ଏକକ ଚିତ୍ରକଳା ପ୍ରଦର୍ଶନୀ ‘ପରିପୂର୍ଣ୍ଣା’

ଭୁବନେଶ୍ବର: ସୁଚରିତା ନାଥଙ୍କ ଦ୍ୱାରା ଅଙ୍କିତ ୨୫ଟି ଚିତ୍ରକଳାକୁ ନେଇ ଏକକ ଚିତ୍ରକଳା ପ୍ରଦର୍ଶନୀ ‘ପରିପୂର୍ଣ୍ଣା’ ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରିରେ ଆରମ୍ଭ ହୋଇଛି। ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ଓଡ଼ିଶା ଲଳିତ କଳା ଏକାଡେମିର ପୂର୍ବତନ ସଭାପତି ଜଗଦୀଶ ଚନ୍ଦ୍ର କାନୁନ୍‌ଗୋ, ଚିତ୍ରଶିଳ୍ପୀ ଗୌରାଙ୍ଗ ଚରଣ ବାରିକ ଓ ନମ୍ରତା ତ୍ରିପାଠୀଙ୍କ ଦ୍ୱାରା ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି। କାନ୍‌ଭାସ୍‌ ଉପରେ ରଙ୍ଗତୁଳୀରେ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଅନୁଭୂତିକୁ ନେଇ ଚିତ୍ର ପ୍ରସ୍ତୁତ ହୋଇଛି। ଶ୍ରୀଜଗନ୍ନାଥ, ଶ୍ରୀଗଣେଶ, ବୁଦ୍ଧଦେବ ଓ ରାଧାକୃଷ୍ଣଙ୍କ ଭଳି ‌ଦେବାଦେବୀଙ୍କ ଛବିକୁ ଜୀବନ୍ତ ରୂପ ଦେଇଛନ୍ତି ଶ୍ରୀମତୀ ନାଥ। ପ୍ରକୃତିର ସୌନ୍ଦର୍ଯ୍ୟ ଦ୍ୱାରା ଅନୁପ୍ରାଣିତ ହୋଇ ନଦୀ, ନାଳ, ପାହାଡ଼, ଜଙ୍ଗଲକୁ ନେଇ ପ୍ରସ୍ତୁତ ବିଭିନ୍ନ ଚିତ୍ରକଳା ପ୍ରଦର୍ଶିତ ହୋଇଛି। ଗ୍ରାମ୍ୟ ଜୀବନର ଚିତ୍ରଠାରୁ ଆରମ୍ଭ କରି ଆଦିବାସୀ ଜୀବନ ଜୀବିକାର ଦୃଶ୍ୟ ଓ ନୀତିଦିନିଆ ଜୀବନ ଜିଇଁବାର ଦୃଶ୍ୟପଟ୍ଟକୁ ଅତି ନିଖୁଣ ଭାବରେ ରଙ୍ଗ ଦ୍ୱାରା କାନ୍‌ଭାସରେ ପ୍ରତିପାଦନ କରିଛନ୍ତି ସୁଚରିତା। ରଙ୍ଗର ସ୍ବାଧୀନତାକୁ ସେ ଭଲପାଅନ୍ତି ବୋଲି କହିଛନ୍ତି। ବିଶିଷ୍ଟ ସ୍ଥପତି ପ୍ରମୋଦ କୁମାର ମହାନ୍ତି, ଚିତ୍ରଶିଳ୍ପୀ ଶ୍ରୀନିବାସ ପଢ଼ିଆରୀ, ଅମର କୁମାର ଜେନା, ଚିତ୍ରଶିଳ୍ପୀ ଜ୍ୟେତିର୍ମୟୀ କାନୁନ୍‌ଗୋ ଓ ଅତସୀ ବସୁ ଜେନା ପ୍ରମୁଖଙ୍କ ସମେତ ବହୁ ଯୁବ ଚିତ୍ରଶିଳ୍ପୀ ଏଥିରେ ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନୀ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଗ୍ୟାଲେରିର ପ୍ରତିଷ୍ଠାତା ତାରାକାନ୍ତ ପରିଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର