ଭୁବନେଶ୍ବର : ଏବେ ରାଜଧାନୀରେ ଘର କିଣିବାକୁ ଲୋକଙ୍କ ମଧ୍ୟରେ ଏକରକମ ପ୍ରତିଯୋଗିତା ଲାଗିଛି। ରାଜଧାନୀରେ ଯେଉଁମାନେ କିଛି ବର୍ଷ ରହିଗଲେଣି ସେମାନେ କିଛି କରନ୍ତୁ କି ନକରନ୍ତୁ ଘରଟିଏ କରିବାକୁ ସବୁ ସମ୍ବଳ ଲଗାଇ ଦେଉଛନ୍ତି। କିନ୍ତୁ ବହୁ ଲୋକ ଜମି କିଣିବା, ସବୁଦିନ ଜଗିକି ଘର ତୋଳିବାକୁ ପସନ୍ଦ କରୁନଥିବାରୁ ଆପାର୍ଟମେଣ୍ଟ କିଣିବାକୁ ମନ ବଳାଉଛନ୍ତି। ଜମି କିଣି ଘର କଲେ ଯେତିକି ଅର୍ଥ ଖର୍ଚ୍ଚ ହେଉଛି ସେତିକିରେ ମନପସନ୍ଦ ଜାଗାରେ, ସବୁ ସୁବିଧା ସୁଯୋଗ ସହ ଫ୍ଲାଟ୍ ମିଳିଯାଉଥିବାରୁ ଲୋକ ଏବେ ଆପାର୍ଟମେଣ୍ଟ ମୋହରେ ପଡ଼ିଛନ୍ତି। ଲୋକଙ୍କର ଏହି ଦୁର୍ବଳତାର ସୁଯୋଗ ନେଇ ଏବେ ବିଲଡର୍ ଆଖିରେ ଆଙ୍ଗୁଠି ଗେଞ୍ଜି ଠକୁଛନ୍ତି। ହେଲେ ବିଡିଏ, ବିଏମ୍ସି ଓ ଓରେରା କର୍ତ୍ତୃପକ୍ଷ ସମସ୍ତେ ଅନ୍ଧପୁଟୁଳି ପିନ୍ଧିଥିବାରୁ କାହାକୁ କିଛି ଦେଖାଯାଉନି।
ଜଣେ ଲୋକ ଆପାର୍ଟମେଣ୍ଟ କିଣିବାକୁ ଗଲେ ତାଙ୍କୁ ପ୍ରଥମରୁ ହିଁ ବିଲଡର୍ମାନେ ଠକୁଛନ୍ତି। ଯେଉଁ ଧାର୍ଯ୍ୟ ସମୟରେ ଘର ଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି ସେହି ସମୟରେ ଘର ଦେଉନାହାନ୍ତି। ଅଥଚ କୋର୍ ହାଉସ୍ ନିର୍ମାଣ ଶେଷ ହେବା ଭିତରେ ଗ୍ରାହକଙ୍କ ଠାରୁ ସବୁ ଟଙ୍କା ନେଇଯାଉଛନ୍ତି। ଅଧିକାଂଶ ବ୍ୟାଙ୍କ ଋଣ କରି ଘର କିଣୁଥିଲେ ବି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ବିଲଡର୍ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବ୍ୟାଙ୍କ ବି ସର୍ଭେ ନକରି ସବୁ ଟଙ୍କା ଦେଇଦେଉଛି। ଏହାପରେ ବିଲଡରମାନେ ଗ୍ରାହକଙ୍କୁ ବିଭିନ୍ନ ଆଳ ଦେଖାଇ ଅଧିକ ଟଙ୍କା ଆଦାୟ କରୁଛନ୍ତି।
ବିଲଡର୍ମାନେ ଫ୍ଲାଟ୍ ବିକିବା ସମୟରେ ସୁପର୍ ବିଲ୍ଟଅପ୍ ଏରିଆ ଅନୁସାରେ ଗ୍ରାହକଙ୍କ ଠାରୁ ଟଙ୍କା ହିସାବ କରି ଏବେବି ନେଉଛନ୍ତି। ଏଥିରେ ଘର ଯେତିକି ଅଞ୍ଚଳରେ ନିର୍ମାଣ ହେଉଛି ତାହାର ବର୍ଗଫୁଟ ହିସାବରେ ଟଙ୍କା ନେଉନାହାନ୍ତି। ଘର ବାଦ୍, ବାଲକୋନି, ସିଡି ଘର, ଗ୍ୟାରେଜ୍, ରାସ୍ତା, ଛଡ଼ା ଯାଇଥିବା ଖୋଲା ସ୍ଥାନ, ଆଦିକୁ ହିସାବ କରି ଟଙ୍କା ନେଉଛନ୍ତି। ଏହିପରି ସୁପର୍ ବିଲ୍ଟଅପ୍ ଏରିଆ ହିସାବ ହେଉଛି। ହେଲେ ତିନିବର୍ଷ ତଳୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କାର୍ପେଟ୍ ଏରିଆ (ଘର ନିର୍ମାଣ ହୋଇଥିବା ଅଞ୍ଚଳ) ହିସାବରେ ଘର ବିକ୍ରି କରିବାକୁ ନିୟମ କରିଛନ୍ତି। ନିୟମ ନମାନିଲେ ଜେଲ୍ ଦଣ୍ଡ ସହ ଜରିମାନା ଆଦାୟ କରିବାର ନିୟମ ଅଛି। ହେଲେ ଏବେବି ଖୋଲାଖୋଲି ସୁପର୍ ବିଲ୍ଟଅପ୍ ଏରିଆ ହିସାବରେ ଘର ବିକ୍ରି ହେଉଛି।
ସବୁଠୁ ବଡ଼ ଠକେଇ ହେଉଛି ପାର୍କିଂ ଅଞ୍ଚଳ ଦେବାରେ। ଏଥିପାଇଁ ବିଲଡର୍ମାନେ ଟଙ୍କାଟିଏ ନେଇପାରିବେନି ବୋଲି ନିୟମ ଅଛି। ହେଲେ ବିଲଡର୍ମାନେ ପାର୍କିଂ ଅଞ୍ଚଳ ବାବଦକୁ କେଉଁଠି ୨ଲକ୍ଷ ତ କେଉଁଠି ଅଢ଼େଇ ଲକ୍ଷ ଟଙ୍କା ନେଉଛନ୍ତି। ପାର୍କିଂ ଅଞ୍ଚଳ ବିକିବା ନିୟମ ନଥିବାରୁ ବିଲଡର୍ମାନେ ଚାଲାକି କରି ଘର ରେଜିଷ୍ଟ୍ରି ସମୟରେ ଏହାକୁ ସେଲ୍ଡିଡ୍ ପେପରେ ଲେଖୁନାହାନ୍ତି। କିନ୍ତୁ ଭିନ୍ନ ଏକ ଏଗ୍ରିମେଣ୍ଟ କରି ପାର୍କିଂ ସ୍ଥାନ ବାବଦକୁ ଟଙ୍କା ନେଉଛନ୍ତି। ରେଜିଷ୍ଟ୍ରି ସମୟରେ ବି ସୁପର୍ ବିଲ୍ଟଅପ୍ ଏରିଆ ବାବଦକୁ ଟଙ୍କା ନେଉଛନ୍ତି। କିନ୍ତୁ ସେଠାରେ ବି ସବ୍ରେଜିଷ୍ଟ୍ରାର କିଛି ପଦକ୍ଷେପ ନେଉନାହାନ୍ତି। କାର୍ପେଟ୍ ଏରିଆ ଅନୁଯାୟୀ ଘର ବିକିବା ନିୟମ ଥିଲେ ହେଁ ଓରେରା କର୍ତ୍ତୃପକ୍ଷ ଏନେଇ ବି କିଛି ପଦକ୍ଷେପ ନେଉନାହାନ୍ତି। ଓରେରା କର୍ତ୍ତୃପକ୍ଷ ଅପେକ୍ଷା କରିଛନ୍ତି କେତେବେଳେ ଲୋକ ଅଭିଯୋଗ କରିବେ ତାହାପରେ ଯାହା ପଦକ୍ଷେପ ନେବେ।
ଅପରପକ୍ଷେ ବିଡିଏ ପୂର୍ବରୁ ରାଜଧାନୀରେ ଯେଉଁମାନଙ୍କୁ ଘର ବିକ୍ରି କରିଛି ସେଠାରେ ବି ଲୋକଙ୍କୁ ପାର୍କିଂ ଅଞ୍ଚଳ ମାଗଣାରେ ଦିଆଯାଇଛି। ଏବେ ଯେଉଁଠି ଫ୍ଲାଟ୍ ବିକ୍ରି ହେଉଛି ସେଠାରେ ବି ଲୋକଙ୍କୁ ପାର୍କିଂ ଅଞ୍ଚଳ ମାଗଣାରେ ଦିଆଯାଉଛି। କିନ୍ତୁ ବିଲଡର୍ମାନେ ଲୁଟିବା ଚକ୍କରରେ ସବୁ ନିୟମକୁ ଜଳାଞ୍ଜଳି ଦେଉଛନ୍ତି। ଆପାର୍ଟମେଣ୍ଟ ନିର୍ମାଣ ପାଇଁ ପ୍ଲାନ୍ ଦେଉଥିବା ବିଡିଏ ଓ ବିଏମ୍ସି କର୍ତ୍ତୃପକ୍ଷ ଏହା ଜାଣି ବି କିଛି ପଦକ୍ଷେପ ନେଉନାହାନ୍ତି। ଆଉ ଏଭଳି କାର୍ଯ୍ୟ ଉପରେ ରୋକ୍ ଲଗାଇବା ପାଇଁ ଗଠନ ହୋଇଥିବା ଓଡ଼ିଶା ରିଅଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା) ବି କିଛି କାର୍ଯ୍ୟାନୁଷ୍ଠାନ ନେଉନି। ଅଧିକାଂଶ ଘର କ୍ରେତା ଏହି ନିୟମ ବିଷୟରେ ଜାଣିନଥିବାରୁ ଓରେରା, ବିଏମ୍ସି କି ବିଡିଏ ନିକଟରେ ଅଭିଯୋଗ ବି କରୁନାହାନ୍ତି।
ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀରେ ଆପାର୍ଟମେଣ୍ଟ ନିର୍ମାଣ ସମୟରେ ବିଡିଏରେ ଯେତେବେଳେ ପ୍ଲାନ୍ ପାଇଁ ସଂସ୍ଥା/ ବ୍ୟକ୍ତିଙ୍କ ପକ୍ଷରୁ ଆବେଦନ କରାଯାଉଛି ସେଥିରେ ପାର୍କିଂ ପାଇଁ ମୋଟ୍ ନିର୍ମାଣର ୩୦% ଜାଗା ଛାଡ଼ିବାକୁ କୁହାଯାଉଛି। ଅର୍ଥାତ୍ ଯେତିକି ଅଞ୍ଚଳରେ ଏହି ପ୍ରକଳ୍ପ ନିର୍ମାଣ ହେବ ତା’ର ୩୦% ଅଞ୍ଚଳ ଖୋଲା ଛଡ଼ାଯିବ। ଏଥିରେ ପାର୍କିଂ ଅଞ୍ଚଳ ରହିବ। ରହିବାକୁ ଥିବା ଲୋକଙ୍କ ଗାଡ଼ି ପାର୍କିଂ ଏବଂ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଏହାକୁ କରାଯାଇଛି। ତେଣୁ ବିଡିଏ ଉକ୍ତ କୋଠା ନିର୍ମାଣର ଫ୍ଲୋର୍ ଏରିଆ ରେସିଓ (ଏଫ୍ଏଆର୍) ପାଇଁ ଯେଉଁ ଦେୟ ନିଏ ସେଥିରେ ପାର୍କିଂ ପାଇଁ ନିର୍ମାଣ ହୋଇଥିବା ଅଞ୍ଚଳର ଏଫ୍ଏଆର୍ ବାବଦକୁ ଫି’ ନିଏ ନାହିଁ। ଏପରିକି ଏହା ଅତିରିକ୍ତ ଏଫ୍ଏଆର୍ ହିସାବରେ ଗଣତି ହୁଏ।
ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଆମେ ପ୍ଲାନ୍ ଦେବାବେଳେ ସୁପର୍ ବିଲ୍ଟଅପ୍ ଏରିଆ ହିସାବରେ ତ ପାର୍କିଂ ଅଞ୍ଚଳ, ସମସ୍ତ ସାଧାରଣ ବ୍ୟବହାର ଉପଯୋଗୀ ଅଞ୍ଚଳ ଆଦିକୁ ରଖୁଛୁ। ତେଣୁ ଯେଉଁ ବିଲଡର୍ ସୁପର୍ ବିଲ୍ଟଅପ୍ ପାଇଁ ଟଙ୍କା ନେଉଛନ୍ତି ତାହା ବାଦ୍ ପୁଣି ପାର୍କିଂ ଏରିଆ ଆସିଲା କେଉଁଠୁ। ବିଡିଏ ଫି’ ଛାଡ଼ କରୁଥିବାବେଳେ ବିଲଡର୍ମାନେ ଗ୍ରାହକଙ୍କୁ ଲୁଟୁଛନ୍ତି।
ସବୁଠୁ ବଡ଼ କଥା ହେଲା ଆପାର୍ଟମେଣ୍ଟ ନିର୍ମାଣ ସରିଲେ ଏହାକୁ କ୍ରେତାଙ୍କୁ ନେଇ ଗଠନ ହୋଇଥିବା ସୋସାଇଟିକୁ ହସ୍ତାନ୍ତର କରାଯିବ। ସେମାନେ ହିଁ ସେମାନଙ୍କ ମଧ୍ୟରେ ପାର୍କିଂ ଅଞ୍ଚଳ ବାଣ୍ଟିବେ। କିନ୍ତୁ ବିଲଡର୍ମାନେ ଲୁଟିବା ପାଇଁ ସୋସାଇଟି ଗଠନ ନକରି ନିଜ ମନଇଚ୍ଛା ପାର୍କିଂ ଏରିଆ ଆବଣ୍ଟନ କରୁଛନ୍ତି।