ପଞ୍ଚମ ଶାମ୍ଭବୀ ପୁରସ୍କାର ସମାରୋହ : ‘ସମାଜ ଓ ରାଷ୍ଟ୍ର ପାଇଁ ଆଦର୍ଶବୋଧର ଆବଶ୍ୟକତା ରହିଛି’

ଭୁବନେଶ୍ୱର : ଆଜିର ଡିଜିଟାଲ୍‌ ଯୁଗରେ ମାତ୍ରାଧିକ ସୂଚନା ଦେବାର ଅଭ୍ୟାସ ମଣିଷର ଧ୍ୟାନ ଦେବାର ଶକ୍ତିକୁ ହ୍ରାସ କରିବାରେ ଲାଗିଛି। ଆମେ ଦେଖିକି ବି ଦେଖିପାରୁନୁ। ଶୁଣିକି ବି ଶୁଣିପାରୁନୁ। ଆଜିକାଲି ସବୁ ଖବର ଚାଞ୍ଚଲ୍ୟକର ବା ବ୍ରେକିଂ ନ୍ୟୁଜ୍‌। ଏଗୁଡ଼ିକର ଆୟୂଷ ମଧ୍ୟ ବହୁ କ୍ଷୀଣ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଆମର ଦେଖିବାକୁ ଶୁଣିବାକୁ ସମୟ ନାହିଁ ତେବେ ଆମେ ଶିଖିବୁ କ’ଣ? କାହାଠୁ ଓ କିପରି ଶିଖିବା? ଏଭଳି ପରିସ୍ଥିତିରେ ସମାଜ ଓ ରାଷ୍ଟ୍ର ପାଇଁ ଆଦର୍ଶବୋଧର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଓଡ଼ିଶା କୌଶଳ ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି।

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍‌ ପକ୍ଷରୁ ସ୍ଥାନୀୟ ହୋଟେଲ୍‌ କ୍ରାଉନ୍‌ଠାରେ ଆୟୋଜିତ ‘୫ମ ଶାମ୍ଭବୀ ପୁରସ୍କାର ସମାରୋହ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ବାଗ୍‌ଚି ଜୀବନରେ ସଫଳ ନେତୃତ୍ୱର ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ। ଟ୍ରମ୍ପ୍‌, ପୁଟିନ୍‌ ପ୍ରମୁଖଙ୍କ ହିଂସ୍ର ବ୍ୟବହାର ଓ ପୁରୁଷୋଚିତ ପ୍ରକୃତିକୁ ଘୋର ନିନ୍ଦା କରିଥିଲେ। ଏହି ପରିସ୍ଥିତିରେ ଉତ୍ତର ପୁରୁଷ ପାଇଁ ଏକ ଆଦର୍ଶବାଦ ସମାଜ ଗଠନ ଦିଗରେ ସେ ଗୁରତ୍ୱାରୋପ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ମହାରଣାଙ୍କୁ ‘ଶାମ୍ଭବୀ ପୁରସ୍କାର ୨୦୧୮’ରେ ସମ୍ମାନିତ କରାଯାଇଛି। ପୁରସ୍କାର ବାବଦକୁ ତାଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଛି। ପୁଣି ବିଭୂତି କୁମାର ରାୟଙ୍କୁ ‘ଶାମ୍ଭବୀ ବିଚାରକ ପ୍ରଶଂସା ପତ୍ର’ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ତାଙ୍କୁ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ପୁରସ୍କାର ଚୟନ ବିଚାରକମଣ୍ଡଳୀର ସଦସ୍ୟ ବସନ୍ତ ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଫାଉଣ୍ଡେସନ୍‌ର ସିଇଓ ଶୈଫାଲିକା ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ।

ଦୃଷ୍ଟି ଶକ୍ତି ନାହିଁ, କିନ୍ତୁ ଦୂରଦୃଷ୍ଟିସମ୍ପନ୍ନ
ଦୃଷ୍ଟି ଶକ୍ତି ନାହିଁ। କିନ୍ତୁ ଦୂରଦୃଷ୍ଟିସମ୍ପନ୍ନ। ଜୀବନ ତାଙ୍କୁ ବେଦନା ଦେଇଛି, କିନ୍ତୁ ସେ ଜୀବନକୁ ସମବେଦନା ଜଣାଇଛନ୍ତି। ‘ଶାମ୍ଭବୀ ପୁରସ୍କାର’ ବିଜେତା ସନ୍ତୋଷ କୁମାର ମହାରଣାଙ୍କୁ ଦେଖିଲେ, ଆଜି ସୁବ୍ରତ ବାଗ୍‌ଚିଙ୍କ ମୁଖନିସୃତ ଏହି କଥା ସତ ବୋଲି ମନେ ହୁଏ। ସେ ଦୃଷ୍ଟିହୀନ ଦିବ୍ୟାଙ୍ଗ ସତ। କିନ୍ତୁ ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ପ୍ରାୟ ୨ ହଜାର ଦିବ୍ୟାଙ୍ଗଙ୍କୁ ସେ ଜିଇଁବାର ବାଟ ବତାଇଛନ୍ତି। ୨୦୦୭ରେ ‘ସମର୍ଥ’ ଅନୁଷ୍ଠାନ ଖୋଲି ନିସ୍ୱାର୍ଥ ସେବା ପ୍ରଦାନ କରି ଚାଲିଛନ୍ତି। ଏହି ଅନୁଷ୍ଠାନ ମାଧ୍ୟମରେ ଦିବ୍ୟାଙ୍ଗମାନଙ୍କୁ ୧୬୪ଟି ସ୍ୱୟଂସହାୟକ ଗୋଷ୍ଠୀରେ ସାମିଲ୍‌ କରି ସେମାନଙ୍କୁ ଫିନାଇଲ୍‌ ଓ କାଗଜ ପ୍ଲେଟ୍‌ ତିଆରି, ପରିବା ଦୋକାନ, ତେଜରାତି ଦୋକାନ, ମୋବାଇଲ୍‌ ମରାମତି ଦୋକାନ ଓ ଚୁଡ଼ି ଦୋକାନ ଆଦି କରି ରୋଜଗାରର ବାଟ ଦେଖାଇଛନ୍ତି। ଏନେଇ ସନ୍ତୋଷ କୁହନ୍ତି, ମୁଁ ଜନ୍ମାନ୍ଧ ନୁହେଁ। ୨୦୦୨ ମସିହାରେ ନବମ ପଢ଼ୁଥିବା ସମୟରେ ହଠାତ୍‌ ଦିନେ ମୋ ଦୃଷ୍ଟିଶକ୍ତି ଚାଲି ଯାଇଥିଲା। ତା’ ପରର ୪ ବର୍ଷ ମୋ ପାଇଁ ବହୁୁ କଷ୍ଟକର ଥିଲା। ଏହା ପରେ ସିସିଡି ଦ୍ୱାରା ମୁଁ ବ୍ରେଲି ଅକ୍ଷରରେ ପାଠପଢ଼ା ଆରମ୍ଭ କଲି। ମନରେ ଦୃଢ଼ ବିଶ୍ୱାସ ଆସିଲା। ଦିବ୍ୟାଙ୍ଗ ଯେ ଦିବ୍ୟ ଅଙ୍ଗଧାରୀ ଓ ଏମାନେ କାହା ଉପରେ ବୋଝ ନୁହନ୍ତି, ତାହା ସମାଜକୁ ଶିଖାଇବାକୁ ମୁଁ ଅଣ୍ଟା ଭିଡ଼ିଛି। ଗଜପତି ଜିଲ୍ଲାରେ ପ୍ରାୟ ୧୬ ହଜାର ଦିବ୍ୟାଙ୍ଗ ଅଛନ୍ତି। ସମସ୍ତଙ୍କୁ ସାବଲମ୍ବୀ କରିବାର ଲକ୍ଷ୍ୟ ସେ ରଖିଥିବା କହିଛନ୍ତି।

ଯାହାର କେହି ନାହିଁ, ତା’ର ଆମେ ଅଛୁ
ଯେତେବେଳେ ବି କୁହନ୍ତି, ସାରା ଦୁନିଆକୁ ନିଜର ବୋଲି କୁହନ୍ତି। କେହି ଏଠାରେ ଅସହାୟ ନୁହନ୍ତି। ଯାହାର କେହି ନାହିଁ, ତା’ର ଆମେ ଅଛୁ ବୋଲି କୁହନ୍ତି। ଖାଲି କଥାରେ ନୁହେଁ କାମରେ କରି ଦେଖାନ୍ତି। ‘ଶାମ୍ଭବୀ ବିଚାରକ ପ୍ରଶଂସା ପତ୍ର ପୁରସ୍କାର’ ବିଜେତା ବିଭୂତି କୁମାର ରାୟ ପରୋପକାରକୁ ଜୀବନ ବ୍ରତ ମାନି ନେଇଛନ୍ତି। ସେ ପେଶାରେ ଜଣେ ଅଟୋ ଚାଳକ। ଅଟୋ ଚଳାଇବା ଆରମ୍ଭ କରିବା ଦିନଠାରୁ ସେ ନିଜ ଉପାର୍ଜନକୁ ଅସୁବିଧାରେ ଥିବା ବ୍ୟକ୍ତି, ରୋଗୀ, ଦୁର୍ଘଟଣା ଓ ଚୋରି ଆଦିର ଶିକାର ହୋଇଥିବା ଲୋକଙ୍କ ପଛରେ ଖର୍ଚ୍ଚ କରନ୍ତି। ୨୦୦୬ରୁ ଏହି ସେବା ଯୋଗାଇ ଆସୁଥିବା ବିଭୂତି ରକ୍ତଦାନ କରିବା, ଅଙ୍ଗ ପ୍ରତ୍ୟାରୋପଣରେ ସାହାଯ୍ୟ କରିବା ଆଦି ସହ ଗର୍ଭବତୀ ନାରୀଙ୍କୁ ଡାକ୍ତରଖାନାକୁ ନେବା ଆଦି କାର୍ଯ୍ୟରେ ଜୀବନକୁ ଉତ୍ସର୍ଗ କରିଛନ୍ତି। ବର୍ତ୍ତମାନ ସେ ‘ସାବିତ୍ରୀ ଜନସେବା’ ନାମକ ଅନୁଷ୍ଠାନ ଖୋଲି ସେବା ଯୋଗାଇ ଚାଲିଛନ୍ତି।

ସମ୍ବନ୍ଧିତ ଖବର