ଯାତ୍ରୀବାହୀ ଯାନରେ ଯାତନା, ପରିବହନ ବିଭାଗ କେବେ ଚେତିବ

ଭୁବନେଶ୍ବର : ମୋ ବସ୍‌ ହେଉ କି କୌଣସି ଯାତ୍ରୀବାହୀ ବସ୍। ଯେଉଁଥିରେ ୩୮ଟି ସିଟ୍‌ ଅଛି ସେଥିରେ ସବୁ ସିଟ୍‌ ପୂରଣ ହୋଇଯାଇଥିଲେ ଆଉ ୧୩ଜଣ ଛିଡ଼ା ହୋଇ ଯାତାୟାତ କରିପାରିବେ। ବସ୍‌ରେ ଯେତିକି ସିଟ୍‌ ଥିବ ତା’ର ଏକ ତୃତୀୟାଂଶ ଯାତ୍ରୀ ଛିଡ଼ା ହୋଇ ଯାଇପାରିବେ। ଛୋଟ ଅଟୋରେ ଚାଳକଙ୍କୁ ଛାଡ଼ି ତିନି ଜଣ ବସିବେ, ବଡ଼ ଅଟୋରେ ୪ଜଣ ବସି‌ବେ। ଏହିଭଳ ନିୟମ ମୋଟର ଯାନ ଆଇନରେ ଅଛି। ହେଲେ ପରିବହନ ବିଭାଗର ଅପାରଗତାର ଫାଇଦା ନେଇ ଏବେ ଅଟୋରୁ ଆରମ୍ଭ କରି ବସ୍‌ ପର୍ଯ୍ୟନ୍ତ ସବୁଥିରେ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଖୋଦ୍‌ ରାଜଧାନୀରେ ଏହି ସ୍ଥିତି ଥିଲେ ହେଁ କାହାର ଏଥିପ୍ରତି ନଜର ନାହିଁ।

ଯାତ୍ରୀବାହୀ ବସ୍‌ଗୁଡ଼ିକ ଦିଆସିଲ ପ୍ୟାକେଟ୍‌ରେ କାଠି ରହିବା ଭଳି ଖୁନ୍ଦିଖାନ୍ଦି ଲୋକ ପୂରାଇ ନେଉଛନ୍ତି। ସିଟ୍‌ରେ ଯେତିକି ଲୋକ ବସୁଛନ୍ତି ସେତିକି ଲୋକ ଛିଡ଼ା ହୋଇ ଯାଉଛନ୍ତି। ପରିବା ଲଦିଲା ଭଳି ଲୋକଙ୍କ ଉପରେ ଲୋକଙ୍କୁ ଲଦି ଦିଆଯାଉଛି। ଗାଡ଼ି ଭିତରେ ଭଲ ଭାବେ ଠିଆ ହେବା ତ ଦୂରର କଥା ନିଶ୍ବାସ ନେବା କଷ୍ଟକର ହୋଇ ପଡ଼ୁଛି। ଯାତ୍ରୀ ଥରେ ଗାଡ଼ି ଭିତରକୁ ଉଠିବା ପରେ କଣ୍ଡକ୍ଟର ଏଭଳି ଭାବେ ପଛକୁ ଠେଲିଦେଉଛନ୍ତି ଯେ,‌ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ପର୍ଯ୍ୟନ୍ତ ମୂର୍ତ୍ତିଭଳି ସ୍ଥିତିରେ ରହିବାକୁ ପଡ଼ୁଛି। ଲୋକମାନେ ଯେଉଁଠି ଠିଆ ହେଉଛନ୍ତି ସେଠାରୁ ହଲିବା ଅସମ୍ଭବ ହୋଇପଡ଼ୁଛି। ଆ‌ଉ କିଛି ବସ୍‌ରେ ତ ଛାତ ଉପରେ ଲୋକ ବସି ଯାଉଛନ୍ତି। ଅଟୋ‌େର ‌ଗୋଦାମ ଘରେ ଖୁନ୍ଦିଖାନ୍ଦି ଜିନି‌ଷ ଭର୍ତ୍ତି କରିବା ଭଳି ଯାତ୍ରୀଙ୍କୁ ପୂରାଇ ନିଆଯାଉଛି। ଯେଉଁ ଅଟୋରେ ତିନି ଜଣ ବସି ଯିବା ନିୟମ ଅଛି ସେଥିରେ ଆଗ ପଛ ହୋଇ ୫ ଜଣ ବସୁଛନ୍ତି। ଆଗରେ ଯାତ୍ରୀ ବସାଇବା ନିୟମ ନଥିଲେ ହେଁ ଅଟୋ ଚାଳକମାନେ ଅଧିକ ଭଡ଼ା ପାଇବା ପାଇଁ ଆଗ ପଛ ସବୁ ଆଡ଼େ ଲୋକ ବସାଇ ନେଇଯାଉଛନ୍ତି। ଆଉ ଇଚ୍ଛା ଯେଉଁଠି ହେଉଛି ସେଠାରେ ଗାଡ଼ି ରଖି ଲୋକ ଓହ୍ଲାଉଛନ୍ତି। କେତେକ ଅଟୋ ତ ୧୦ରୁ ୧୨ଜଣ ସ୍କୁଲ ଛାତ୍ରଛାତ୍ରୀ, ୮ରୁ ୧୦ଜଣ ଶ୍ରମିକଙ୍କୁ ବସାଇ ନେଉଛନ୍ତି।

ରାଜଧାନୀରେ ଏବେ ନୂଆ ମୋଟର ଯାନ ଆଇନକୁ ନେଇ ତନାଘନା ଚାଲିଛି। କିଏ ହେଲମେଟ୍‌, ସିଟ୍‌ବେଲ୍‌ଟ ନ ପିନ୍ଧିଲା, ଜେବ୍ରା ଲାଇନ୍ କ୍ରସ୍ କଲା, ଭୁଲ୍‌ ଦିଗରେ ଗାଡ଼ି ଚଲାଇଲା ତାହାକୁ ନେଇ ଲୋକଙ୍କ ଠାରୁ ଜରିମାନା ଆଦାୟ ହେଉଛି। ହେଲେ ଏହାରି ଭିତରେ ପରିବହନ ବିଭାଗ, କମିସନରେଟ୍‌ ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ବହୁ ସରକାରଙ୍କ ମୋ ବସ୍, ଯାତ୍ରୀବାହୀ ବସ୍, ଅଟୋ ନିୟମ ଭାଙ୍ଗି ଚାଲିଛନ୍ତି ତାହା ଉପରେ କାହା ନଜର ପଡ଼ୁନି। ନୂଆ ମୋଟର୍‌ ଯାନ ଆଇନ୍‌କୁ କଡ଼ାକଡ଼ି ଲାଗୁ କରୁଥିବା ପରିବହନ ବିଭାଗ ଏଭଳି କ୍ଷେତ୍ରରେ କାହିଁକି ନିଷ୍କ୍ରିୟ? ଯାତ୍ରୀ ପରିବହନ ପାଇଁ କଡ଼ା ନିୟମ ରହିଛି। ହେଲେ ନିୟମ କେବଳ ବହିରେ ରହିଯାଇଛି। କାହା ଚାପରେ ନିୟମକୁ ଲାଗୁ କରାଯାଉ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିପଦପୂର୍ଣ୍ଣ ଯାତ୍ରା ପାଇଁ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ

ଯେଉଁମାନେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ବିଶେଷକରି ଛାତ୍ରଛାତ୍ରୀ ଓ ଶ୍ରମିକ ନେଉଥିବା ଅଟୋ ଗୁଡ଼ିକ ଏହି ନିୟମକୁ ଉଲ୍ଲଂଘନ କରୁଛନ୍ତି। ସେହିପରି ଯାତ୍ରୀ ନେଇ ଯାଉଥିବା ହାତ ଗଣତି ‌ଅଟୋ ନିୟମ ଉଲ୍ଲଂଘନ କରୁଛନ୍ତି। ଏଭଳି ବିପଦଜନକ ଭାବେ ଯାତ୍ରୀଙ୍କୁ ନନେବା ପାଇଁ ଆମେ ସେମାନଙ୍କୁ ବାରମ୍ବାର ତାଗିଦ୍ କରି ଆସୁଛୁ। ଏଭଳି ଅଟୋଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏସବୁ ବାଦ୍ ଅଟୋ ଚାଳକଙ୍କୁ ଆଗରେ ଜଣେ ଯାତ୍ରୀ ଯିବାକୁ ଅନୁମତି ମିଳିବା ଉଚିତ୍‌।
ପଦ୍ମନ କୁମାର ସାମଲ, ସାଧାରଣ ସମ୍ପାଦକ, ଅଟୋ ମହାସଂଘ

ଅଧିକ ଯାତ୍ରୀ ନଉଠିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ

ସରକାର ନିୟମ କରିଛନ୍ତି ସିଟ୍‌ର ଏକ ତୃତୀୟାଂଶ ଲୋକ ଠିଆକରି ନେବାକୁ। ହେଲେ ଏହା ସମ୍ଭବପର ନୁହେଁ। କାରଣ ଆମେ ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ଯାଉଛୁ। ପ୍ରତି ଛକରେ ଗାଡ଼ି ରଖୁଛୁ। ଯେଉଁ ଛକରେ ଲୋକଙ୍କୁ ନଉଠେଇବୁ ଲୋକ ଗାଡ଼ିକାଚ ଭାଙ୍ଗିଦେବେ। ସେମିତି ଏକସ‌େଙ୍ଗ ୨୦-୨୫ କଲେଜ୍‌ ପିଲା ଉଠୁଛନ୍ତି। ଆମେ ତାଙ୍କୁ ଅଟକାଇ ପାରିବୁନାହିଁ। ନଚେତ ଆମକୁ ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିବ। ତେଣୁ ସରକାର ଯେଉଁ ନିୟମ କରୁଛନ୍ତି ତାକୁ ପାଳନ ପାଇଁ ମଧ୍ୟ ସେ ପଦକ୍ଷେପ ନିଅନ୍ତୁ। କିଭଳି ଯାତ୍ରୀଙ୍କୁ ଅଟକାଇ ହେବ ସେ ନେଇ ବ୍ୟବସ୍ଥା ଗ୍ରହଣ କରନ୍ତୁ।
ବରଦା ଆଚାର୍ଯ୍ୟ, ସାଧାରଣ ସମ୍ପାଦକ, ବସ୍‌ ମାଲିକ ସଂଘ

ନିୟମ କହୁଛି, ଅଧିକ ଯାତ୍ରୀ ନେଲେ ଯାତ୍ରୀ ପିଛା ୨୦୦ ଟଙ୍କା ଜରିମାନା

ପରିବହନ କ୍ଷମତା ଠାରୁ ଅଧିକ ଯାତ୍ରୀ ନେଲେ ଜରିମାନା ଦେବା ପାଇଁ କଡ଼ା ନିୟମ ରହିଛି। ଯାତ୍ରୀବାହୀ ଯାନ ଗୁଡ଼ିକ ସିଟ୍‌ କ୍ଷମତା ଠାରୁ ଏକ ତୃତୀୟାଂଶ ଯାତ୍ରୀ ଠିଆକରି ନେଇପାରିବେ। ଯେଉଁ ପରିବହନ ଯାନର ୫୨ ସିଟ୍‌ ରହିଛି ସେହି ଯାନ ଆଉ ମାତ୍ର ୧୮ଜଣ ଅଧିକ ଯାତ୍ରୀଙ୍କୁ ଠିଆକରି ନେଇପାରି‌ବେ। ଯେଉଁ ଯାନର ୩୮ ସିଟ୍ ରହିଛି ସେଗୁଡ଼ିକ ୧୩ ଜଣ ଯାତ୍ରୀ ଠିଆକରି ନେଇପାରିବେ। ଏହି ଅନୁପାତରେ ସିଟ୍‌ କ୍ଷମତା ଅନୁଯାୟୀ ଯାନ ଗୁଡ଼ିକ ଯାତ୍ରୀ ନେଇପାରିବେ ତାହା ନିୟମରେ ରହିଛି। ସେହିପରି ବଡ଼ ଅଟୋରେ ଚାଳକଙ୍କୁ ମିଶାଇ ୫ଜଣ ଓ ଛୋଟ ଅଟୋରେ ଚାଳକଙ୍କୁ ମିଶାଇ ୪ ଜଣ ଯାତ୍ରୀ ଯାଇ ପାରିବେ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନେ ପରିବହନ କ୍ଷମତା ଠାରୁ ନେଇଥିବା ଅଧିକ ଯାତ୍ରୀ ପାଇଁ ଜରିମାନା ଗଣିବେ। ପ୍ରତ୍ୟେକ ଅଧିକ ଯାତ୍ରୀ ପିଛା ୨ଶହ ଟଙ୍କା ଲେଖାଏଁ ଜରିମାନା ଦେବାର ନିୟମ ରହିଛି। ସେହିପରି ଯଦି ଯେଉଁ ଯାନ ଏହି ନିୟମକୁ ଦ୍ବିତୀୟ ଥର ଉଲ୍ଲଂଘନ କରିବ ସମ୍ପୃକ୍ତ ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯିବା ସହ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର