ଦୃଷ୍ଟି ଆଢ଼ୁଆଳରେ ପଞ୍ଚୁପାଣ୍ଡବ ଗୁମ୍ଫା

ଭୁବନେଶ୍ବର: ନିରାପତ୍ତା ବ୍ୟବସ୍ଥା ଆଦୌଁ ନାହିଁ। ଅପରାହ୍‌ଣରେ ପାଲଟେ ପିଲାମାନଙ୍କ ଖେଳ ପଡ଼ିଆ। ରାତିରେ ଅସାମାଜିକଙ୍କ ଆଡ଼ା। ପଞ୍ଚମ ଓ ଷଷ୍ଠ ଶତାବ୍ଦୀରେ ନିର୍ମିତ ଐତିହ୍ୟ ‘ପଞ୍ଚୁପାଣ୍ଡବ ଗୁମ୍ଫା’ର ଏହା ହେଉଛି ବାସ୍ତବ ଚିତ୍ର। ବଡ଼ଗଡ଼ ବ୍ରିଟ୍‌ କଲୋନିରେ ଥିବା ଏହି ଗୁମ୍ଫା ରାଜ୍ୟ ପର୍ଯ୍ୟଟନର ମାନ୍ୟତା ଲାଭ କରିଛି। ଏହାର ଏପରି ଅବସ୍ଥା ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ। ଗୁମ୍ଫାରେ ପ୍ରବେଶ ପା‌ଇଁ କାହାକୁ ପ୍ରତିବନ୍ଧକ ନାହିଁ। ଏଠାରେ ଟିକେଟ୍‌ ବ୍ୟବସ୍ଥା ନାହିଁ। କୌଣସି ସୁରକ୍ଷାକର୍ମୀ ବି ମୁତୟନ ହୋଇ ନାହାନ୍ତି। ଯିଏ ଯେକୌଣସି ମୁହୂର୍ତ୍ତରେ ଏହା ମଧ୍ୟକୁ ଯାଇ ପାରିବ।
ଓଡ଼ିଶାର ପୁରାତନ ଐତିହ୍ୟ ସ୍ମାରକୀଗୁଡ଼ିକ ମଧ୍ୟରେ ପଞ୍ଚୁପାଣ୍ଡବ ଗୁମ୍ଫା ଅନ୍ୟତମ। ଏଠାରେ ରହିଛି ତିନୋଟି ଗୁମ୍ଫା। ପ୍ରଥମଟିରେ ୩ଟି ପ୍ରବେଶ ପଥ ରହିଛି। ଉକ୍ତ ଗୁମ୍ଫାରେ ଶିବଙ୍କ ଡମ୍ବରୁ ଆକୃତିର ୨ଟି ଖମ୍ବ ରହିଛି। ଏହି ଖମ୍ବ ପ୍ରାଚୀନ ଯୁଗର ବୋଲି କୁହାଯାଏ। ଏହାର ପଶ୍ଚିମକୁ ଆଉ ୨ଟି ଗୁମ୍ଫା‌ ରହିଛି। ଗୁମ୍ଫାରେ ଷଷ୍ଠ ଶତାବ୍ଦୀରେ ନିର୍ମିତ ପାଶୁ ପତାଚାର୍ଯ୍ୟ ଲକୁଳଶଙ୍କ ବିଗ୍ରହ ସ୍ଥାପିତ ହୋଇଥିବା ଦେଖିବାକୁ ‌ମିଳେ। ଗୁମ୍ଫା ଭିତରେ ପଞ୍ଚୁ ପାଣ୍ଡବଙ୍କ କଳାମୁଗୁନି ପଥର ମୂର୍ତ୍ତି ରହିଛି। ଏସବୁ ଗୁମ୍ଫା ଦକ୍ଷିଣ ମୁହାଁ। ଏଠାରେ ପ୍ରତିବର୍ଷ ଅଭିଜଳା ପୂଣ୍ଣିର୍ମା ‌ଜାକଜମକରେ ପାଳିତ ହୁଏ। କିନ୍ତୁ ଗୁମ୍ଫାର ରକ୍ଷଣାବେକ୍ଷଣା ଅଭାବ ସଂସ୍କୃତି ଓ ଐତିହ୍ୟ ପ୍ରେମୀଙ୍କୁ ବ୍ୟଥିତ କରିଛି।

ଏନେଇ ପଞ୍ଚୁ ପାଣ୍ଡବ ଫାଉଣ୍ଡେସନ୍‌ର ସଭାପତି ଦିଲ୍ଲୀପ ହାଲି କୁହନ୍ତି, ଏହି ଗୁମ୍ଫାର ପୁନଃପ୍ରତିଷ୍ଠିତ କରିବାକୁ ଆମେ ଉଦ୍ୟମ ଜାରି ରଖିଛୁ। କିନ୍ତୁ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଏନେଇ ଅଧିକ ଯତ୍ନଶୀଳ ହେବା ଉଚିତ। ଗୁମ୍ଫାର ଅନେକ ସ୍ଥାନ ଜବରଦଖଲରେ ରହିଛି। ଏହି ସ୍ଥାନଗୁଡ଼ିକୁ ଜବରଦଖଲ ମୁକ୍ତ କଲେ ଗୁମ୍ଫାର ସୌନ୍ଦର୍ଯ୍ୟକାରଣ କାର୍ଯ୍ୟ କରାଯାଇ ପାରିବ। ଏହାଛଡ଼ା ଏଠାରେ ବର୍ଷା ଦିନେ ଗୁରୁତର ସମସ୍ୟା ସୃଷ୍ଟି ହୁଏ। ବର୍ଷା ଦିନେ ଗୁମ୍ଫାର ଉପରପାର୍ଶ୍ବରୁ ପାଣି ଆସି ଭିତରେ ପଶେ। ଜଳ ନିଷ୍କାସନର କୌଣସି ସୁବିଧା ନଥିବାରୁ ବର୍ଷା ଦିନେ ଗୁମ୍ଫା ସମ୍ପୂର୍ଣ୍ଣ ଭାବେ ପାଣିରେ ବୁଡ଼ି ରୁହେ। ଏଭଳି ପାଣିରେ ସବୁବେଳେ ବୁଡ଼ି ରହିଲେ ଏହି ଐତିହ୍ୟ ସ୍ମାରକୀ ଦବିଯିବ କିମ୍ବା ନଷ୍ଟ ହୋଇଯିବାର ଆଶଙ୍କା ଥିବାରୁ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଏନେଇ ଖୁବ୍‌ ଶୀଘ୍ର ପଦକ୍ଷେପ ନେବାକୁ ସେ କହିଛନ୍ତି। ଏହାଛଡ଼ା ଗୁମ୍ଫା ପାଇଁ ନିରାପତ୍ତା ଅଧିକାରୀଙ୍କ ନିଯୁକ୍ତି ଜରୁରୀ ବୋଲି ସେ କହିଥିଲେ। କୌଣସି ନିରାପତ୍ତା ବ୍ୟବସ୍ଥା ନଥିବା ତଥା ପାଚେରି ଉଚ୍ଚ ହୋଇ ନଥିବାରୁ ସଂଧ୍ୟା ହେଲେ ଏହା ମଦ୍ୟପଙ୍କ ଆଡ଼ା ପାଲଟିଯାଏ ବୋଲି ସେ କହିଛନ୍ତି। ପୁଣି ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନଥିବାରୁ ଓ ଗୁମ୍ଫାର ପଶ୍ଚିମ ପାର୍ଶ୍ବରେ ପାଚେରି ନଥିବାରୁ ଅସାମାଜିକ ଲୋକଙ୍କୁ ଏହା ବେଶ୍ ସୁହାଉଛି। ଏପଟେ ମାତ୍ର ଦୁଇଟି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇ ଦେଇ ସରକାର ନିଜ କାମ ସାରିଦେଇଛନ୍ତି। ସ୍ଥାନୀୟ ବାସିନ୍ଦା ମହେଶ ପ୍ରସାଦ ମିଶ୍ର କହିଛନ୍ତି, ଏହି ଗୁମ୍ଫାର ବିକାଶ ପାଇଁ ଏବେ ବ୍ୟବସ୍ଥା ଆରମ୍ଭ ହୋଇଛି। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ୩ ଲକ୍ଷ ଟଙ୍କା ଆସି ପାହାଚ, ପାଚେରି ସହ ଗୁମ୍ଫାର ଛାତ ତିଆରି ହୋଇଛି। ଆହୁରି ଅନେକ କାମ ରହିଯାଇଥିବା ବେଳେ ଏଠାରେ ବଡ଼ଗଡ଼ ଗ୍ରାମ ଓ କଲୋନି ଲୋକଙ୍କ ଝଗଡ଼ା ଯୋଗୁଁ ଗୁମ୍ଫାର ବିକାଶ କାର୍ଯ୍ୟ ଆ‌ଗକୁ ବଢ଼ିପାରୁନି। ନିକଟରେ ହୋଇଥିବା ପଞ୍ଚୁ ପାଣ୍ଡବ ମହୋତ୍ସବ ମଧ୍ୟ ଏଥିପାଇଁ ସଫଳ ହୋଇପାରିନାହିଁ ବୋଲି ସେ କହିଛନ୍ତି। ସରକାର ତଥା ସ୍ଥାନୀୟ ଲୋକଙ୍କ ସହଯୋଗ ଦ୍ବାରା ହିଁ ଗୁମ୍ଫାର ବିକାଶ ସମ୍ଭବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର