ସାହା ହେଲେନି ସରକାର : ଆଖି ବୁଜିଲେ ପକ୍ଷାଘାତ ରୋଗୀ ମୋହନ

ମଲା ପରେ ବି ମିଳିଲାନି ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା

ଜଟଣୀ : ସରକାରୀ ସହାୟତାକୁ ଚାହିଁ ଚାହିଁ ଶେଷରେ ଆଜି ଆଖି ବୁଜିଛନ୍ତି ପକ୍ଷାଘାତ ରୋଗୀ ଗରିବ ମୋହନ ନାୟକ (୪୫)। କିନ୍ତୁ ତାଙ୍କ ନିକଟରେ ସହାୟତା ପହଞ୍ଚି ପାରିଲାନି। ଏପରିକି ମଲା ପରେ ମଧ୍ୟ ଶବ ସଂସ୍କାର କରିବାକୁ ହରିଶ୍ଚନ୍ଦ୍ର ଯୋଜନାରେ ତାଙ୍କ ପରିବାରକୁ ଟଙ୍କାଟିଏ ବି ମିଳିପାରିନାହିଁ। କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ଜଣାପଡ଼ିଛି। ମୋହନଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାରଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଆଗକୁ କେମିତି ପରିବାରର ଗୁଜୁରାଣ ମେଣ୍ଟିବ, ସେଇ ଚିନ୍ତା ଘାରିଲାଣି।

ଜଟଣୀ ପୌରାଞ୍ଚଳ ୭ନଂ ଓ୍ଵାର୍ଡ ବାଲିଚକ ମୁଣ୍ଡିସାହି ରାସ୍ତାକଡ଼ ଝୁମ୍ପୁଡ଼ି ଘରେ ରହୁଥିବା ମୋହନ ମୂଲ ଲାଗି ତାଙ୍କ ୭ ପ୍ରାଣୀ କୁଟୁମ୍ବକୁ ପୋଷୁଥିଲେ। କିନ୍ତୁ ଗତ ୪ ମାସ ତଳେ ସେ ପକ୍ଷାଘାତ ରୋଗରେ ପୀଡ଼ିତ ହେବାରୁ ତାଙ୍କ ପରିବାର ଉପରେ ଦୁଃଖର କଳାବାଦଲ ଘୋଟି ଯାଇଥିଲା। କାମକୁ ଯିବା ତ ଦୂରର କଥା, ମୋହନ ଚାଲି ବୁଲି ନ ପାରିବାରୁ ତାଙ୍କ ପରିବାର ଦୁର୍ଦିନ ମଧ୍ୟରେ ଗତି କରୁଥିଲା। ଓଳିଏ ଖାଇଲେ ପରିବାରଲୋକେ ଦି ଓଳି ଉପାସରେ କାଟୁଥିଲେ। ଏପରି ଅବସ୍ଥାରେ ବି ସ୍ଥାନୀୟ ରାଜନେତା କିମ୍ବା ପ୍ରଶାସନ ତାଙ୍କୁ ସହାୟତାର ହାତ ବଢ଼ାଇଲେ ନାହିଁ। ସରକାରୀ ସହାୟତାକୁ ଚାହିଁ ଚାହିଁ ଆଜି ଅପରାହ୍‌ଣ ପ୍ରାୟ ୩ଟାରେ ମୋହନ ଆଖି ବୁଜିଲେ। କିନ୍ତୁ ମୃତ୍ୟୁ ପରେ ବି ତାଙ୍କ ଶବ ସଂସ୍କାର କରିବା ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ତାଙ୍କ ପରିବାରକୁ ଟଙ୍କାଟିଏ ମିଳିପାରିଲା ନାହିଁ। କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ପରିବାରଲୋକ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଏନେଇ ନାରୀନେତ୍ରୀ ନମିତା ପାଳ ପ୍ରଶାସନକୁ ତୀବ୍ର ନିନ୍ଦା କରିବା ସହ ମୋହନଙ୍କ ପରିବାରକୁ ଶୀଘ୍ର ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର