ପ୍ରଣବଙ୍କୁ ‘ପ୍ରଜ୍ଞାରତ୍ନ ସଙ୍ଗୀତ ଶିରୋମଣି’ ସମ୍ମାନ

ଭୁବନେଶ୍ୱର : ଶୀତ ଆଧାରିତ ଗୀତକୁ ନେଇ ପୂଣ୍ୟ ଉତ୍କଳ ଫାଉଣ୍ଡେସନ୍‌ ଓ ପ୍ରଜ୍ଞା ଏକାଡେମିକ ଆଣ୍ଡ୍‌ କଲଚରାଲ ଟ୍ରଷ୍ଟ ଆନୁକୂଲ୍ୟରେ ପୂଣ୍ୟପ୍ରଜ୍ଞା ଗୀତିମଞ୍ଜ ପକ୍ଷରୁ ଜୟଦେବ ଭବନଠାରେ ‘ଶୀତ ପାଇଁ ଗୀତ ଆସର’ ଅନୁଷ୍ଠିତ ହୋଇଯାଇଛି। ଶୀତୁଆ ସନ୍ଧ୍ୟାରେ ଶିଳ୍ପୀଙ୍କ ଗୀତରେ ଦର୍ଶକ ଝୁମିଥିଲେ।

ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରଜ୍ଞାରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ପ୍ରଜ୍ଞାରତ୍ନ ସଙ୍ଗୀତ ଶିରୋମଣି ସମ୍ମାନ ଦିଆ ଯାଇଥିଲା। ଏଥିସହିତ ଶାରଦା ପ୍ରସନ୍ନ ନାୟକ, ଜ୍ଞାନେଶ ମିଶ୍ର, ଓମ୍‌ପ୍ରକାଶ ମହାନ୍ତି, ରଘୁନାଥ ପଣ୍ଡା, ରମେଶଚନ୍ଦ୍ର ମହାପାତ୍ର, ନିରଂଜନ ଦାସ, ନାଜିୟା ସଏଦଙ୍କୁ ସମ୍ମାନିତ କରାଯାଇଥିଲା। କବି ଦେବେନ୍ଦ୍ର ଦାସ ଓ ଶିକ୍ଷକ ମୁରଲୀଧର ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ଅତିଥି ଭାବେ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇଥିଲେ। ଅନୁଷ୍ଠାନର ମହାସଚିବ ବୃନ୍ଦାବନ ଜେନା ସ୍ୱାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ମନୋରଂଜନ ମହାପାତ୍ର ଗୀତିମଞ୍ଚର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଅନୁଷ୍ଠାନର ମୁଖପତ୍ର ‘ମୁକ୍ତକ’ ଲୋକାର୍ପିତ ହୋଇଥିଲା। ମୁରଲୀଧର ପରିଡ଼ା ସଙ୍ଗୀତ ସନ୍ଧ୍ୟା ପରିଚାଳନା କରିଥିଲେ। ଦୁଷ୍ମନ୍ତ ମହାନ୍ତି ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର