ଭୁବନେଶ୍ବର : ଶେଷରେ ଫ୍ୟାନ୍ ଭିଲେଜ୍ରେ ପହଞ୍ଚିଛି ପାକିସ୍ତାନ ଟିମ୍। ସମସ୍ତ କଳ୍ପନା ଜଳ୍ପନାକୁ ପଛରେ ପକାଇ ଓଡ଼ିଶା ପୁଲିସର ନିମନ୍ତ୍ରଣକୁ ରକ୍ଷା କରି ଆଜି ପାକିସ୍ତାନ କୋଚ୍ ହାସନ ସର୍ଦ୍ଦାରଙ୍କ ସହ ଟିମ୍ ଫ୍ୟାନ୍ ଭିଲେଜ୍ରେ ପହଞ୍ଚିଥିଲେ। ପାକିସ୍ତାନ ଟିମ୍କୁ ପାଇପ୍ ବ୍ୟାଣ୍ଡ ଓ ବ୍ରାସ୍ ବ୍ୟାଣ୍ଡରେ ଭବ୍ୟ ସମ୍ବର୍ଧନା ଦିଆଯାଇ ଷ୍ଟଲ୍ ନିକଟକୁ ଅଣାଯାଇଥିଲା। ପରେ ପୁଲିସର ପାଇପ୍ ବ୍ୟାଣ୍ଡ କିଛି ସମୟ ଧରି ସେମାନଙ୍କ କଳା କୌଶଳ ପ୍ରଦର୍ଶନ କରିଥିଲେ। ଏହାସହ ବ୍ରାସ ବ୍ୟାଣ୍ଡ ପକ୍ଷରୁ ଜୟ ହୋ….ସଂଗୀତ ମାଧ୍ୟମରେ ନିଜର କଳା ପ୍ରଦର୍ଶନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଫ୍ୟାନ୍ ଭିଲେଜ୍ରେ ପାକିସ୍ତାନ ଟିମ୍କୁ ସ୍ବାଗତ ଉତ୍ସବରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଯୋଗଦେଇ କହିଲେ, କୌଣସି ବି ଖେଳ ହେଉ ଯଦି ସେଥିରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୁଅନ୍ତି ଏହାର ଉତ୍ସାହ ସାରା ବିଶ୍ବରେ ଦେଖିବାକୁ ମିଳେ। ଚଳିତ ହକିରେ ଯଦି ଭାରତ ଓ ପାକିସ୍ତାନ ଫାଇନାଲ୍ ମ୍ୟାଚ୍ ଖେଳନ୍ତି ଏହା ଦର୍ଶକଙ୍କୁ ବେଶ୍ ଉତ୍ସାହ ଯୋଗାଇବ। ଓଡ଼ିଶାର ଏଭଳି ଆୟୋଜନ ଶ୍ରେଷ୍ଠ ଆୟୋଜନ ହେବ ବୋଲି ଡିଜି ଶ୍ରୀ ଶର୍ମା କହିଛନ୍ତି। ଏହି ଅବସରରେ ପାକିସ୍ତାନର ସମସ୍ତ ଖେଳାଳି ଓ କୋଚ୍ଙ୍କୁ ରଘୁରାଜପୁରର ପଟ୍ଟଚିତ୍ର ଦ୍ବାରା ସମ୍ବର୍ଧିତ କରାଯାଇଥିଲା। ସେହିପରି ପାକିସ୍ତାନ ଟିମ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, ପୁଲିସ କମିସନର ସତ୍ୟଜିତ ମହାନ୍ତି ଓ କ୍ରାଇମ୍ ରେକର୍ଡ ବ୍ୟୁରୋର ନିର୍ଦେଶକ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ସମ୍ବର୍ଧିତ କରିଥିଲା। ଏହାପରେ ଖେଳାଳିମାନେ ପୁଲିସ ଷ୍ଟଲ ବୁଲିବା ସହିତ ସେଠାରେ ଲାଗିଥିବା ଅସ୍ତ୍ରଶସ୍ତ୍ର ଦେଖିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ପୁଲିସ କମିସନର ସଞ୍ଜୟ ସିଂହ, କ୍ରାଇମ୍ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା, ଆଇନ ଓ ଶୃଙ୍ଖଳା ଆଇଜି ଅମିତାଭ ଠାକୁର, ଡିସିପି ଅନୁପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଦିନ ଫ୍ୟାନ୍ ଭିଲେଜକୁ ବିଶ୍ବକପରେ ଅଂଶଗ୍ରହଣ କରିଥିବା ଗୋଟିଏ ଦଳ ଆସିବା ନେଇ ଯୋଜନା ହୋଇଥିବା ସୂଚନା ମିଳିଛି। ଏପରିକି କେଉଁ ଦିନ କେଉଁ ଦଳର ଖେଳାଳି ଆସିବେ ତାହାର ଏକ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି।