ସେପ୍ଟେମ୍ବର ୧ରୁ ପାର୍କ ଓ ମାର୍କେଟ କମ୍ପ୍ଲେକ୍ସରେ ପ୍ଲାଷ୍ଟିକ୍‌ ନିଷେଧ

ଭୁବନେଶ୍ୱର: ଅକ୍ଟୋବର ୨ରୁ ରାଜ୍ୟର ୫ଟି ଯାକ ମହାନଗର ନିଗମ ସମେତ ପୁରୀକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ଏହାର ମାସକ ପୂର୍ବରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କାର୍ଯ୍ୟାଳୟ, ରାଜଧାନୀର ସମସ୍ତ ପାର୍କ ଏବଂ ମାର୍କେଟ କମ୍ପ୍ଲେକ୍ସକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ବିଡିଏ ପକ୍ଷରୁ ଆଜି ଘୋଷଣା ହୋଇଛି। ବିଡିଏର ୩୬ତମ ପ୍ରତିଷ୍ଠା ଦିବସରୁ ଏହି ଅଭିଯାନ ଆରମ୍ଭ ହେବ। ବିଡିଏ ରାଜଧାନୀର ବିଭିନ୍ନ ସ୍ଥାନରେ ଅଭିଯାନ ଆରମ୍ଭ କରିବା ପୂର୍ବରୁ ନିଜ କାର୍ଯ୍ୟାଳୟକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ କୌଣସି ଅଧିକାରୀ କି କର୍ମଚାରୀ ପ୍ଲାଷ୍ଟିକ ଟିଫିନ୍‌ ବା ପଲିଥିନ୍‌ରେ ଖାଦ୍ୟ ଆଣିବେନି କି ପ୍ଲାଷ୍ଟିକ ବୋତଲରେ ପାଣି ନଆଣିବାକୁ କୁହାଯାଇଛି। ପ୍ଲାଷ୍ଟିକ୍‌ ପରିବର୍ତ୍ତେ ଧାତୁ ନିର୍ମିତ ପାତ୍ର ବା ବାକ୍ସ ଏବଂ କନା ବା କାଗଜ ମୁଣି (ଠୁଙ୍ଗା)ରେ ଖାଦ୍ୟ ଆଣିବାକୁ କୁହାଯାଇଛି। ପାଣି ପିଇବାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ବିଡିଏ କାର୍ଯ୍ୟାଳୟର ପ୍ରତ୍ୟେକ ମହଲାରେ ପିଇବା ପାଣି ଫାଉଣ୍ଟେନ୍‌ ଲାଗିବ। ଏଥିରୁ ରିଭର୍ସ ଅସ୍ମୋସିସ୍‌ ବିଶୁଦ୍ଧ ଥଣ୍ଡା ପାଣି ଏବଂ ସ୍ୱାଭାବିକ ପାଣି ବାହାରିବ। ଏପରିକି ସେପ୍ଟେମ୍ବର ୧ ପରେ ବିଡିଏରେ ବସିବାକୁ ଥିବା କୌଣସି ବୈଠକରେ ବି ପାଣି ବୋତଲ ବ୍ୟବହାର ହେବନାହିଁ। ପ୍ଲାଷ୍ଟିକ୍‌ ନିଷେଧ ଅଭିଯାନକୁ ସଫଳ କରିବା ପାଇଁ ବିଡିଏର ସମସ୍ତ ଫାଇଲ୍‌ ମଲାଟ ଏବଂ ଫୋଲ୍ଡର କେବଳ କାଗଜରେ ତିଆରି ହେବ। ଏଥିରେ ପ୍ଲାଷ୍ଟିକ ବ୍ୟବହାର ହେବନାହିଁ।

ଇଏ ତ ରହିଲା ବିଡିଏ କାର୍ଯ୍ୟାଳୟ ପରିସରରେ ନିଆଯିବାକୁ ଥିବା ବିଭିନ୍ନ ପଦକ୍ଷେପ। ବିଡିଏ ବାହାରେ ବି ଏହା ଅଧୀନରେ ଥିବା ସମସ୍ତ ପାର୍କ ଏବଂ ମାର୍କେଟ କମ୍ପ୍ଲେକ୍ସକୁ ପ୍ଲାଷ୍ଟିକ ନିଷେଧ କରାଯାଇଛି। ବିଭିନ୍ନ ପାର୍କରେ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ଲୋକଙ୍କୁ ସଚେତନ କରାଯିବ। ଏଥିପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ମର୍ଣ୍ଣିଂ ଓ୍ଵାର୍କର ଆସୋସିଏସନ୍‌ ଏବଂ ବିଭିନ୍ନ ସଂଘକୁ ସାମିଲ୍‌ କରାଯିବ। ଏହାପରେ କେହି ପାର୍କ ଭିତରେ ପ୍ଲାଷ୍ଟିକ ବ୍ୟବହାର କରୁଥିବା ଦେଖିଲେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ। ଏହି ଜରିମାନା ସଂପୃକ୍ତ ପାର୍କର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବ୍ୟବହାର ହେବ। ଏହା ପୂର୍ବରୁ ପ୍ରତ୍ୟେକ ପାର୍କକୁ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ କରିବା ପାଇଁ ସେଠାରେ ପଡ଼ିଥିବା ପ୍ଲାଷ୍ଟିକ ଦ୍ରବ୍ୟ ସଂଗ୍ରହ ଅଭିଯାନ କରାଯିବ। ବିଡିଏ କର୍ମଚାରୀମାନେ ମଧ୍ୟ ନିଜ ପରିବାର ଓ ପଡ଼ୋଶୀଙ୍କ ପ୍ଲାଷ୍ଟିକ ନିଷିଦ୍ଧ କରିବାର ବାର୍ତ୍ତାବହ ଏବଂ ପରିବର୍ତ୍ତନକାରୀ ଭାବେ କାର୍ଯ୍ୟ କରିବେ। ଏଥିପାଇଁ ସେମାନଙ୍କଠାରୁ ଏକ ଲିଖିତ ପ୍ରତିଶ୍ରୁତି ନିଆଯିବ।

ବିଡିଏ ଅଫିସ ବି ପ୍ଲାଷ୍ଟିକମୁକ୍ତ ହେବ
ପ୍ଲାଷ୍ଟିକ ବ୍ୟବହାର କଲେ ଜରିମାନା ଆଦାୟ ହେବ
ଫ୍ଲେକ୍ସ ନୁହେଁ, କନା ବ୍ୟାନର କେବଳ ଲାଗିବ

ଲାଗିବ ରିଭର୍ସ ଭେଣ୍ଡିଂ ମେସିନ୍‌
ପ୍ରାରମ୍ଭିକ ପର୍ଯ୍ୟାୟରେ ଲୋକଙ୍କୁ ପ୍ଲାଷ୍ଟିକ ନିଷେଧ ଅଭ୍ୟାସରେ ପକାଇବା ଏବଂ ପାର୍କଗୁଡ଼ିକୁ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ କରିବା ପାଇଁ ଏଠାରୁ ଆସୁଥିବା ବ୍ୟକ୍ତିମାନଙ୍କଠାରୁ ଖାଲି ପ୍ଲାଷ୍ଟିକ ବୋତଲ ସଂଗ୍ରହ କରାଯାଇ ତାହାକୁ ପ୍ରକ୍ରିୟାକରଣ କରାଯିବ। ଏଥିପାଇଁ ପାର୍କଗୁଡ଼ିକରେ ରିଭର୍ସ ଭେଣ୍ଡିଂ ମେସିନ୍‌ ଲାଗିବ। ଏହାସହ ଏକ୍ସଟେଣ୍ଡେଡ୍‌ ପ୍ରଡ୍ୟୁସର୍‌ସ ରେସପନ୍ସିବିଲିଟିଜ୍‌ ନିୟମ ଲାଗୁ ହେବ। ବିଡିଏର ସମସ୍ତ ମାର୍କେଟ କମ୍ପ୍ଲେକ୍ସରେ ପ୍ଲାଷ୍ଟିକ ନିଷେଧ ନିୟମ ଲାଗୁ ହେବ। ଏହାକୁ କୌଣସି ବ୍ୟବସାୟୀ ଖିଲାପ କଲେ ତାଙ୍କର ଲାଇସେନ୍ସ ରଦ୍ଦ କରାଯିବ। ଏହାସସ ଫ୍ଲେକ୍ସ ବ୍ୟାନର୍‌ ଲଗାଇପାରିବେନି। କେବଳ କନା ବ୍ୟାନର୍‌ ଲାଗିବ। ବିଡିଏ ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଉଥିବାବେଳେ ବିଏମ୍‌ସି ପକ୍ଷରୁ ଖୁବ୍‌ ଶୀଘ୍ର ଏକ ପ୍ଲାଷ୍ଟିକ ସଂଗ୍ରହ କେନ୍ଦ୍ର ଖୋଲିବ। ଏଠାରେ ଲୋକମାନେ ସେମାନଙ୍କ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ ପକାଇବାକୁ ବିଡିଏ ତରଫରୁ କୁହାଯାଇଛି।

ସମ୍ବନ୍ଧିତ ଖବର