ଭୁବନେଶ୍ୱର: ଭୟ ଦେଖେଇଲେ। ଅଥଚ ପାରିଲେନି। ଶେଷରେ ଲୋଭ ଦେଖାଇବାକୁ ପଡ଼ିଲା। ପ୍ଲାଷ୍ଟିକ୍ ସମସ୍ୟା ସୀମା ଲଙ୍ଘିବା ପରେ ‘ବାଏ-ବ୍ୟାକ୍’ ନୀତି ଆପଣେଇବାକୁ ଏକରକମ ବାଧ୍ୟ ହେଲା ପ୍ରଶାସନ। ଅର୍ଥାତ ବ୍ୟବହୃତ ପାଣି ବୋତଲ ଓ କ୍ଷୀର ପାଉଚ୍ ଫେରେଇଲେ ଟଙ୍କା ମିଳିବ ବୋଲି ଘୋଷଣା ହୋଇଛି। ମାତ୍ର ଭୁବନେଶ୍ୱର ବଜାରରେ ଧସେଇ ପଶିଥିବା ପଲିଥିନ୍ ଯେ, ଭୁବନେଶ୍ୱରର ସବୁଠୁ ବଡ଼ ଦୁଃଖ ତାହା ସଦ୍ୟ ଏକ ଆକଳନରୁ ଜଣାପଡ଼ିଛି। ଅର୍ଥାତ ଦୈନିକ ବ୍ୟବହୃତ ପ୍ଲାଷ୍ଟିକ୍ ମଧ୍ୟରେ ପଲିଥିନ୍ ୬୦ ପ୍ରତିଶତରୁ ଅଧିକ। ପଲିଥିନ୍ର ମୋହ ବଜାରକୁ ଏମିତି ଗ୍ରାସିଛି ଯେ, ଛାଡ଼ିବାର ନା ଧରୁନି। ସଉଦା, ପରିବା, ମାଛ, ଜଳଖିଆ, ହୋଟେଲ୍, ଷ୍ଟେସ୍ନାରି, ମେଡିସିନ୍ ସବୁଠି ପଲିଥିନ୍ ହିଁ ଏକମାତ୍ର ବିକଳ୍ପ ସାଜିଛି। ଠୁଙ୍ଗା କି କାଗଜ ପାଉଚ୍ କଥା ଉଠିଲେ, ବ୍ୟବସାୟୀଙ୍କ ମନ ମରିଯାଉଛି। ଠୁଙ୍ଗା ବ୍ୟବହାର କଲେ, ୫ଗୁଣା ଅଧିକ ଆର୍ଥିକ ବୋଝ ୁ ପଡ଼ିବ ବୋଲି ଗ୍ରୋସରି ବ୍ୟବସାୟୀଙ୍କ ଯୁକ୍ତି। ମିଳିଥିବା ସୂଚନା ମୁତାବକ ଜଣେ ପାଇକାରୀ ଗ୍ରୋସରି ବ୍ୟବସାୟୀ ମାସକୁ ୧ କୁଇଣ୍ଟାଲ୍ ପଲିଥିନ୍ ବ୍ୟବହାର କରନ୍ତିି। ପୂରା ଭୁବନେଶ୍ୱରକୁ ହିସାବକୁ ନେଲେ କେବଳ ଉଠା ଦୋକାନୀଙ୍କ ସଂଖ୍ୟା ୨୪ ହଜାର। ସ୍ଥାୟୀ ଦୋକାନ ମିଶିଲେ ଏହା ୩୫ ହଜାର ଅତିକ୍ରମ କରିବ। ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ପକ୍ଷରୁ କିଛିଦିନ ତଳେ ଖାଦ୍ୟ ସୁରକ୍ଷା ଆଇନ୍ ଉଦ୍ଦେଶ୍ୟରେ ହୋଇଥିବା ଆକଳନରୁ ଜଣା ପଡ଼ିଛି ଯେ, ଖୁଚୁରା ବେପାରୀଙ୍କ ମଧ୍ୟରେ ୨୫% ପରିବା, ୨୫ % ଖାଦ୍ୟ ଏବଂ ୧୫% ଗ୍ରୋସରି ବ୍ୟବସାୟୀ। ତେଣୁ ପ୍ରାୟ ୬୫ % ବ୍ୟବସାୟୀ ପଲିଥିନ୍ ଉପରେ ନିର୍ଭରଶୀଳ। ତାହା ବି ୫୦ ମାଇକ୍ରନ୍ରୁ କମ୍। ଲୋକେ ବି ଏମିତି ଅଭ୍ୟସ୍ତ ଯେ, ଘରୁ ବାହାରିଲେ ବ୍ୟାଗ୍ ନେବାକୁ ପସନ୍ଦ କରୁନାହାନ୍ତି। ଯେମିତି ଲାଜ ଲାଗୁଛି!
Sambad is now on WhatsApp
Join and get latest news updates delivered to you via WhatsApp
ଏଣେ ରାଜଧାନୀ ଯେ ପ୍ଲାଷ୍ଟିକ୍ରେ ବୁଡ଼ି ଉବୁଟୁବୁ ହେଲାଣି ତାହା ମାଲୁମ୍ ନାହିଁ। ପରିବେଶବିତ୍ ପ୍ରକାଶ ଜେନାଙ୍କ ସୂଚନା ମୁତାବକ ଭୁବନେଶ୍ୱରରେ ଜଣେ ବ୍ୟକ୍ତି ପିଛା ଦିନକୁ ୫୦୦ ଗ୍ରାମ ବର୍ଜ୍ୟବସ୍ତୁ ବାହାରିଥାଏ। ରାଜଧାନୀର ଲୋକ ସଂଖ୍ୟା ୧୨ ଲକ୍ଷ ହୋଇଥିବାରୁ ଦୈନିକ ୬୦୦ ଟନ୍ ବର୍ଜ୍ୟବସ୍ତୁ ବାହାରୁଛି। ଏଥିରୁ ୨ ତୃତୀୟାଂଶ ହେଉଛି ପ୍ଲାଷ୍ଟିକ୍। ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ମୁତାବକ, ସହରରେ ଦୈନିକ ୪୦୦ ମେଟ୍ରିକ୍ ଟନ୍ ବର୍ଜ୍ୟବସ୍ତୁ ବାହାରିଥାଏ। ସେଥିରୁ ୭ରୁ ୧୦ ଟନ୍ କେବଳ ପଲିଥିନ୍ ଓ ପ୍ଲାଷ୍ଟିକ୍। ତେଣୁ ପରିବେଶ ପ୍ରଦୂଷଣ, ସ୍ୱାସ୍ଥ୍ୟଗତ ପ୍ରଭାବ ଏବଂ କୃତ୍ରିମ ବନ୍ୟା ଭଳି ବିଷମ ପରିଣାମ ସହରବାସୀଙ୍କୁ ଭୋଗିବାକୁ ପଡ଼ୁଛି। ସମଗ୍ର ବିଶ୍ୱରେ ପ୍ରତି ମିନିଟ୍ରେ ୧ ନିୟୁତ ପ୍ଲାଷ୍ଟିକ୍ ବୋତଲ ପ୍ରସ୍ତୁତ ହେଉଛି। ସେଥିରୁ ପ୍ରାୟ ୫୦ ପ୍ରତିଶତ ବୋତଲ ବା ପଲିଥିନ୍ ମାତ୍ର ଥରେ ବ୍ୟବହାର ହେଉଛି। ବର୍ଷକୁ ୨ହଜାର କୋଟି ପାଣି ବୋତଲ ବର୍ଜ୍ୟବସ୍ତୁ ଭାବେ ପଡ଼ି ରହୁଛି। ତେଣୁ ଏଭଳି କ୍ଷେତ୍ରରେ ସରକାରଙ୍କର ‘ବାଏ ବ୍ୟାକ୍’ ଘୋଷଣା ପ୍ରଯୁଜ୍ୟ। କିନ୍ତୁ ପଲିଥିନ୍ କ୍ଷେତ୍ରରେ ବାସ୍ତବତାକୁ ଉପଲବ୍ଧି କରିବା ମଧ୍ୟ ସେତିକି ଜରୁରି। କାଗଜରେ ବ୍ୟାଗ୍ ପ୍ରସ୍ତୁତି ପାଇଁ ସରକାରଙ୍କ ପକ୍ଷରୁ ୧୦ ହଜାର ଟଙ୍କାର ସହ ଫେଡେରେସନ୍କୁ ୫୦ ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା ହୋଇଛି। ହେଲେ କାଗଜରେ ପ୍ରସ୍ତୁତ କ୍ୟାରିବ୍ୟାଗ୍ କିଣିବାକୁ ଗ୍ରାହକ ହିଁ ନାହାନ୍ତି। ବାସ୍ତବରେ ଗୋଟେ ପଲିଥିନ୍ର ଦାମ ୫୦ ପଇସାରୁ ୧ଟଙ୍କାରେ ସୀମିତ ରହୁଥିବା ବେଳେ ସେତିକି ସାମଗ୍ରୀ ପାଇଁ ପ୍ରସ୍ତୁତ ହୋଇଥିବା କାଗଜ କ୍ୟାରିବ୍ୟାଗ୍ର ପାଇକାରୀ ଦର ୫ରୁ ୭ ଟଙ୍କା ପର୍ଯ୍ୟନ୍ତ ରହୁଛି। ପୁଣି ଠୁଙ୍ଗା ବ୍ୟବହାର କଲେ ବି ୫ଗୁଣା ଅଧିକ ଖର୍ଚାନ୍ତ ହେବାକୁ ପଡ଼ିବ ବୋଲି କହୁଛନ୍ତି। ତେଣୁ ଠୁଙ୍ଗା ଓ କାଗଜ କ୍ୟାରିବ୍ୟାଗ୍ ଶିଳ୍ପ ପାଇଁ କଞ୍ଚାମାଲ୍ ଯୋଗାଇ ଦେବା ସହ ବଜାରରେ କମ୍ ଦାମରେ ମିଳିବାର ସୁବିଧା କରିପାରିଲେ ପଲିଥିନ୍କୁ ନେଇ ଯେଉଁ ଚିନ୍ତା ଘାରୁଛି ତାହା ନିୟନ୍ତ୍ରଣକୁ ଆସିପାରିବ ବୋଲି ଶ୍ରୀ ଜେନା କହିଛନ୍ତି।