ଗୌର ପାଇଁ ପାର୍ବତୀର ଖ୍ୟାତି

ଭୁବନେଶ୍ୱର: ଯଦି ଗୌର ଘୋଷ୍‌ଙ୍କୁ ବାହା ନହୋଇଥା’ନ୍ତି, ମୁଁ କେବେ ପାର୍ବତୀ ଘୋଷ୍‌ ହୋଇପାରି ନଥା’ନ୍ତି। ହୁଏତ ସେଇନେ ପରଦା ଉପରକୁ ଆସି କେଇଦିନ ପରେ ଉଭେଇ ଯାଇଥାଆନ୍ତି। ପାର୍ବତୀ ଘୋଷଙ୍କ ମୁହଁରୁ ଗୌର ଦା’ଙ୍କ ବାବଦରେ ଦୁଇ ଧାଡ଼ିିଆ ଶ୍ରଦ୍ଧା ହିଁ ଥିଲା ଯଥେଷ୍ଟ। ବୋଧେ ସେଇଥି ପାଇଁ ଗୌର ଘୋଷ ଚଳଚ୍ଚିତ୍ର ଜଗତର ଏମିତି ଜଣେ ମଣିଷ ଥିଲେ, ଯିଏ ଚପଳା ନାୟକଙ୍କ ଭଳି ଝିଅଟିକୁ ପାର୍ବତୀ ଘୋଷ ସଜେଇ ଖ୍ୟାତି ଆଣି ଦେଇପାରୁଥିଲେ। ପୁଣି ତାଙ୍କ ହାତଧରି ଚଳଚ୍ଚିତ୍ରର ପାହାଚ ଚଢୁଥିବା ଅନେକ କଳାକାରଙ୍କ ପାଇଁ ସେ ପ୍ରସିଦ୍ଧିର ବାଟ ପ୍ରଶସ୍ତ କରିଦେଉଥିଲେ। ଆସନ୍ତାକାଲି ଚଳଚ୍ଚିତ୍ର ଜଗତର ଏହି ପ୍ରବାଦ ପୁରୁଷଙ୍କ ମହାପ୍ରୟାଣ ଦିବସ ପଡ଼ୁଥିବା ବେଳେ ଚଳଚ୍ଚିତ୍ର ଜଗତରେ ସେ ସୃଷ୍ଟି କରି ଦେଇଯାଇଥିବା ଶୂନ୍ୟସ୍ଥାନ ଏବେ ବି ଅପୂର୍ଣ୍ଣ। ଅନେକ ହୁଏତ ଜାଣି ନଥିବେ ଗୌର ଦା’ ଥିଲେ ପ୍ରଥମ ପେସାଦାର ପ୍ରଯୋଜକ ତଥା ବିତରକ। ଦିନେ ରେଭେନ୍ସା କଲେଜ୍‌ର ମଞ୍ଚରୁ ତାଙ୍କ କଳାକାର ଜୀବନର ମୂଳଦୁଆ ପଡ଼ିଥିଲା। ମନୋରଂଜନ ଦାସଙ୍କ ‘ଅଗଷ୍ଟ ନ’ ଏବଂ କାଳୀଚରଣ ପଟ୍ଟନାୟକଙ୍କ ‘ଭାତ’ ନାଟକରେ ତାଙ୍କର ଚର୍ଚିତ ଅଭିନୟ ତାଙ୍କୁ ନିଖୁଣ ଅଭିନେତାର ପରିଚୟ ଦେଇଥିଲା। ପରେ ଶ୍ରୀଜଗନ୍ନାଥ, ଆମରି ଗାଁ ଝୁଅ, କେଦାରଗୌରୀ ଭଳି ଓଡ଼ିଆ ଏବଂ ‘ସଦ୍‌ମା’ ଭଳି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କଲେ। ହେଲେ ମନ ବୁଝିଲାନି। ଦୀର୍ଘଦିନ ଧରି ଚାଲିଥିବା ସୌଖିନ୍‌ ପ୍ରଯୋଜନା ପରମ୍ପରାକୁ ଭାଙ୍ଗି ନିଜେ ପ୍ରଯୋଜନାକୁ ପେସା କରିବାକୁ ନିଷ୍ପତ୍ତି ନେଲେ। ‘ଭାଇ ଭାଇ’, ମା, ଲକ୍ଷ୍ମୀ, କା’, ସ୍ତ୍ରୀ, ସଂସାର, ସମାଧାନ ଭଳି ଚଳଚ୍ଚିତ୍ର ନିର୍ମାଣ କରି ଦୃଢ଼ ସାମାଜିକ ବାର୍ତା ଦେଲେ। ଗୌର ଦା ଯୁଆଡ଼େ ବି ସୁଟିଂ କରିବାକୁ ଯାଉଥିଲେ ସେଥିରେ ଯେମିତି ଓଡ଼ିଆର ବାସ୍ନା ରୁହେ ସେ କଥା ଭୁଲୁନଥିଲେ। ସ୍ତ୍ରୀ’ ଚଳଚ୍ଚିତ୍ରର ସୁଟିଂ ବେଳେ ସେ ହାଣ୍ଡି ଡେକ୍‌ଚି ବି ଓଡ଼ିଶାରୁ ନେଇ ଚଳଚ୍ଚିତ୍ର ଦୃଶ୍ୟକୁ ଚିତ୍ରାୟିତ କରିଥିଲେ ବୋଲି କହିଛନ୍ତି ସଂଗୀତ ନିର୍ଦେଶକ ସ୍ୱରୂପ ନାୟକ।

ଗୌର ଦା’ ନିଜର ଏହି ପେସାଦାର ଚଳଚ୍ଚିତ୍ର ଜୀବନ ଭିତରେ ସେ ହାତଧରି ଟାଣି ଆଣିଥିଲେ ଭୁବନେଶ୍ୱର ମିଶ୍ର, ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମ, ଗୁରୁକୃଷ୍ଣ ଗୋସ୍ୱାମୀ, ସ୍ୱରୂପ ନାୟକ, ଅନନ୍ତ ମହାପାତ୍ରଙ୍କ ଭଳି କଳାକାରଙ୍କୁ। ଯେଉଁ ସୁଯୋଗ ପରେ ଏହି କଳାକାରମାନେ କିମ୍ବଦନ୍ତୀ ତାଲିକାରେ ନିଜକୁ ଯୋଡ଼ି ପାଲଟି ଯାଇଥିଲେ ଜଣେଜଣେ ଚିହ୍ନା ମୁହଁ।  ପ୍ରଶ୍ନ, ସୋପାନ, ଯଶୋଧାରା ଭଳି ହିନ୍ଦୀ ଟେଲି ଫିଲ୍ମ ନିର୍ମାଣ କରିବା ସହ କଳାତ୍ମକ ମୂଲ୍ୟବୋଧକୁ ସର୍ବଦା ଗୁରୁତ୍ୱ ଦେଉଥିଲେ। ଅକ୍ଷୟ ମହାନ୍ତି ଗୌର ଦା’ଙ୍କ ବାବଦରେ ‘ସିନ୍‌ ନଂ ୬୬’ ସ୍ମରଣିକାରେ ଲେଖିଥିଲେ, ସେ କ’ଣ କରିଛନ୍ତି, କରୁଛନ୍ତି ବା କରିବେ ସେ ବିଷୟରେ ସେ କାହାକୁ ଜଣାନ୍ତି ନାହିଁ। ବୋଧହୁଏ ସେଇଥିପାଇଁ ସେ ନିଜ ଦେହରେ ଏତେ ଶକ୍ତ ରୋଗଟିଏ ହୋଇ ବି ମତେ କହିନଥିଲେ। ଯେଉଁମାନେ ନିଜ ଶିଙ୍ଘରେ ମାଟି ତାଡ଼ି ମଣିଷ ହୁଅନ୍ତି ସେମାନେ କାହାର ସହାନୁଭୂତିକୁ ଅପେକ୍ଷା କରନ୍ତି ନାହିଁ। ଗୌର ଦା ଥିଲେ ଏହିପରି ଜଣେ ଚରିତ୍ର। ସାଲବେଗକୁ ନେଇ ଯେତେବେଳେ ସେ ଚଳଚ୍ଚିତ୍ର କରିବାକୁ ପ୍ରସ୍ତୁତ ହେଉଥିଲେ କର୍କଟ ଭଳି ବ୍ୟାଧି ତାଙ୍କୁ ଭିତରେ ଭିତରେ ଗ୍ରାସି ସାରିଥିଲା। ନଭେମ୍ବର ୨୨ତାରିଖରେ କଟକ ବଡ଼ ମେଡିକାଲ୍‌ର ବେଡ୍‌ ଉପରେ ପୂରା ପରିବାର ଗହଣରେ ପାଳିତ ହୋଇଥିଲା ତାଙ୍କର ଜନ୍ମଦିନ। ଆଉ ସେଇ ୧୯୯୪ ମସିହା ଡିସେମ୍ବର ୯ରେ ସେ ଦୁନିଆ ଛାଡ଼ି ଚାଲିଗଲେ ଆରପୂରକୁ। ଗୌର ଦା’ଙ୍କ ବାଟରେ ଅଟକି ଯାଇଥିବା ସାଲବେଗକୁ ସମ୍ପୂର୍ଣ୍ଣ କରିଥିଲେ ପାର୍ବତୀ।

ସମ୍ବନ୍ଧିତ ଖବର