ଅନନ୍ୟା ପାର୍ବତୀ

ଭୁବନେଶ୍ୱର : ରକ୍ଷଣଶୀଳ ସମାଜରେ ଯେବେ ମହିଳାମାନଙ୍କ ସାମ୍ନାରେ କଟକଣାର ବାଡ଼ ପଡ଼ିଥିଲା ସେବେ ଚଳଚ୍ଚିତ୍ର ଜଗତରେ ନିର୍ଦେଶିକା ଭାବେ ନିଜକୁ ଆବିଷ୍କାର କରିବା ଦୁଃସାହସଠୁ କମ୍‌ ନଥିଲା। ମାତ୍ର ଏହି ଅବାସ୍ତବ ପରିକଳ୍ପନାକୁ ସାକାର କରି ଦେଖାଇଥିଲେ କଟକ ଝିଅ ପାର୍ବତୀ ଘୋଷ। ‘ଛଅ ମାଣ ଆଠ ଗୁଣ୍ଠ’ର ପ୍ରଯୋଜନା ଓ ନିର୍ଦେଶନା ଦେଇ ସେ ପୂର୍ବ ଭାରତର ପ୍ରଥମ ମହିଳା ନିର୍ଦେଶିକା ଭାବେ ଚଳଚ୍ଚିତ୍ର ଇତିହାସରେ ପାଲଟି ଯାଇଥିଲେ ଚର୍ଚିତ ବ୍ୟକ୍ତିତ୍ୱ।

ଚପଳା-ଚନ୍ଦନା-ପାର୍ବତୀ-ଶ୍ରାବଣୀ
ଚଳଚ୍ଚିତ୍ର ଜଗତର ସେ ଏମିତି ଏକ ବ୍ୟକ୍ତିତ୍ୱ ଥିଲେ ଯିଏ ଗୋଟିଏ ନାଁ’ରେ ସୀମିତ ନଥିଲେ। ପିଲାବେଳର ନାଁ ଥିଲା ‘ଚପଳା’। ହେଲେ ଯେବେ ଅଭିନୟକୁ ଆସିଲେ ସେ ପାଲଟି ଗଲେ ‘ଚନ୍ଦନା’। ଆଉ ଯେବେ ‘ସ୍ତ୍ରୀ’ ଚଳଚ୍ଚିତ୍ରର ନାଟ୍ୟକାର ଭାବେ ନିଜକୁ ଆବିଷ୍କାର କଲେ ସେତେବେଳେ ସେ ପାଲଟି ଯାଇଥିଲେ ‘ଶ୍ରାବଣୀ’। ପୁଣି ଯେବେ ଗୌର ଘୋଷଙ୍କୁ ବିବାହ କଲେ ସେ ପାଲଟି ଗଲେ ‘ପାର୍ବତୀ’। ବୋଧହୁଏ ସମଗ୍ର ଚଳଚ୍ଚିତ୍ର ଇତିହାସରେ ନିଜକୁ ଭିନ୍ନଭିନ୍ନ ନାଁରେ ପରିପ୍ରକାଶ କରିବାରେ ସେ ଥିଲେ ପ୍ରଥମ ବ୍ୟକ୍ତିତ୍ୱ।

କଳ୍ପନାରେ ରହିଗଲା ବାୟୋଗ୍ରାଫି
ପାର୍ବତୀ ଘୋଷ ଲେଖାଲେଖିରେ ବି ରୁଚି ରଖୁଥିଲେ। ତେବେ ନିକଟରେ ସୁଚିତ୍ରା ସେନ୍‌ଙ୍କ ବାୟୋଗ୍ରାଫି ପଢ଼ି ସେ ଗଭୀର ପ୍ରଭାବିତ ହୋଇଥିଲେ। ସେଥିପାଇଁ ସେ ବହିକୁ ବାରମ୍ବାର ପଢ଼ୁଥିଲେ। ଏହି ଆଧାରରେ ସେ ନିଜର ଏକ ବାୟୋଗ୍ରାଫି ରଚନା କରିବେ ବୋଲି ନିକଟରେ କଥାବାର୍ତା ବେଳେ ସେ ପ୍ରକାଶ କରିଥିଲେ। କିନ୍ତୁ ତାଙ୍କର ଏହି କଳ୍ପନା ସାକାର ହୋଇପାରିଲାନି।

ନୃତ୍ୟ ସଂଯୋଜନାରେ ବି ଥିଲେ ପାରଙ୍ଗମ
ଅନେକ ହୁଏତ ତାଙ୍କୁ କେବଳ ଅଭିନେତ୍ରୀ, ନିର୍ଦେଶିକା, ପ୍ରଯୋଜିକା ଭାବେ ଜାଣିଥିବେ। କିନ୍ତୁ ପାର୍ବତୀ ଘୋଷ ଯେ ନିଜ ଚଳଚ୍ଚିତ୍ରରେ ନୃତ୍ୟ ସଂଯୋଜନା କରୁଥିଲେ ତାହା ଅନେକଙ୍କୁ ମାଲୁମ୍‌ ନଥିବ। ଯଦିଓ ତାଙ୍କର କିଛି ଚଳଚ୍ଚିତ୍ରରେ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟ ନିର୍ଦେଶକ ଥିଲେ କିନ୍ତୁ ନୃତ୍ୟ ପରିଚାଳନା କରିଥିଲେ ପାର୍ବତୀ। ‘ସଂସାର’ ଚଳଚ୍ଚିତ୍ରର ‘ଆଲୋ କଳା ଶାରୀ କିଏ ତାର ଶୁଆ.., ସ୍ତ୍ରୀ ଚଳଚ୍ଚିତ୍ରର ‘ନାରୀ ତୁ ସର୍ବସଂହା…ଭଳି ଗୀତରେ ନୃତ୍ୟ ସଂଯୋଜନା କରିଥିଲେ। ସ୍ତ୍ରୀ ଚଳଚ୍ଚିତ୍ରର ନାଟ୍ୟକାର ‘ଶ୍ରାବଣୀ’ ମଧ୍ୟ ପାର୍ବତୀ ଘୋଷଙ୍କର ଏକ ଛଦ୍ମ ନାମ।

କ୍ଲାସିକ୍‌ ରଚନାକୁ ଚିତ୍ରରେ ରୂପାନ୍ତର ତାଙ୍କୁ ଅମର ରଖିବ
ପାର୍ବତୀ ଘୋଷ ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ବ୍ୟକ୍ତିତ୍ୱ। ଓଡ଼ିଆ ସାହିତ୍ୟର କ୍ଲାସିକ୍‌ ରଚନାକୁ ଚିତ୍ରରେ ରୂପାନ୍ତରଣ କରି ସେ ନିଜର ବଳିଷ୍ଠ ପ୍ରତିଭାର ପରିଚୟ ଦେଇଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ ରହିବ ବୋଲି ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୋକବାର୍ତାରେ କହିଛନ୍ତି।
ଅଶୋକ ଚନ୍ଦ୍ର ପଣ୍ଡା (ସଂସ୍କୃତି ମନ୍ତ୍ରୀ)

ଓଡ଼ିଆ ଚଳଚ୍ଚିତ୍ରର ଅପୂରଣୀୟ କ୍ଷତି
ଜୟଦେବ ପୁରସ୍କାର ଏବଂ ଜାତୀୟ ପୁରସ୍କାରର ଅଧିକାରିଣୀ ହୋଇ ପାର୍ବତୀ ଘୋଷ ଖାଲି ଓଡ଼ିଆଙ୍କ ପାଇଁ ଖ୍ୟାତି ଆଣିନାହାନ୍ତି ବରଂ ଅନେକ ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ତାଙ୍କର ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ଶ୍ରୀ ପ୍ରଧାନଙ୍କ ସମେତ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ କେଭି ସିଂହଦେଓ ଅମର ଆତ୍ମାର ସଦ୍‌ଗତି କାମନା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ରାଜ୍ୟ ବିଜେପି

ସାହିତ୍ୟକୁ ଚଳଚ୍ଚିତ୍ରରେ ରୁଦ୍ଧିମନ୍ତ କରିଛନ୍ତି
ଓଡ଼ିଆ ଭାଷା ଓ ସାହିତ୍ୟକୁ ଚଳଚ୍ଚିତ୍ର ମାଧ୍ୟମରେ ଆଦୃତି ଦେବାରେ ପାର୍ବତୀ ଘୋଷଙ୍କ ଭୂମିକା ଜନମାନସରେ ଚିର ଜାଜ୍ଜଲ୍ୟମାନ ହୋଇ ରହିବ। ସିନେ ପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପାର୍ବତୀ ଘୋଷଙ୍କ ବିୟୋଗରେ ତାଙ୍କର ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି ସଂସ୍କୃତି ବିଭାଗର ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ।
ମନୋରଂଜନ ପାଣିଗ୍ରାହୀ, ସଂସ୍କୃତି ବିଭାଗ ସଚିବ

ଚଳଚ୍ଚିତ୍ର ଜଗତ ଥିବା ଯାଏଁ ପାର୍ବତୀ ଘୋଷ ଅମର ରହିବେ
ଓଡ଼ିଆ ଜନ ମାନସରେ ପାର୍ବତୀ ଘୋଷ ସ୍ୱତନ୍ତ୍ର ନାଁ ହୋଇ ରହିଥିଲେ, ଭବିଷ୍ୟତରେ ରହିବେ ମଧ୍ୟ। ତାଙ୍କ ଅମ୍ଳାନ କୃତୀ ଓଡ଼ିଆ ଚଳଚ୍ଚିତ୍ର ଜଗତ ତିଷ୍ଠିଥିବା ପର୍ଯ୍ୟନ୍ତ ଅମର ରହିବ ବୋଲି ଓଡ଼ିଶା ସିନେ କ୍ରିଟିକ୍‌ ଆସୋସିଏସନ୍‌ର ଦିଲ୍ଲୀପ ହାଲି କହିଛନ୍ତି।
ଦିଲ୍ଲୀପ ହାଲି, ଓଡ଼ିଶା ସିନେ କ୍ରିଟିକ୍‌ ଆସୋସିଏସନ୍‌

ସମ୍ବନ୍ଧିତ ଖବର