଥିଲେ ମଧ୍ୟ ସରକାର ନରିବଦ୍ରଷ୍ଟା ସାଜିଛନ୍ତି। ତେଣୁ ବାଧ୍ୟ ହୋଇ ଅସ୍ଥାୟୀ କର୍ମଚାରୀ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି ଓ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ ସଭାପତି ନବକିଶୋର ମହାନ୍ତି, ସମ୍ପାଦକ ସତ୍ୟନାରାୟଣ ନାୟକ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର