କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ରୋଗୀ ସେବା ବାଧାପ୍ରାପ୍ତ

ଚିନ୍ତା ବଢ଼ାଉଛି ଧାରଣା, ମହୋତ୍ସବ

ଭୁବନେଶ୍ୱର: ବିଧାନସଭା ଅଧିବେଶନ ଚାଲିଲେ କ୍ୟାପିଟାଲ ହସ୍ପିଟାଲରୁ ଡାକ୍ତର କମି ଯାଉଛନ୍ତି। ହସ୍ପିଟାଲରେ ରୋଗୀ କମ୍‌ ଦେଖୁଛନ୍ତି, ଧାରଣାସ୍ଥଳରେ ଧାରଣାକାରୀଙ୍କୁ ଅଧିକ ସେବା ଦେଉଛନ୍ତି। କେବଳ ଧାରଣାସ୍ଥଳ ନୁହେଁ, ବର୍ଷତମାମ ରାଜଧାନୀକୁ ଆସୁଥିବା ଭିଆଇପି ଓ ବିଭିନ୍ନ ମହୋତ୍ସବ ପାଇଁ ହସ୍ପିଟାଲର ଡାକ୍ତରଙ୍କୁ ନିୟୋଜିତ କରାଯାଉଥିବାରୁ ରୋଗୀସେବା ବ୍ୟାହତ ହେଉଛି। ଡାକ୍ତରଙ୍କୁ ବାଦ୍‌ ଦେଲେ ଆମ୍ବୁଲାନ୍‌ସ ଓ ଫାର୍ମାସିଷ୍ଟ ମଧ୍ୟ ଏଥିରେ ନିୟୋଜିତ ହେଉଛନ୍ତି। ବର୍ଷତମାମ ଭିଆଇପି ଓ ବିଭିନ୍ନ ମହୋତ୍ସବ ପାଇଁ ଡାକ୍ତର ଟିମ୍‌ ଓ ଆମ୍ବୁଲାନ୍‌ସ ବନ୍ଦୋବସ୍ତ କରିବାକୁ ନେଇ ହସ୍ପିଟାଲ କର୍ତୃପକ୍ଷ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ହସ୍ପିଟାଲରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅଧିକାଂଶ ସମୟରେ ଡାକ୍ତରଙ୍କୁ ବାହାରକୁ ପଠାଯିବାକୁ ନେଇ ସମସ୍ୟା ଉପୁଜୁଛି। ହସ୍ପିଟାଲରେ ରୋଗୀ ସେବା ସହିତ ଭିଆଇପି ଓ ମହୋତ୍ସବକୁ କିଭଳି ସମାନ୍ତରାଳ ଭାବେ ଡାକ୍ତରଙ୍କୁ ନିୟୋଜିତ କରାଯିବ ଏହି ଚିନ୍ତା ହସ୍ପିଟାଲ କର୍ତୃପକ୍ଷଙ୍କୁ ଘାରୁଛି। ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଡ୍ୟୁଟି ପାଇଁ କ୍ୟାପିଟାଲ ହସ୍ପିଟାଲରୁ ସ୍ୱତନ୍ତ୍ର ଭାବେ ଡାକ୍ତରୀ ଦଳ ନିୟୋଜିତ ହୋଇଛନ୍ତି। ରାଜଧାନୀରେ ଏବେ ବର୍ଷତମାମ ଧାରଣା ଓ ଅନଶନ ହେଉଛି। ବିଶେଷକରି ବିଧାନସଭା ଚାଲିଥିବା ସମୟରେ ଏହି ସଂଖ୍ୟା ଆଶାତୀତ ଭାବେ ବଢ଼ି ଯାଉଛି। ଧାରଣାକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପୁଲିସ ପକ୍ଷରୁ ଏବେ ସବୁବେଳେ କ୍ୟାପିଟାଲ ହସ୍ପିଟାଲରୁ ଡାକ୍ତରୀ ଟିମ୍‌ ପଠାଇବାକୁ କୁହାଯାଉଛି। ଫଳରେ ହସ୍ପିଟାଲ କାଜୁଆଲ୍‌ଟିରେ ଡ୍ୟୁଟି କରୁଥିବା ଡାକ୍ତର ଧାରଣାସ୍ଥଳକୁ ଯାଇ ଧାରଣାକାରୀଙ୍କୁ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରୁଛନ୍ତି। ତେଣୁ କାଜୁଆଲ୍‌ଟିରେ ଡାକ୍ତରଙ୍କ ସଂଖ୍ୟା କମି ଯାଉଛି। ବହିର୍ବିଭାଗ ବନ୍ଦ ହୋଇଯିବା ପରେ ହସ୍ପିଟାଲ କାଜୁଆଲ୍‌ଟିକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ସେବା ଯୋଗାଇବାରେ ସମସ୍ୟା ଉପୁଜୁଛି। ମାସ ମାସ ଧରି ଏହି ସମସ୍ୟା ଦେଖିବାକୁ ମିଳୁଛି।

ସେହିପରି ରାଜଧାନୀରେ ଅଧିକାଂଶ ସମୟରେ ବଡ଼ ବଡ଼ ମହୋତ୍ସବ ଓ ଭିଭିଆଇପି ଆସୁଛନ୍ତି। ସେମାନଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରୁ ଡାକ୍ତରୀ ଟିମ୍‌ଙ୍କୁ ନିୟୋଜିତ କରାଯାଉଛି। ଯେତିକି ଦିନ ମହୋତ୍ସବ ଚାଲୁଛି, ସେତିକି ଦିନ ପର୍ଯ୍ୟନ୍ତ ଡାକ୍ତରୀ ଟିମ୍‌ ସେମାନଙ୍କ ପାଖରେ ରହୁଛନ୍ତି। ଏହି ସମୟରେ ଯଦି କୌଣସି ଭିଆଇପି ଡ୍ୟୁଟି ପଡ଼ୁଛି, ତା’ହେଲେ ହସ୍ପିଟାଲରେ ଡାକ୍ତର ସଂକଟ ଦେଖାଦେଉଛି। ଅପରପକ୍ଷେ କ୍ୟାପିଟାଲ ହସ୍ପିଟାଲରେ ଥିବା ଆମ୍ବୁଲାନ୍‌ସ ଅଧିକାଂଶ ସମୟରେ ଭିଆଇପି ଓ ମହୋତ୍ସବ କାର୍ଯ୍ୟରେ ନିୟୋଜିତ ହେଉଥିବାରୁ ରୋଗୀଙ୍କୁ ଆମ୍ବୁଲାନ୍‌ସ ମିଳୁନାହିଁ। ହସ୍ପିଟାଲରୁ ଅନ୍ୟତ୍ର ରେଫରାଲ ସମୟରେ ରୋଗୀଙ୍କ ସହାୟକଙ୍କୁ ବାଧ୍ୟ ହୋଇ ଘରୋଇ ଆମ୍ବୁଲାନ୍‌ସ ଉପରେ ନିର୍ଭର କରିବାକୁ ପଡ଼ୁଛି। ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଡ୍ୟୁଟିକୁ ନେଇ କୌଣସି ସମସ୍ୟା ନାହିଁ। ତେବେ ବିଧାନସଭା ସମୟରେ ହେଉଥିବା ଧାରଣା ସମୟରେ ପୁଲିସ ପକ୍ଷରୁ ଡାକ୍ତରୀ ଦଳ ପଠାଇବା ପାଇଁ କୁହାଯାଉଛି। ପୂର୍ବରୁ କେବଳ ଅନଶନରେ ବସିଥିବା ଅନଶନକାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏଭଳି ନିର୍ଦେଶ ଆସୁଥିଲା ବେଳେ ଏବେ ପ୍ରତ୍ୟେକ ଧାରଣା ପାଇଁ ଏଭଳି ନିର୍ଦେଶ ଆସୁଛି। ଫଳରେ ବିଧାନସଭା ଅଧିବେଶନ ଚାଲିବା ସମୟରେ ବାଧ୍ୟରେ ଡାକ୍ତରଙ୍କୁ ସେଠାକୁ ପଠାଇବାକୁ ପଡ଼ୁଛି। ଏହି ସମୟରେ ଯଦି କୌଣସି ଭିଆଇପି ରାଜଧାନୀକୁ ଆସନ୍ତି, ତେବେ ଏହି ସମସ୍ୟା ଆହୁରି ବଢ଼ି ଯାଉଛି। ବିଭିନ୍ନ ମହୋତ୍ସବ ପାଇଁ ମଧ୍ୟ ଡାକ୍ତରୀଦଳ ପଠାଇବାକୁ ଅନୁରୋଧ ଆସୁଛି। ତେଣୁ ସବୁ ସମୟରେ ଡାକ୍ତରୀ ଦଳ ପଠାଇବା ସମ୍ଭବ ହେଉନାହିଁ।

ଅପରପକ୍ଷେ କ୍ୟାପିଟାଲ ହସ୍ପିଟାଲରେ ୪ଟି ଆମ୍ବୁଲାନ୍‌ସ ରହିଛି। ଏଏଲ୍‌ଏସ୍‌ ଆମ୍ବୁଲାନ୍‌ସ ମୁଖ୍ୟମନ୍ତ୍ରୀଙ୍କ ଡ୍ୟୁଟି ରହୁଥିବା ବେଳେ ଆଉ ଗୋଟିଏ ବିଏଲଏସ୍‌ ଓ ଦୁଇଟି ଆମ୍ବୁଲାନ୍‌ସ ରହିଛି। ଭିଆଇପି ଓ ଧାରଣା ପାଇଁ ଆମ୍ବୁଲାନ୍‌ସ ନିୟୋଜିତ କରାଗଲେ ରୋଗୀଙ୍କୁ କଟକ ରେଫର କରିବା ସମୟରେ ସମସ୍ୟା ଦେଖାଦେଉଛି। ପୁଲିସ ବିଭାଗର ନିଜସ୍ୱ ହସ୍ପିଟାଲ ରହିଥିଲେ ହେଁ ସେଠାରେ କାର୍ଯ୍ୟରତ ଡାକ୍ତରଙ୍କୁ ଧାରଣା କିମ୍ବା ଅନ୍ୟ ସମୟରେ ନିୟୋଜିତ କରାଗଲେ, ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର