ଆଉ ହେବନି ପଥୋତ୍ସବ

ବର୍ଷା ଓ ସ୍ମାର୍ଟ ଜନପଥ କାମ ପାଇଁ ଆରମ୍ଭ ହୋଇପାରିନି: ମେୟର

ଘରୋଇ ସଂସ୍ଥାକୁ ଅଧିକ ଅର୍ଥ ଦେବା ମହଙ୍ଗା ପଡ଼ିଲା

ଭୁବନେଶ୍ୱର : ରାଜଧାନୀରେ ଚଳିତବର୍ଷ ଆଉ ପଥୋତ୍ସବ ହେବନି। ଏନେଇ ବିଡିଏ/ବିଏମ୍‌ସି ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ହୋଇ ନ ଥିଲେ ହେଁ କର୍ତ୍ତୃପକ୍ଷ ଏନେଇ ଆପାତତଃ ନିଷ୍ପତ୍ତି ନେଇଛନ୍ତି। ସ୍ମାର୍ଟ ଜନପଥ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ପଥୋତ୍ସବ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ରାଜଧାନୀବାସୀଙ୍କୁ ଏକ ନିଆରା ରବିବାର ସକାଳ ଭେଟି ଦେବା ପାଇଁ ବିଏମ୍‌ସି-ବିଡିଏ ପକ୍ଷରୁ ପର୍ଯ୍ୟଟନ ବିଭାଗ ସହାୟତାରେ ଆରମ୍ଭ ହୋଇଥିଲା ରାହଗିରି। ଯାହା ପରବର୍ତ୍ତୀ ସମୟରେ ପଥୋତ୍ସବର ନାଁ ପାଇଥିଲା। ହଜାର ହଜାର ରାଜଧାନୀବାସୀଙ୍କୁ ଜନପଥରେ ଏକାଠି କରିବା ସହ ମନୋରଞ୍ଜନର ଖୋରାକ୍‌ ଯୋଗାଇବା ପାଇଁ ଏଥିରେ ସବୁ ପ୍ରକାରର ବନ୍ଦୋବସ୍ତ ବି ହୋଇଥିଲା। ବର୍ଷା ଋତୁ ଆସିବାରୁ ଏହାକୁ ଜୁଲାଇ ୨୩ରେ ସାମୟିକ ସମୟ ପାଇଁ ବନ୍ଦ କରିଦିଆଗଲା। କିନ୍ତୁ ପୁନଃ ଆରମ୍ଭ କରିବାକୁ ଆଉ ଯୋଜନା ନାହିଁ।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନଭେମ୍ବରରେ ବାରମ୍ବାର ଲଘୁଚାପ ବର୍ଷା ହେବାରୁ ପଥୋତ୍ସବ ଆରମ୍ଭ ହେଲାନି। ଡିସେମ୍ବର ସରିବାକୁ ବସିଲାଣି। ଏବେ ସୁଦ୍ଧା ଆରମ୍ଭ ହୋଇନି। ଏନେଇ କିଛି ବି ପ୍ରସ୍ତୁତି ବୈଠକ ହୋଇନି। ଜାନୁଆରିରେ ଆରମ୍ଭ କଲେ ବି ମାର୍ଚ୍ଚ ବେଳକୁ ସକାଳର ଟାଣ ଖରା ଯୋଗୁ ଲୋକ କମିଯିବାର ସମ୍ଭାବନା ଅଛି। ତେଣୁ ପଥୋତ୍ସବ ନ କରିବାକୁ ଆପାତତଃ ନିଷ୍ପତ୍ତି ହୋଇଛି।

ପଥୋତ୍ସବ ଆରମ୍ଭ ହେବା ନେଇ ଏବେ ସୁଦ୍ଧା କୌଣସି ପ୍ରକାରର ପ୍ରସ୍ତୁତି ବୈଠକ ହୋଇନଥିବାରୁ କେବେ ସୁଦ୍ଧା ହେବ ତାହା କେହି ସ୍ଥିର ଭାବେ କହିପାରୁନାହାନ୍ତି। ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜୋନଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ସ୍ମାର୍ଟ ଜନପଥ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ପୂରା ଜନପଥ ଖୋଳା ହେବାର ଅଛି। ତେଣୁ ପଥୋତ୍ସବ ହେଲେ କୌଣସି ପ୍ରକାରର ଅଘଟଣ ଘଟିବାର ଆଶଙ୍କା ଥିବାରୁ ଏବଂ କାର୍ଯ୍ୟରେ ବିଳମ୍ବ ହେବାର ସମ୍ଭାବନା ଥିବାରୁ ପଥୋତ୍ସବ ପୁଣି ଆରମ୍ଭ କରିବୁ କି ନାହିଁ ସେନେଇ କିଛି ନିଷ୍ପତ୍ତି ନିଆଯାଇନି।

ଅପରପକ୍ଷେ ରାଜଧାନୀରେ ରାହଗିରି/ପଥୋତ୍ସବକୁ ଦେଖି ପୁରୀ, ରାଉରକେଲା, ବ୍ରହ୍ମପୁର, ଜୟପୁର ସମେତ ରାଜ୍ୟର ପ୍ରମୁଖ କେତୋଟି ସହରରେ ଏହି ଉତ୍ସବ ଆରମ୍ଭ ହୋଇଥିଲା। ଭୁବନେଶ୍ୱର ଭଳି କେତୋଟି ସହରରେ ଏହା ବନ୍ଦ ହୋଇଯାଇଥିଲେ ହେଁ ଆଉ କେତୋଟି ସହରରେ ଏବେ ବି ବହୁ ଧୁମ୍‌ଧାମ୍‌ରେ ଏହା ଆୟୋଜନ ହେଉଛି। କିନ୍ତୁ ଭୁବନେଶ୍ୱରବାସୀଙ୍କୁ ରବିବାର ସକାଳେ ଏକାଠି କରିବାକୁ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା ତାହା ଏବେ ବନ୍ଦ ହୋଇଯାଇଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଥୋତ୍ସବ ବନ୍ଦ ହେବାର ମୁଖ୍ୟ କାରଣ ହେଲା ଅର୍ଥ ଅଭାବ। କର୍ତ୍ତୃପକ୍ଷ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ହେଁ ଏହାର ଆୟୋଜନ ଦାୟିତ୍ୱ ଏକ ଘରୋଇ ସଂସ୍ଥାକୁ ଦେଇଥିଲେ। ଯେଉଁଥିପାଇଁ ଉକ୍ତ ସଂସ୍ଥା ପ୍ରତି ରବିବାର ପାଇଁ ୨ଲକ୍ଷ ଟଙ୍କା ଓ ଟିକସ ନେଉଥିଲା। ବିଏମ୍‌ସି, ବିଡିଏ ଏନେଇ ସ୍ପନସରସିପ୍‌ ଯୋଗାଡ଼ କରୁଥିଲେ। ଉକ୍ତ ଅର୍ଥରେ ଏହି କାର୍ଯ୍ୟକ୍ରମ ହେଉଥିଲା। ହେଲେ ପ୍ରତି ରବିବାର କେତୋଟି ହାତ ଗଣତି ସ୍ପନସରସିପ୍‌ ଦେବାକୁ ରାଜି ହେଲେନି। ବିଏମ୍‌ସି/ବିଡିଏ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବା ସମ୍ଭବ ନଥିବାରୁ ଏହାକୁ ବନ୍ଦ କରିଦେବାକୁ ନିଷ୍ପତ୍ତି ହୋଇଛି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜନପଥରେ ଦୁଇଟି ମଞ୍ଚ, ମ୍ୟୁଜିକ ବ୍ୟବସ୍ଥା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ କଳାକାର ଆଣିବାକୁ ଏହି ଘରୋଇ ସଂସ୍ଥା ମୋଟା ଅଙ୍କର ଅର୍ଥ ନେଲା। ଯେତେବେଳେ କି ବହୁ ଯୁବ କଳାକାର ସ୍ୱେଚ୍ଛାକୃତ ଭାବେ ପଥୋତ୍ସବରେ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ରାଜି ହେଉଥିବାବେଳେ ପ୍ରତି ଉତ୍ସବ ପାଇଁ ଏତେ ଅର୍ଥ ବ୍ୟୟ କରିବା ନେଇ କର୍ତ୍ତୃପକ୍ଷଙ୍କ ଉପରେ ଅଙ୍ଗୁଳି ଉଠିଥିଲା। ଏପରିକି ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସର୍ବାଧିକ ୫୦ହଜାର ଟଙ୍କା ଖର୍ଚ୍ଚ ଯଥେଷ୍ଟ ଥିବାବେଳେ ଏତେ ଅର୍ଥ କାହିଁକି ବରବାଦ୍‌ କରାଯାଉଛି ବୋଲି ପ୍ରଶ୍ନ ଉଠିଥିଲା। ଏହାପରେ କର୍ତ୍ତୃପକ୍ଷ ପଥୋତ୍ସବ ପୁଣି ନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରାହଗିରିିର ନୂଆ ସଂସ୍କରଣ ପଥୋତ୍ସବ ନଭେମ୍ବର ୨୭,୨୦୧୬ରେ ଆରମ୍ଭ ହୋଇଥିଲା। ରାହଗିରି ଢାଞ୍ଚାରେ ସମସ୍ତ କାର୍ଯ୍ୟକ୍ରମ ହୋଇଥିଲେ ହେଁ କେବଳ ନାମ ବଦଳିଥିଲା। ରାହଗିରି ପରି ପଥୋତ୍ସବରେ ବି ରାଜଧାନୀବାସୀ ଏକାଠି ହେଲେ। କିଏ ପୁରୁଣା ବନ୍ଧୁଙ୍କ ସହ ଖଟି କରିବାକୁ ଏକାଠି ହେଲେ ତ କିଏ ବ୍ୟାୟାମ କରିବାକୁ, କିଏ ପ୍ରାତଃ ଭ୍ରମଣରେ ଆସିଲେ ତ କିଏ ଦୁଇ ମଞ୍ଚରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ। ରାଜଧାନୀବାସୀଙ୍କ ପାଇଁ ରବିବାର ସକାଳର ଠିକଣା ଜନପଥ ପାଲଟି ଯାଇଥିଲା।

ସୂଚନାଯୋଗ୍ୟ ଯେ, ଜାନୁଆରି ୧୭, ୨୦୧୬ରେ ରାହଗିରି ଆରମ୍ଭ ହେବାର ୨୭ଟି ସଂସ୍କରଣ ପରେ ଜୁଲାଇ ୧୭ରେ ଏହା ବନ୍ଦ ହୋଇଯାଇଥିଲା। ଏହାପରେ ନଭେମ୍ବର ୨୭, ୨୦୧୬ରେ ପଥୋତ୍ସବ ନାମରେ ଏହା ପୁଣି ପଥୋତ୍ସବ ନାମରେ ଆରମ୍ଭ ହୋଇଥିଲା। ୩୫ଟି ସଂସ୍କରଣ ପରେ ଗତ ଜୁଲାଇ ୨୩ତାରିଖରୁ ଏହା ବନ୍ଦ ଅଛି।

ସମ୍ବନ୍ଧିତ ଖବର