ପରୀ ପଛର କଥାଟିଏ

ଭୁବନେଶ୍ୱର : ବାପାଙ୍କର ଗେହ୍ଲେଇ ମୁଁ, ମା’ଙ୍କ ଆଖିର ତାରା। ଟିକିଟିକି ଡେଣା ମୋର, କେତେ ନୂଆ ରଙ୍ଗେ ଭରା। ଉଡ଼ିବୁଲେ ବୁଣିବୁଣି ଖୁସିର ମୁକୁତା ପାରି। ମୁଁ ପରୀ… । ସାରା ରାଜ୍ୟରେ ଗୀତରେ ଗୀତରେ ଗୁଞ୍ଜରିତ ହେବ ଏହି ପରୀ କାହାଣୀ। କୁନିକୁନି ପରୀମାନଙ୍କୁ ତାଙ୍କରି ଭାଷାରେ ବୁଝାଇବ ପରୀ ଏକ୍ସପ୍ରେସ୍‌। ତେବେ ଏହି ପରୀ ଗୀତର ପରିକଳ୍ପନା ଯେ ଆକସ୍ମିକ ଥିଲା, ତାହା ହୁଏତ ଅନେକଙ୍କୁ ମାଲୁମ ନଥିବ।

ମଞ୍ଚ ଉପରେ ନିଜର ସୁମଧୁର ସ୍ୱରରେ ଶ୍ରୋତାଙ୍କୁ ବାନ୍ଧି ରଖୁଥିବା ଛନ୍ଦା ମିଶ୍ର ଜନ୍ମ ଦେଇଛନ୍ତି ତାଙ୍କର ଏହି ନୂଆ ପରୀକୁ। ଗୀତ ରଚନା ସହ, ସ୍ୱର ସଂଯୋଜନା, କଣ୍ଠଦାନ ଓ ସଂଗୀତ ନିର୍ଦେଶନା ଦେଇ ୨ଟି ଗୀତକୁ ଜୀବନ୍ତ କରିଛନ୍ତି। ପରୀ ପାଇଁ କଥାଟିଏ କହିବି ମୁଁ, ପରୀ ପାଇଁ ଗୀତଟିଏ ଗାଇବି ମୁଁ…ଗୀତରେ ନାନାବାୟା ଗୀତର ମହକ ଦେଇଛନ୍ତି।
ଶିଶୁ ନିର୍ଯାତନା ବିରୋଧରେ ସଚେତନତା ପାଇଁ ୟୁନିସେଫ୍‌ ସହାୟତାରେ ଓଡ଼ିଶା ପୁଲିସ୍‌ର ‘ପରୀ ଏକ୍ସପ୍ରେସ୍‌’ରେ ଏବେ ଗୀତ ଦୁଇଟି ସାରା ଓଡ଼ିଶାରେ ବାଜିବ। ତେବେ ଏହାକୁ ଜୀବନ୍ୟାସ ଦେବା ପଛରେ ଛୁପି ରହିଛି ସୁନ୍ଦର କାହାଣୀଟିଏ। ଦିନେ ଛନ୍ଦାଙ୍କ ସ୍ୱାମୀ ତଥା ଏସିପି ଅସୀମ କୁମାର ପଣ୍ଡା ଘରକୁ ଆସି ପଚାରିଲେ ପିଲାଙ୍କ ପାଇଁ ଥିମ୍‌ ଗୀତଟିଏ ଲେଖିପାରିବୁ। ଛନ୍ଦା ବିନା ଦ୍ୱିଧାରେ ହଁ ମାରି ଦେଇଥିଲେ। ଖାଲି ହଁ ମାରି ନଥିଲେ, ବରଂ ଅତୀତରେ ଝିଅମାନଙ୍କ କ୍ଷେତ୍ରରେ ଘଟିଥିବା ଅସଦାଚରଣର ଚିତ୍ର ତାଙ୍କ ଆଖି ଆଗରେ ଚଳପ୍ରଚଳ କରିବାକୁ ଲାଗିଲେ। ସେଇଠୁ କଲମ ଧରି ସେ ଲେଖିବା ଆରମ୍ଭ କରିଥିଲେ। ଶବ୍ଦ ସଂଯୋଜନାର ମିଠାପଣ ଗୀତ ଦୁଇଟିକୁ ଏତେ ଆକର୍ଷଣୀୟ କରିଥିଲା ଯେ, ଅସୀମ ପଣ୍ଡା ନିଜେ ପଢ଼ି ବିଭୋର ହେବା ପରେ ଗୀତ ଦୁଇଟିକୁ ରେକର୍ଡିଂ କରିବାକୁ କହିଥିଲେ।

ବିଦ୍ୟାଧରଙ୍କ ସଂଗୀତ ପରିଚାଳନାରେ ମାତ୍ର ଗୋଟିଏ ଦିନରେ ଗୀତର ରେକର୍ଡିଂ କରାଯାଇଥିଲା। ଯେତେବେଳେ ପୁଲିସ୍‌ ମହାନିର୍ଦେଶକ ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା, ଅସିତ ପାଣିଗ୍ରାହୀ ଏବଂ ଡିସିପି ଅନୁପ ସାହୁ ଗୀତ ଦୁଇଟି ଶୁଣିଲେ, ବେଶ୍‌ ପ୍ରଶଂସା କରିଥିଲେ। କୁନିକୁନି ପିଲାମାନଙ୍କୁ ସିନା ଏହା ସଚେତନ କରିବ କିନ୍ତୁ ମା’ମାନଙ୍କର ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି ଛନ୍ଦା। ତାଙ୍କ ମତରେ ଏପରି ଭାଗ୍ୟବତୀ କ୍ୱଚିତ ମିଳିବେ ଯିଏ କି କେବେ ଅସଦାଚରଣର ଶିକାର ହୋଇନଥିବେ। ସବୁଠୁ ବଡ଼ ବିଡ଼ମ୍ବନା ଏହି ଯେ ୯୫ ପ୍ରତିଶତ ଯୌନ ନିର୍ଯାତନା ପାଇଁ ନିକଟ ସମ୍ପର୍କୀୟ ନଚେତ ପରିଚିତ ବ୍ୟକ୍ତିମାନେ ହିଁ ଦାୟୀ। ବସ୍‌ର ଭିଡ଼ ଭିତରେ ହେଉ ଅବା ଘରେ ନିଜ ବାପାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଝିଅମାନଙ୍କୁ ସେ ଭେଟିବା ବେଳେ ତାଙ୍କ ମନରେ ଯେଉଁ କ୍ଷତ ସୃଷ୍ଟି ହୋଇଥିଲା ତାହାର ସମାଧାନର ବାର୍ତାକୁ ସେ ପରୀ ଗୀତରେ ସଜାଇଛନ୍ତି।

ସମ୍ବନ୍ଧିତ ଖବର