ମେଡିସିନ୍‌ ଓ୍ଵାର୍ଡରେ ଅକ୍ସିଜେନ୍‌ ଲିକ୍‌କୁ ନେଇ ଆତଙ୍କ

ଖଣ୍ଡଗିରି : ଆଜି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସ୍ଥାନୀୟ ସମ୍‌ ହସ୍ପିଟାଲ୍‌ର ମେଡିସିନ୍‌ ଓ୍ଵାର୍ଡରେ ଅକ୍ସିଜେନ୍‌ ଲିକ୍‌ ଘଟଣାକୁ ନେଇ ଆତଙ୍କ ଖେଳି ଯାଇଥିଲା। ଏଥିରେ ରୋଗୀ ତଥା ସେମାନଙ୍କ ସମ୍ପର୍କୀୟ କାହାର ବି କ୍ଷତି ହୋଇ ନଥିଲେ ମଧ୍ୟ କିଛି ସମୟ ଯାଏଁ ଭୟର ବାତାବରଣ ଖେଳି ଯାଇଥିଲା। କିନ୍ତୁ ସୁରକ୍ଷା କର୍ମୀ ତୁରନ୍ତ ଅକ୍ସିଜେନ୍‌ ପାଇପ୍‌ ଗ୍ୟାସ୍‌କୁ ବନ୍ଦ କରିଦେବା ପରେ ସମସ୍ତେ ଆଶ୍ୱସ୍ତ ହୋଇଥିଲେ। ମେଡିସିନ ଓ୍ଵାର୍ଡରେ କେହି ରୋଗୀ ସମ୍ପର୍କୀୟ ଏକ ଅକ୍ସିଜେନ୍‌ ଟ୍ୟାପ୍‌କୁ ଅସାବାଧନାତା ବଶତଃ ଖୋଲି ଦେଇଥିଲେ। ସେଥିରୁ ଭସ୍‌ଭସ୍‌ ହୋଇ ଗ୍ୟାସ ଲିକ୍‌ ହେବା ଦେଖି ଉକ୍ତ ବ୍ୟକ୍ତି ଭୟରେ କାହାକୁ କିଛି ନକହି ସେ ସ୍ଥାନ ଛାଡ଼ି ପଳାଇଥିଲେ। ଗ୍ୟାସ୍‌ ଲିକ୍‌ କଥା ଜଣା ପଡ଼ିବା ପରେ ଭୟରେ ରୋଗୀମାନେ ଶଯ୍ୟାରୁ ଡିଆଁଡେଇଁ କରି ବାହାରକୁ ଧାଇଁଥିଲେ। କିଛି ସମୟ ପାଇଁ ଉକ୍ତ ଓ୍ଵାର୍ଡରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ନର୍ସ ଓ ସୁରକ୍ଷା କର୍ମୀମାନେ ଓ୍ଵାର୍ଡ ଭିତରକୁ ଧାଇଁ ଯାଇଥିଲେ। ଅକ୍ସିଜେନ୍‌ ପାଇପ୍‌ ଟ୍ୟାପ୍‌ ଖୋଲାଥିବା ଦେଖି ସୁରକ୍ଷା କର୍ମୀ ଜଣକ ତୁରନ୍ତ ବନ୍ଦ କରିଦେଇଥିଲେ। ପରେ ନର୍ସମାନେ ରୋଗୀମାନଙ୍କୁ ବୁଝାସୁଝା କରି ଶଯ୍ୟାକୁ ଫେରାଇ ଆଣିଥିଲେ।

ସମ୍ବନ୍ଧିତ ଖବର