କାନ୍ଥରେ ଚିତ୍ର ଦେଖି କ୍ବେକ୍ କାନ୍ଦିଲେ

ହକି ବିଶ୍ବକପ୍ ପାଇଁ ଭୁବନେଶ୍ବର କାନ୍ଥ ବାଡ଼ରେ ବିଭିନ୍ନ ଦେଶର କିମ୍ବଦନ୍ତୀ ତାରକାଙ୍କ ଚିତ୍ର ଶୋଭା ପାଉଛି। ସେହି ଭାଗ୍ୟଶାଳୀ ଖେଳାଳିଙ୍କ ମଧ୍ୟରୁ ଅନେକ ଖେଳାଳି ସଂପ୍ରତି ଭୁବନେଶ୍ବରରେ ଅଛନ୍ତି। ପୂର୍ବ ଭାରତର ଏକ ସହରରେ ନିଜ ଚିତ୍ର ଦେଖି ସେମାନେ ଏକ ପ୍ରକାର ଭାବବିହ୍ବଳ ହୋଇ ଯାଉଛନ୍ତି। ଇଂଲଣ୍ଡର ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟିନୀ ମହିଳା ହକି ତାରକା ସାମନ୍ଥା କ୍ବେକ୍ ତ ଭୁବନେଶ୍ବର କାନ୍ଥରେ ନିଜ ଚିତ୍ର ଦେଖି ଖୁସିରେ କାନ୍ଦି ପକାଇଥିଲେ। ଏହି ବିଷୟ କ୍ବେକ୍ ନିଜ ଟ୍ବିଟର ପୃଷ୍ଠାରେ ମଧ୍ୟ ସ୍ଥାନ ଦେଇଥିଲେ। ଏକ ସ୍ଥାନୀୟ ଡାକ୍ତରଖାନାର କାନ୍ଥରେ ନିଜ ଚିତ୍ର ଦେଖିବା ପରେ ସାମନ୍ଥା ଟ୍ବିଟ୍ କରିଥିଲେ ଯେ ସଂପ୍ରତି ମୁଁ ଭୁବନେଶ୍ବରରେ ଏକ କାର୍‌ର ପଛ ସିଟରେ ବସିଛି। ଏକ ସ୍ଥାନୀୟ ଡାକ୍ତରଖାନାର କାନ୍ଥରେ ମୋ ଚିତ୍ର ଦେଖି ମୋ ପାଟି ଶୁଖି ଯାଇଥିଲା। ଆଖିରେ ଲୁହ ଆସି ଯାଇଥିଲା। ମୁଁ ପୂରା ଭାବବିହ୍ବଳ ହୋଇ ଯାଇଥିଲି। ୩୦ ବର୍ଷୀୟ କ୍ବେକ୍ ୨୦୧୬ ରିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିବା ଇଂଲଣ୍ଡ ମହିଳା ହକି ଦଳର ଅନ୍ୟତମ ସଦସ୍ୟ ଥିଲେ। ସେହିଭଳି ୨୦୧୩ ଓ ୨୦୧୫ ୟୁରୋପୀୟ ପ୍ରତିଯୋଗିତା ସ୍ବର୍ଣ୍ଣ ଜିତିଥିବା ଦଳରେ ଥିଲେ। ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଜିତିଥିବା ଇଂଲଣ୍ଡ ଦଳରେ ମଧ୍ୟ ସେ ଥିଲେ। ବିଶ୍ବକପ୍‌ରେ ସେ ଏକ ପ୍ରସାରଣକାରୀ ସଂସ୍ଥା ପାଇଁ ଭାଷ୍ୟକାର ଦାୟିତ୍ବରେ ରହିଛନ୍ତି।

ଏଡ୍‌ସ ସଚେତନତା
ଶନିବାର ଥିଲା ୩୦ତମ ବିଶ୍ବ ଏଡ୍‌ସ ଦିବସ। ସେଥିପାଇଁ କଳିଙ୍ଗ ଷ୍ଟାଡିୟମରୁ ଏଡ୍‌ସ ସଚେତନତା ବାର୍ତା ଦିଆ ଯାଇଥିଲା। ଷ୍ଟାଡିୟମର ପୂର୍ବ ଷ୍ଟାଣ୍ଡରେ ଏଡ୍‌ସ ନିରୋଧୀ ଅଭିଯାନର ସଙ୍କେତକୁ ଦର୍ଶାଇ ଏଥିନେଇ ସଚେତନତା ସୃଷ୍ଟି କରାଯାଇଥିଲା। ଏଥିଲାଗି ମାନବ ଶୃଙ୍ଖଳରେ ଲାଲ ରିବନ ଚିତ୍ର କରାଯାଇଥିଲା। ଦର୍ଶକଙ୍କୁ ଏହି ଅବସରରେ ଏଡ୍‌ସ ନିୟନ୍ତ୍ରଣ ସମାଜ ପକ୍ଷରୁ ମାଗଣାରେ ଟି-ସାର୍ଟ ଏବଂ ଟୋପି ବଣ୍ଟା ଯାଇଥିଲା।

ସମ୍ବନ୍ଧିତ ଖବର