ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣ ଅନ୍ତରାଳେ : ପୂର୍ବ ମୁଖ୍ୟ ଶାସନ ସଚିବଙ୍କୁ ବି ଆସିଥିଲା ଡିଟୋନେଟର୍‌ ପାର୍ସଲ

୬ ବର୍ଷ ପରେ ମଧ୍ୟ ଗିରଫ ହୋଇନି ପାର୍ସଲ ପ୍ରେରକ

ଭୁବନେଶ୍ୱର : ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚା। କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାର ତଦନ୍ତ କରି ମାଷ୍ଟରମାଇଣ୍ଡ୍‌ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଛି। ସେ ଏବେ କ୍ରାଇମ୍‌ବ୍ରାଞ୍ଚର ରିମାଣ୍ଡରେ। କେବଳ ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣ କାହିଁକି ଏଭଳି ଏକ ଡିଟୋନେଟ୍‌ର ପାର୍ସଲ ୨୦୧୨ ମସିହା ଫେବ୍ରୁଆରି ୧୦ ତାରିଖରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ନିକଟକୁ ମଧ୍ୟ ଆସିଥିଲା। ପରେ ପରେ ନିର୍ବାଚନ କମିସନଙ୍କ ନିକଟକୁ ମଧ୍ୟ ଆଉ ଏକ ପାର୍ସଲ ଆସିଥିଲା। ଏ ନେଇ କମିସନରେଟ୍‌ ପୁଲିସ ପକ୍ଷରୁ ଖାରବେଳନଗର ଓ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଥିଲା କି, ପାର୍ସଲଟି ଢେଙ୍କାନାଳ ଜିଲ୍ଲାର ମାଓ ଅଧ୍ୟୁଷିତ ଅଞ୍ଚଳ କଙ୍କଡ଼ାହାଡ଼ ଅଞ୍ଚଳରୁ ଆସିଥିଲା। ପାର୍ସଲରେ ସ୍ଥାନୀୟ ଅଞ୍ଚଳର ସମସ୍ୟା ସମ୍ପର୍କରେ ଏକ ଚିଠି ମଧ୍ୟ ଥିଲା। କିନ୍ତୁ କିଏ ସେହି ପାର୍ସଲ ପଠାଇଥିଲା, ପାର୍ସଲ ପଠାଇବାର ଉଦ୍ଦେଶ୍ୟ କ’ଣ ଥିଲା, ତାହା ଏଯାଏ ପୁଲିସ ଜାଣି ପାରିଲା ନାହିଁ। ସେତେବେଳର ସେହି ପାର୍ସଲ ଡିଟୋନେଟର୍‌ ଏବେ ବି ରହସ୍ୟମୟ ହୋଇ ରହିଛି।

ସେହିପରି ୨୦୧୫ ଫେବ୍ରୁଆରି ୫ ତାରିଖରେ ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ଚିଠି ବାକ୍ସରୁ ଏକ ଚିଠି ମିଳିଥିଲା। ଯେଉଁଥିରେ ଓଡ଼ିଆରେ ଉଲ୍ଲେଖ ରହିଥିଲା, ଟାଇମ୍‌ ବମ୍‌ ଲଗାଇ ନବୀନ ନିବାସ, ବିଧାନସଭା ଓ ବିଜେପି କାର୍ଯ୍ୟାଳୟ ଉଡ଼ାଇଦେବ ବୋଲି। ଚିଠିଟିକୁ କମିସନରେଟ୍‌ ପୁଲିସ ଗୃହ ବିଭାଗକୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏ ନେଇ ସହିଦନଗର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ସେହି ସମୟରେ ବିଧାନସଭା ଚାଲୁଥିବାରୁ ପୁଲିସ ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇଥିଲା। ଏହାଛଡ଼ା କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଓଡ଼ିଶାରେ ଆତଙ୍କବାଦୀଙ୍କ ସମ୍ଭାବ୍ୟ ଆକ୍ରମଣ ନେଇ ସୂଚନା ଦେଇଥିଲେ। ଏଭଳି ଏକ ଧମକପୂର୍ଣ ଚିଠି ପାଇବା ପରେ ପୁଲିସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଥିଲା। ସୁରକ୍ଷା ଟିମ୍‌ରେ ସାମିଲ୍‌ ହୋଇଥିଲା ଜାମର୍‌ ଓ ଗୁଳି ନିରୋଧକ ଗାଡ଼ି। ମୁଖ୍ୟମନ୍ତ୍ରୀଙ୍କ ଯିବା ଆସିବା ସମୟରେ ନବୀନ ନିବାସରୁ ସଚିବାଳୟ ଯାଏ କଡ଼ା ପହରା ବ୍ୟବସ୍ଥା ହେଲା। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ସଶସ୍ତ୍ର ଯବାନ ପଇଁତରା ମାରୁଛନ୍ତି। ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅଧିକ ଟାଣ କରି ଦିଆଯାଇଥିଲା। କିନ୍ତୁ ପୁଲିସ ଏଯାଏ କିଏ ଚିଠି ପଠାଇଥିଲା, ତାକୁ ଗିରଫ କରିବାରେ ସକ୍ଷମ ହୋଇ ପାରି ନାହିଁ। ବଡ଼ କଥା ହେଉଛି ଚିଠିଟି ଡାକରେ ଆସି ନଥିଲା। ବରଂ କେହି ସିଧାସଳଖ ପୋଷ୍ଟକାର୍ଡକୁ ଆଣି ଚିଠି ବାକ୍ସରେ ପକାଇ ଚାଲି ଯାଇଥିଲା।

ସେହିପରି ଡିସିପିଙ୍କ କାର୍ଯ୍ୟାଳୟକୁ ମଧ୍ୟ ସେହି ମାସରେ ଆଉ ଏକ ଧମକପୂର୍ଣ ଚିଠି ଆସିଥିଲା। ଏ ନେଇ ସହିଦନଗର ଥାନା ପୁଲିସ ମାମଲା ରୁଜୁ କରିଥିଲା। କିନ୍ତୁ ଏସବୁ ମାମଲା କେବଳ ମାମଲା ହୋଇ ରହି ଯାଇଛି। ଏଯାଏ କିଏ ସେହି ପାର୍ସଲ ଡିଟୋନେଟର ପ୍ରେରକ ଓ ଚିଠି ପ୍ରେରକ ତାହା ଜାଣିବାକୁ ପୁଲିସ ସକ୍ଷମ ହୋଇ ପାରିନାହିଁ।

ସମ୍ବନ୍ଧିତ ଖବର