ସିବିଏସ୍‌ଇ ପ୍ରଶ୍ନପତ୍ରରେ ତ୍ରୁଟି

ପରୀକ୍ଷାର୍ଥୀଙ୍କୁ ନ୍ୟାୟ ଦେବାକୁ ଅଭିଭାବକଙ୍କ ଦାବି

ଭୁବନେଶ୍ବର: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ତାରି ଏଜୁକେସନ୍‌ (ସିବିଏସ୍‌ଇ) ଅଧୀନ ବିଦ୍ୟାଳୟଗୁଡ଼ିକର ଦଶମ ଶ୍ରେଣୀ ହିନ୍ଦୀ, ବିଜ୍ଞାନ ଓ ଗଣିତ ବିଷୟ ପ୍ରଶ୍ନପତ୍ରରେ ତ୍ରୁଟି ଅଭି‌ଯୋଗ ହୋଇଛି। ଗୋଟିଏ କି ଦୁଇଟି ପ୍ରଶ୍ନରେ ତ୍ରୁଟି ହୋଇ ନାହିଁ। ବରଂ ଏକାଧିକ ପ୍ରଶ୍ନରେ ସମସ୍ୟା ସୃଷ୍ଟି ହୋଇଛି। ହିନ୍ଦୀ ବିଷୟ ପ୍ରଶ୍ନପତ୍ରରେ ପ୍ରଶ୍ନକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ଉପୁଜିଥିବା ବେଳେ ବିଜ୍ଞାନ ବିଷୟରେ ସିଲାବସ୍‌ ବାହାରୁ ପ୍ରଶ୍ନ ଆସିଛି। ଗଣିତ ବିଷୟର ଗୋଟିଏ ସେଟ୍‌ର ପ୍ରଶ୍ନପତ୍ର ସହଜ ପଡ଼ିଛି। ବାକି ଦୁଇଟି ସେଟ୍‌ର ପ୍ରଶ୍ନପତ୍ରରେ ଆସିଥିବା ପ୍ରଶ୍ନଗୁଡ଼ିକ କଷ୍ଟକର। ଯେଉଁଥିପାଇଁ ପରୀକ୍ଷାର୍ଥୀଙ୍କ ମାର୍କ କମିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ରହିଛନ୍ତି। ପ୍ରଶ୍ନପତ୍ର ତ୍ରୁଟି ସମ୍ପର୍କରେ ଅଭିଭାବକମାନେ ସିବିଏସ୍‌ଇ ସଚିବଙ୍କ ସମେତ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ ଗତ ୧୯ ତାରିଖରେ ହିନ୍ଦୀ ବିଷୟର ପରୀକ୍ଷା ଥିଲା। ଜେଏମ୍‌ଏସ୍‌/୪, କୋଡ୍‌ ୪/୪/୨ ସେଟ୍‌ ୨ ପ୍ରଶ୍ନପତ୍ରର ୮ ଓ ୧୦ ନମ୍ବର ପ୍ରଶ୍ନରେ ଥିବା ‘ଅଥବା’ ପ୍ରଶ୍ନକୁ ନେଇ ପରୀକ୍ଷାର୍ଥୀ ଦ୍ବନ୍ଦ୍ବରେ ପଡ଼ିଥିଲେ। ଯେଉଁଥିପାଇଁ ସେମାନେ ୫ ମାର୍କର ଉତ୍ତର ଲେଖିବା ବଦଳରେ ଗୋଟିଏ ମାର୍କର ଉତ୍ତର ଲେଖି ପରୀକ୍ଷା ହଲ୍‌ ବାହାରକୁ ଫେରିଥିଲେ। ପରେ ପରୀକ୍ଷାର୍ଥୀମାନେ ଜାଣିବାକୁ ପାଇଥିଲେ ଯେ ଉଭୟ ପ୍ରଶ୍ନରେ ୪ ମାର୍କ ଲେଖାଏ ମୋଟ ୮ ମାର୍କର ଉତ୍ତର ଦେଇନାହାନ୍ତି। ସିବିଏସ୍‌ଇର ଏଭଳି ଖାମଖିଆଲି ମନୋଭାବ ଯୋଗୁଁ ପରୀକ୍ଷାର୍ଥୀଙ୍କର ପ୍ରାୟ ୧୦ ପ୍ରତିଶତ ମାର୍କ କଟିଯିବାର ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ଗତ ୧୩ ତାରିଖରେ ଅନୁଷ୍ଠିତ ବିଜ୍ଞାନ ପ୍ରଶ୍ନପତ୍ରର ଜେଏମ୍‌ଏସ୍‌/୪, କୋଡ୍‌ ୩୧/୪/୨, ସେଟ୍‌ ୨ର ୨ ଓ ୧୨ ନମ୍ବର ପ୍ରଶ୍ନରେ ଆସିଥିବା ପ୍ରଶ୍ନଗୁଡ଼ିକ ଏନ୍‌ସିଇଆରଟି ୧୦ମ ଶ୍ରେଣୀ ପାଠ୍ୟକ୍ରମରେ ନାହିଁ। ବରଂ ଦ୍ବାଦଶ ଶ୍ରେଣୀ ବହିରେ ଥିବା ପାଠ୍ୟକ୍ରମ ଦଶମ ଶ୍ରେଣୀ ପ୍ରଶ୍ନପତ୍ରରେ ଆସିଥିବାରୁ ପରୀକ୍ଷାର୍ଥୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୭ ତାରିଖରେ ଅନୁଷ୍ଠିତ ଗଣିତ ପରୀକ୍ଷାର ତିନୋଟି ଯାକ ସେଟ୍‌ର ପ୍ରଶ୍ନପତ୍ରରେ ଅସାମଞ୍ଜସ୍ୟ ରହିଥିବା ଅଭିଯୋଗ ହୋଇଛି। ଗୋଟିଏ ସେଟ୍‌ରେ ସହଜ ପ୍ରଶ୍ନ ଆସିଥିବା ବେଳେ ଆଉ ଦୁଇଟି ସେଟ୍‌ରେ ଏକାଦଶ ଶ୍ରେଣୀର ପ୍ରଶ୍ନ ଆସିଛି। ଯେଉଁଥିପାଇଁ ପରୀକ୍ଷାର୍ଥୀ ଉତ୍ତର ଦେଇପାରି ନାହାନ୍ତି। ଏହାଦ୍ବାରା ପରୀକ୍ଷାର୍ଥୀଙ୍କ ମାର୍କ କମିବା ସହ ‌ଭବିଷ୍ୟତରେ ସେମାନେ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ଏପରିକି ଏନେଇ ହଜାର ହଜାର ଅଭିଯୋଗ ସିବିଏସ୍‌ଇ ୱେବସା‌ଇଟ୍‌ରେ ଆସିଛି। ପ୍ରଶ୍ନପତ୍ର ବିଭ୍ରାଟ ସମ୍ପର୍କରେ ଓଡ଼ିଶା ଅଭିଭାବକ ମହାସ˚ଘ ପକ୍ଷରୁ ସିବିଏସ୍‌ଇ ଆଞ୍ଚଳିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଉତ୍ତର ମିଳି ପାରିନି। ଯଦି ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରା ନଯାଏ ତେବେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ମହାସ˚ଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ପ୍ରସନ୍ନ ବିଶୋୟୀ, ମନୋଜ ଜେନା, ଅଶୋକ ପାଇକରାୟ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର