ପଟିଆ ବିଗ୍‌ବଜାର ସିଲ୍‌

ଭୁବନେଶ୍ବର : ଆବଶ୍ୟକ ପାର୍କିଂ ବ୍ୟବସ୍ଥା ନ ରହିବା, ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ନ ଥିବା କାରଣରୁ ଆଜି ବିଏମ୍‌ସି ପଟିଆସ୍ଥିତ ବିଗ୍‌ବଜାରକୁ ସିଲ୍‌ କରିଛି। ବିଏମ୍‌ସି ପକ୍ଷରୁ ପଟିଆ ବିଗ୍‌ବଜାର ସମ୍ମୁଖ‌‌‌‌ରେ ଭ୍ରାମ୍ୟମାଣ ଓଡିଏ (ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ) କୋର୍ଟ ବସି ମଲ୍‌ର ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରିବା ପରେ ମଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷ ଶୁଣା ଯାଇଥିଲା। ଏହାପରେ ମଲ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍‌ କରାଯାଇଥିଲା।

ବିଏମ୍‌ସିର ଡେପୁଟି କମିସନର ଶ୍ରୀମନ୍ତ ମିଶ୍ରଙ୍କ ସୂଚନା ଅନୁଯାୟୀ, ପଟିଆ ଛକସ୍ଥିତ ବିଗ୍‌ ବଜାରରେ ଆବଶ୍ୟକ ପାର୍କିଂ ବ୍ୟବସ୍ଥା ନ ଥିଲା। ମଲ୍‌ କର୍ତ୍ତୃପକ୍ଷ ପାର୍କିଂ ଅଞ୍ଚଳ ଅଛି ଓ ଗାଡ଼ି ପାର୍କିଂ ହେଉଛି ବୋଲି କହିବା ପରେ ବିଏମ୍‌ସି କର୍ମଚାରୀମାନେ ଏହାକୁ ଯାଞ୍ଚ କରିଥିଲେ। ହେଲେ ପାର୍କିଂ ଅଞ୍ଚଳ ଗୋଦାମ ଭାବେ ବ୍ୟବହାର କରାଯାଉଥିବା ଦେଖିବାକୁ ପାଇଥିଲେ। ସେହିପରି ଓଡିଏ କୋର୍ଟର ଶୁଣାଣି ବେଳେ ମଲ୍‌ କର୍ତ୍ତୃପକ୍ଷଙ୍କୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ମଗା ଯାଇଥିଲା। ହେଲେ ମଲ୍‌ କର୍ତ୍ତୃପକ୍ଷ ଦେଖାଇ ପାରି ନ ଥିଲେ। ହେଲେ ମଲ୍‌ କର୍ତ୍ତୃପକ୍ଷ କହିଥିଲେ ଯେ ସେମାନଙ୍କର ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ଅଛି, କିନ୍ତୁ ପାଖରେ ନାହିଁ। କେବଳ ଏତିକି ନୁହେଁ, ମଲ୍‌ରେ ଆବଶ୍ୟକ ପାର୍କିଂ ସୁବିଧା ନ ଥିବାରୁ ନିକଟସ୍ଥ ଛକରେ ଅସମ୍ଭାଳ ଜାମ୍ ପରିସ୍ଥିତି ସୃଷ୍ଟି ହେଉଥିଲା ଏବଂ ରାସ୍ତା ଉପରେ ସେତେବେଳେ ବି ଗାଡ଼ି ପାର୍କିଂ ହୋଇଥିଲା। ଏପରି ସ୍ଥିତି ଦେଖି ବିଏମ୍‌ସି କର୍ତ୍ତୃପକ୍ଷ ମଲ୍‌କୁ ସିଲ୍‌ କରିଥିଲେ।

ଶ୍ରୀ ମିଶ୍ର କହିଛନ୍ତି ଯେ, ମଲ୍‌ କର୍ତ୍ତୃପକ୍ଷଙ୍କୁ ପ୍ଲାନ୍ ଅନୁଯାୟୀ ଆବଶ୍ୟକ ପାର୍କିଂ ଅଞ୍ଚଳ ଅଛି କି ନାହିଁ ଦେଖାଇବା ସହ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦାଖଲ କରିବାକୁ କୁହାଯାଇଛି। ମଲ୍‌ କର୍ତ୍ତୃପକ୍ଷ ସମସ୍ତ ଡକୁମେଣ୍ଟ ଜମା କରିବା ପରେ ସିଲ୍‌ ଖୋଲାଯିବ ବୋଲି ସେ କହିଛନ୍ତି।

ଏଣିକି ଘଟଣାସ୍ଥଳରେ ବସିବ ଓଡିଏ କୋର୍ଟ
ଆଜିର ସିଲ୍‌ ପରେ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ, ଏଣିକି ରାଜଧାନୀର ବିଭିନ୍ନ ଅଞ୍ଚଳରେଏହିପରି ମୋବାଇଲ୍‌ ଓଡିଏ କୋର୍ଟ ବସି ଘଟଣାସ୍ଥଳରେ ହିଁ ଶୁଣାଣି ହେବ। ଯାହାର ଆବଶ୍ୟକ ଭିତ୍ତିଭୂମି ନ ଥିବ, ଯିଏ ଅନୁମୋଦିତ ପ୍ଲାନ୍ ବ୍ୟତିରକେ ବେଆଇନ ଭାବେ ଅଧିକ ନିର୍ମାଣ କରିଥିବେ, ଯାହାର ଆବଶ୍ୟକ ପାର୍କିଂ ସୁବିଧା ନ ଥିବ ସେଗୁଡ଼ିକୁ ସିଲ୍‌ କରାଯିବ। ଖୁବ୍‌ ଶୀଘ୍ର ବିଡିଏ ଓ ବ‌ିଏମ୍‌ସିର ଅଧିକାରୀଙ୍କୁ ନେଇ ଏକ ବୈଠକ ବସିବ। ଏହାପରେ କେଉଁ ଅଞ୍ଚଳରେ କେବେ ଚଢ଼ାଉ ହେବ ତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ।

ସୂଚନାଯୋଗ୍ୟ ଯେ, ଆଜି ବିଏମ୍‌ସି ପକ୍ଷରୁ ପଟିଆ ଛକସ୍ଥିତ ବିଗ୍‌ ବଜାର ସିଲ୍‌ କରିବା ନେଇ ବିଏମ୍‌ସି କମିସନର ନିଜେ ଯୋଜନା ପ୍ରସ୍ତୁତ କରିଥିଲେ। ଆଜି ସକାଳୁ ବିଏମ୍‌ସି ଓ ବିଡିଏର ଅଧିକାରୀଙ୍କୁ ଫୋନ୍ ଯାଇଥିଲା ଯେ, ପଟିଆ ଛକରେ ପହଞ୍ଚନ୍ତୁ। ବିଏମ୍‌ସିର ଓଡିଏ କୋର୍ଟ ଦାୟିତ୍ବରେ ଥିବା ଶ୍ରୀ ମିଶ୍ରଙ୍କୁ କୁହାଯାଇଥିଲା ଯେ, ଆଜି ଓଡିଏ କୋର୍ଟ ପଟିଆ ଛକରେ ବସିବ। ତେଣୁ ସମସ୍ତ କର୍ମଚାରୀ ଓ ଆନୁଷଙ୍ଗିକ କାଗଜପତ୍ର/ସାମଗ୍ରୀ ଧରି ଆସ। ବିଡିଏର ପ୍ଲାନିଂ ଅଧିକାରୀ ଓ ବିଏମ୍‌ସିର ପ୍ଲାନିଂ ଅଧିକାରୀଙ୍କ ସମେତ ବିଏମ୍‌ସି ଓ ବିଡିଏର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ମଲ୍‌ରେ ଚଢ଼ଉ ହୋଇଥିଲା। ମଲ୍‌ର ସମସ୍ତ କର୍ମଚାରୀଙ୍କୁ ବାହାରକୁ ଚ‌ାଲିଯିବାକୁ କୁହାଯିବା ପରେ ଭିତ୍ତିଭୂମି ଯାଞ୍ଚ ହୋଇଥିଲା। ଏହାପରେ ମୋବାଇଲ୍‌ ଓଡିଏ କୋର୍ଟରେ ମାମଲାର ଶୁଣାଣି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଥିଲା। ମଲ୍‌ ସିଲ୍‌ ହେବା ପରେ ପଟିଆ ଛକରେ ଥିବା ଉଠା ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଇଥିଲା।

ସମ୍ବନ୍ଧିତ ଖବର