୮ନଂ ଡିଏଭି ସମ୍ମୁଖରେ ଅବିଭାବକ ସଂଘର ଧାରଣା

ଭୁବନେଶ୍ୱର : ଚକ୍ରବୃଦ୍ଧି ହାରରେ ସ୍କୁଲ ଫି’ ବୃଦ୍ଧି ଓ ସରକାରଙ୍କ ପ୍ରଦତ୍ତ ଖେଳ ପଡ଼ିଆରେ ହଷ୍ଟେଲ ଗୃହ ନିର୍ମାଣ କରିବାକୁ ପ୍ରୟାସ କରିବା ପ୍ରତିବାଦରେ ଆଜି ଡିଏଭି ପ୍ୟାରେଣ୍ଟ୍‌ସ ଆସୋସିଏସନ ପକ୍ଷରୁ ୮ ନମ୍ବର ଡିଏଭି ସମ୍ମୁଖରେ ଧାରଣା ଦିଆଯାଇଥିଲା। ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଖେଳ ପଡ଼ିଆରେ ସ୍କୁଲ କର୍ତୃର୍ପକ୍ଷ ଏକ ନୂତନ ଗୃହ ନିର୍ମାଣ କରି ସେଥିରେ ହଷ୍ଟେଲ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏହାକୁ ବିରୋଧ କରିବାରୁ ଅଭିଭାବକମାନଙ୍କୁ ଦୁର୍ବ୍ୟବହାର କରାଯାଉଛି। ଏ ସଂପର୍କରେ ଗତ ୩୦ ତାରିଖରେ ଅଭିଭାବକମାନେ ସ୍କୁଲ୍‌ ପ୍ରଧାନ ଶିକ୍ଷକଙ୍କୁ ଭେଟି ସ୍କୁଲର ଚେୟାରମ୍ୟାନଙ୍କ ସହ ଏକ ସାକ୍ଷାତକାର ରଖିବାକୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ ରକ୍ଷା କରି ସ୍କୁଲ କର୍ତ୍ତୃପକ୍ଷ ଆଜି ସନ୍ଧ୍ୟା ୬ଟାରେ ଚେୟାରମ୍ୟାନଙ୍କ ସହ ସାକ୍ଷାତକାର ପାଇଁ ସମୟ ସ୍ଥିର କରିଥିଲେ। କିନ୍ତୁ ଅଭିଭାବକ ସଂଘର କିଛି ଅଭିଭାବକ ସ୍କୁଲ ସମ୍ମୁଖରେ ପହଁଚିବା ମାତ୍ରେ ତାଙ୍କୁ ସୁରକ୍ଷାକର୍ମୀ ଭିତରକୁ ନ ଛାଡ଼ି ଖରାପ ବ୍ୟବହାର କରିଥିଲେ। ଏହାକୁ ବିରୋଧ କରି ସନ୍ଧ୍ୟା ସମୟରେ ଅଭିଭାବକ ସଂଘର କର୍ମକର୍ତା ସ୍କୁଲ ସମ୍ମୁଖରେ ଧାରଣାରେ ବସିଥିଲେ ବୋଲି ଅଭିଭାବକ ସଂଘର ସଭାପତି ଗଗନ ବିହାରୀ ରାଉତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର