ଛାତ୍ରଛାତ୍ରୀଙ୍କୁ ବାଧ୍ୟତାମୂଳକ ଟିସି, ଅଭିଭାବକଙ୍କ ଅନଶନ

ବର୍ଷ ସାରା ମାଗଣାରେ ପିଲାଙ୍କୁ ପଢ଼ାଇଛୁ: ସ୍କୁଲ କର୍ତୃପକ୍ଷ

ଭୁବନେଶ୍ବର: ସ୍କୁଲ ଫି’ ଆଳରେ ଛାତ୍ରଛାତ୍ରୀଙ୍କୁ ବାଧ୍ୟତାମୂଳକ ଟିସି ଦିଆଯାଉଥିବା ଅଭିଯୋଗ କରି ଓପାଫ୍‌ ଓ ଓଡିଏମ୍‌ ସ୍କୁଲର କେତେଜଣ ଅଭିଭାବକ ଆଜି ପଟିଆ ଛକରୁ ଇନ୍‌ଫୋସିଟି ରାସ୍ତା ପାର୍ଶ୍ବରେ ଆମରଣ ଅନଶନରେ ବସିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ସ୍କୁଲ କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ୨୦୧୮ ଅଗଷ୍ଟ, ସେପ୍ଟେମ୍ବର ମାସରେ ନୋଟିସ୍‌ ଜାରି କରି ପିଲାଙ୍କ ନାମ କାଟି ଦେବାକୁ କହିଥିଲେ। ତେବେ ଖୋର୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଫଳରେ ପିଲାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲେ ମଧ୍ୟ ପରୀକ୍ଷା ଫଳ ସ୍ଥଗିତ ରଖାଯିବା ସହ ବାଧ୍ୟତାମୂଳକ ଟିସି ପଠାଯାଇଛି। ଅଭିଯୋଗ ନେଇ ଓଡିଏମ୍‌ ସ୍କୁଲ ଅଧ୍ୟକ୍ଷ ଡ. ଏସ୍‌. ମୀନକେତନ କହିଛନ୍ତି ଯେ ସ୍କୁଲକୁ ବଦନାମ କରିବାକୁ ଚକ୍ରାନ୍ତ କରାଯାଉଛି। ଯେଉଁ ପିଲାମାନଙ୍କୁ ଟିସି ଦିଆଯାଇଛି ସେମାନେ ବର୍ଷ ସାରା କୌଣସି ଫି’ ଦେଇ ନାହାନ୍ତି। ତେବେ ଖୋର୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାୟୀ ପିଲାମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯାଇଛି। ପରୀକ୍ଷା ସରିବା କ୍ଷଣି ପିଲାଙ୍କୁ ପ୍ରୋଗ୍ରେସ୍‌ ରିପୋର୍ଟ ଓ ମାର୍କ ସିଟ୍‌ ଦେଇ ସ୍କୁଲ୍‌ରୁ ଛାଡ଼ି ଦେବାକୁ କହିଥିଲେ। ବର୍ଷ ସରିବା ପରେ ପିଲାଙ୍କୁ ଟିସି ଦିଆଯାଇ ଅନ୍ୟ ସ୍କୁଲରେ ଶିକ୍ଷା ଗ୍ରହଣ କରିବାକୁ କୁହାଯାଇଛି। କେତେଜଣ ଅଭିଭାବକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ବହୁ ନିର୍ଯାତନା ଦେଇଛନ୍ତି। ରାତିରେ ଶିକ୍ଷୟିତ୍ରୀମାନଙ୍କୁ ଫୋନ୍‌ କରି ଗାଳିଗୁଲଜ ବି କରିଛନ୍ତି। ଯେଉଁଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀମା‌ନେ ମାନସିକ ନିର୍ଯାତନାରେ ପିଲାଙ୍କୁ ପଢ଼ାଇ ପାରୁନାହାନ୍ତି। ତେଣୁ ‌ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଅନ୍ୟ କୌଣସି ଶିକ୍ଷାନୁଷ୍ଠାନରେ ଆରାମରେ ପଢ଼ାଇବାକୁ କହିଛୁ। ଏବେ ସେମାନେ ଯେକୌଣସି ଜାଗାରେ ପଢ଼ାଇ ପାରିବେ ବୋଲି ଡ. ମୀନକେତନ କହିଛନ୍ତି।

ସମ୍ବନ୍ଧିତ ଖବର