ପଖାଳ କଂସା ପଛର ଅକୁହା କାହାଣୀ, ହାତୀ ପାହୁଲିଆରୁ ସହରୀବାବୁ ବେଲା…

ଭୁବନେଶ୍ବର (ସତ୍ୟନାରାୟଣ ରାଉତରାୟ): ‘ଆସ ଜୀବନ ଧନ ମୋର ପଖାଳ କ˚ସା…, ସଜନୀରେ ତୋ ବିହୁନେ ବୁଡ଼ିଲା ହ˚ସା…। ଯେବେ ପଖାଳ କଥା ଉଠିଛି, ‘କଂସା’ ଶବ୍ଦ ମଧ୍ୟ ଜିଭ ଅଗକୁ ଆସିଛି। କଂସା ବିନା ପଖାଳ ଯେମିତି ସ୍ବାଦହୀନ। ବାଳକୃଷ୍ଣ ଦାଶଙ୍କ କଣ୍ଠନିଃସୃତ ଗୀତଟି ହିଁ ତା’ର ଶ୍ରେଷ୍ଠ ପ୍ରମାଣ। ଅଥଚ ଶସ୍ତା ଷ୍ଟିଲ୍‌ ବାସନ କଂସାକୁ ପଖାଳଠୁ ପର କରିଦେଇଛି। କିନ୍ତୁ କଂସାର ମୃତ୍ୟୁ ହୋଇନାହିଁ। ଆଜି ବି ଗାଁ ଗଣ୍ଡାଠୁ ନେଇ‌େ ବଡ଼ବଡ଼ ତାରକା ହୋଟେଲ୍‌ ଓ ରେଷ୍ଟୁରାଣ୍ଟ୍‌ରେ କଂସାରେ ‌ପଖାଳ ପରଷା ଯାଉଛି। କୌତୂହଳର ବିଷୟ ଏହି ଯେ, ଆମ ରାଜ୍ୟରେ ଭିନ୍ନଭିନ୍ନ ଧରଣର କଂସା ବେଲା ରହିଛି। କଂସା ପଖାଳ ବେଲା ଉପରେ ଗବେଷଣାରତ ସୁଦର୍ଶନ ସାହୁ ଏଯାବତ ୨୨ଟି ବେଲା ସଂଗ୍ରହ କରିଥିବା ବେଳେ ତା’ର ଇତିବୃତ୍ତକୁ ଉନ୍ମୋଚନ କରିଛନ୍ତି। ଆସନ୍ତାକାଲି ପଖାଳ ଦିବସ ପାଳନ ହେଉଥିବା ବେଳେ ପ୍ରାସଙ୍ଗିକତା ଦୃଷ୍ଟିରୁ କିଛି କଂସା ବେଲା ଆଜି ବି ମହତ୍ତ୍ବ ରଖେ। ରାୟଗଡ଼ା ଜିଲ୍ଲାର ଗୁଣୁପୁର ଓ ପଦ୍ମପୁରରେ ହିଟ୍‌, ବିଟ୍‌, ଏକ୍ସପାଣ୍ଡ୍‌ ଓ ସେପ୍‌ ପଦ୍ଧତିରେ ପ୍ରସ୍ତୁତ ‘ଅଣ୍ଟାଭଙ୍ଗା ପଖାଳ କଂସା’ ଦକ୍ଷିଣ ଓଡ଼ିଶାରେ ବେଶି ବ୍ୟବହୃତ ହେଉଥିଲା। ଏବେ କିନ୍ତୁ ଏହା ଗୁଣୁପୁରରେ ୮/୧୦ଟି ଘରର ଶାଳରେ ତିଆରି ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ୪୦ ବର୍ଷ ତଳେ ଡିଙ୍ଗ୍‌ଡିଙ୍ଗ୍‌ ବାଦ୍ୟ ପାଇଁ ଏହି ବେଲା ବ୍ୟବହାର କରିବା ପରଠୁ ସେଠାରେ ବସବାସ କରୁଥିବା ଗମାଙ୍ଗ ବଂଶଜମାନେ ଏହାକୁ ବାଦ୍ୟବେଲା ଭାବେ ବ୍ୟବହାର କରୁଛନ୍ତି। କୋରାପୁଟରେ ବାଦ୍ୟବେଲା ସହ ଏଥିରେ ପଖାଳ ଖିଆଯାଉଛି। ସେହିଭଳି ‘ହାତୀ ପାହୁଲିଆ କଂସାବେଲା’। ଦୁଦୁରା ଫୁଲ ଭଳି ଦେଖାଯାଉଥିବାରୁ ଏହାକୁ ଦକ୍ଷିଣ ଓଡ଼ିଶାରେ ଦୁଦୁରାଫୁଲିଆ ଏବଂ ପଶ୍ଚିମ ଓଡ଼ିଶାରେ କୁଣ୍ଡ ବେଲା କୁହାଯାଏ। କଂସାରି ଗ୍ରାମ ତରଭା, ବଇରସର, ବୌଦ୍ଧ ଜିଲ୍ଲାର କିଛି ଅଞ୍ଚଳରେ ଏହା ବ୍ୟବହୃତ ହେଉଥିଲା। ଏହି ବେଲାରେ ଏକ ସମୟରେ ୪ ଜଣ ପଖାଳର ମଜା ନେଉଥିଲେ। ସବୁଠୁ ଅଧିକ ଓଜନର ବେଲା ହେଉଛି ‘ମାଟୁକଂସା’। ଏହାର ଓଜନ ଅଢ଼େଇ କେଜିରୁ ୫ କେଜି ପର୍ଯ୍ୟନ୍ତ ହୋଇଥାଏ। ଦକ୍ଷିଣ ଓଡ଼ିଶାରେ ଏଥିରେ ପଖାଳ ଖାଇବାକୁ ବେଶି ପସନ୍ଦ କରନ୍ତି। ରାୟଗଡ଼ା ଓ ବ୍ରହ୍ମପୁର ସମେତ ଆନ୍ଧ୍ରର ଟେକିଲି, ପୂର୍ତି, ନରସଣ, ମେଟାରେ ଏହା ତିଆରି ହୁଏ। କଂସାରିଶାଳରେ ଛୋଟ ହାତୁଡ଼ିରେ ଟିପ ଚିହ୍ନ ସଦୃଶ ପିଟିପିଟି ପ୍ରସ୍ତୁତ ହୁଏ ‘ରେକାବି ବେଲା’। ତେବେ ଏ ବେଲା ପଖାଳ ଖାଇବା ପାଇଁ ନିଷେଧ। ବରଂ ପୁରୋହିତ, ଅତିଥିଙ୍କୁ ଲିଆ, ଚାଉଳ, ମୁଗ, ବିରି, ପରିବା ଦାନ ଦେବାରେ ଏହା ବ୍ୟବହୃତ ହୁଏ। ରେକାବିରେ ଆଞ୍ଜୁଳି ସଦୃଶ ଚିହ୍ନ ଥିବାରୁ ଏଥିରେ ସଞ୍ଚା ଦେବା ଶୁଭ ବୋଲି ବିଚାର କରାଯାଏ ବୋଲି କହିଛନ୍ତି ସୁଦର୍ଶନ ସାହୁ। ଚକ୍ରାକାର ଏବଂ ବଇଠି ଲାଗିଥିବା ଏକ ବେଲା ହେଉଛି ‘ବଇଠି ବେଲା’। ପଶ୍ଚିମ ଓଡ଼ିଶାରେ ବ୍ୟବହୃତ ଏହି ବେଲା ବିନିକା, ବୈରାସର, ତରଭା, କଟାପାଲୀ, ପଦ୍ମପୁର ଆଦି କଂସାରି ଗ୍ରାମରେ ବହୁଳ ଭାବେ ତିଆରି ହେଉଥିଲା। କଂସା ଥାଳି ଭଳି ଗାଡ଼ୁଆ ସଦୃଶ ବେଲା ହେଉଛି ‘ପୋଚ କଂସା’। ଏଥିରେ ଭାତ, ତୋରାଣି, ଦହି, ଖଟାପାଣି, ଲଙ୍କା, ଲୁଣ, ଫୁଟଣ ଫେଣ୍ଟି ଦେଢରୁ ୨ ଦିନ ଘୋଡ଼େଇ ରଖାଯାଏ। ଏଥିରୁ ପ୍ରସ୍ତୁତ ପୋଚ ଭାତ ଖାଇ ହଳୁଆ ଚାଷୀମାନେ ବିଲକୁ ଯାଆନ୍ତି। ଏହି ବେଲା ମାମୁଡିହ ଓ ପଦ୍ମପୁରର କଂସାରି ଗ୍ରାମରେ ପ୍ରସ୍ତୁତ ହେଉଥିଲେ ହେଁ ଏବେ ଖୁବ୍‌ କମ ଦେଖିବାକୁ ମିଳେ। ସେହିପରି ବେଲାରେ ପଖାଳ ଆଣିବା ବେଳେ ଯେମିତି ଟିପ ଓ ନଖ ନବୁଡ଼େ ସେଥିପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି ‘ସହରୀବାବୁ ବେଲା’। ଟିପ ନବୁଡ଼ିବା ପାଇଁ ବେଲାର ଉପର ପାର୍ଶ୍ବରେ ଦୁଇଟି କାଠ ବେସ୍‌କୁ ପିତ୍ତଳ ପେଚ ଦ୍ବାରା ଯୋଖାଯାଏ। ଏ ଧରଣର ବେଲା ଶ୍ରୀ ସାହୁ ପ୍ରଥମେ ଡିଜାଇନ୍‌ କରିବା ପରେ ଏହା ଆଦୃତ ହୋଇଥିଲା। ଏହା କଣ୍ଟିଲୋ, ଖଳିସାହି, ବେଲପଡ଼ାରେ କିଛି ପରିମାଣରେ ଏବେ ତିଆରି ହେଉଛି ବୋଲି ସେ କହିଛନ୍ତି। କଂସା ବେଲାରେ ପଖାଳ ଖାଇବା କେବଳ ଆମ ପରମ୍ପରା ନୁହେଁ, ବରଂ ଏହା ଦେହ ପାଇଁ ମଧ୍ୟ ବହୁତ ହିତକର। ଏଥିରେ ରୋଷେଇ କରି କିମ୍ବା ଖାଦ୍ୟ ଖାଇଲେ ଡାଇବେଟିସ୍‌ ଓ କର୍କଟ ଭଳି ରୋଗକୁ ବଢ଼ାଉଥିବା କୋଷ ମଧ୍ୟ ନଷ୍ଟ ହୋଇଯାଅନ୍ତି ବୋଲି ସୁଦର୍ଶନ କହିଛନ୍ତି।

ସମ୍ବନ୍ଧିତ ଖବର