ଏମ୍‌ସରେ ଅବ୍ୟବସ୍ଥା, ଆଡମିସନ୍‌ର ୧୫ଦିନ ପରେ ହୋଇପାରୁନି ଅସ୍ତ୍ରୋପଚାର‌

ଓଟି ବଢ଼ିଲେ ସମସ୍ୟାର ସମାଧାନ ହେବ: ଏମ୍‌ସ କର୍ତୃପକ୍ଷ

ଭୁବନେଶ୍ବର: ଏମ୍‌ସରେ ଜଣେ ରୋଗୀର ଆଡମିସନ୍‌ର ୧୫ଦିନ ପରେ ମଧ୍ୟ ଅସ୍ତ୍ରୋପଚାର ହୋଇପାରୁନାହିଁ। ବିଭିନ୍ନ ବାହାନା ଦେଖାଇ ରୋଗୀଙ୍କୁ ଫେରାଇ ଦିଆଯାଉଛି। ମାସ ମାସ ଧରି ଏମ୍‌ସରେ ଏଭଳି ଅବ୍ୟବସ୍ଥା ଲାଗି ରହିଛି। ଏସ୍‌ସିବି ଓ କ୍ୟାପିଟାଲ‌ ହସ୍ପିଟାଲ ଅପେକ୍ଷା ଉନ୍ନତମାନର ରୋଗୀ ସୁବିଧା ଆଶାରେ ରୋଗୀମାନେ ଏମ୍‌ସ ଯାଉଥିବା ବେଳେ ଏଭଳି ଭାବେ ଫେରିବାକୁ ପଡ଼ୁଛି। କଣାସ ବ୍ଲକ୍‌ କରମଳା ଅଞ୍ଚଳର ବିଜୟ ମହାପାତ୍ର ନାମକ ବ୍ୟକ୍ତିଙ୍କ ମେରୁଦଣ୍ଡରେ ଆଘାତ ଲାଗିବା ପରେ ଏମ୍‌ସକୁ ଚିକିତ୍ସା ପାଇଁ ଯାଇଥିଲେ। ଅସ୍ତ୍ରୋପଚାର ପାଇଁ ଡାକ୍ତର କହିବା ପରେ ଗତ ମାସ ୨୦ ତାରିଖରେ ଆଡମିସନ ନେଇଥିଲେ। ୨୫ ତାରିଖରେ ତାଙ୍କୁ ସ୍ନାୟୁ ବା ନ୍ୟୁରୋ ସର୍ଜରି ୱାର୍ଡକୁ ନିଆଯାଇଥିଲା। ଏହି ସମୟରେ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଡାକ୍ତରୀ ସରଞ୍ଜାମ କିଣିବା ପାଇଁ କୁହାଯାଇଥିଲା। ରୋଗୀଙ୍କ ପରିବାର ଲୋକ ୧୨/୧୩ ହଜାର ଟଙ୍କାର ଡାକ୍ତରୀ ସରଞ୍ଜାମ କିଣିଥିଲେ। ପ୍ରତ୍ୟେକ ଦିନ ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ସୂଚନା ଦିଆଯାଉଥିଲେ ହେଁ ଦିନ ପରେ ଦିନ ଗଡ଼ି ଚାଲିଲା। ଅସ୍ତ୍ରୋପଚାର ପାଇଁ ଉପବାସ ରହିବାକୁ କୁହାଯାଇଥିଲା ବେଳେ ସଂଧ୍ୟାରେ ଅସ୍ତ୍ରୋପଚାର ହୋଇପାରିବ ନାହିଁ କୁହାଯାଉଥିଲା। ମାତ୍ର ଅସ୍ତ୍ରୋପଚାର ହୋଇପାରି ନ ଥିଲା। ଏହା ଭିତରେ ୧୫ଦିନ ବିତିଯାଇଥିଲେ ମଧ୍ୟ ଅସ୍ତ୍ରୋପଚାର ପାଇଁ ଶ୍ରୀ ମହାପାତ୍ର ଅପେକ୍ଷା କରି ରହିଥିଲେ। ମାତ୍ର ଚଳିତ ମାସ ୫ ତାରିଖରେ ହଠାତ୍ ତାଙ୍କର ମଧୁମେହରେ ନିୟନ୍ତ୍ରଣ ରହୁ ନ ଥିବା ବାହାନା ଦେଖାଇ ତାଙ୍କୁ ଡିସଚାର୍ଜ କରିବାକୁ ଲେଖିଥିଲେ ଡାକ୍ତର। ଫଳରେ ୬ ତାରିଖରେ ତାଙ୍କୁ ଏମ୍‌ସରୁ ଡିସଚାର୍ଜ କରି ଦିଆଯାଇଥିଲା। ଆଗକୁ ଚେକ୍‌ଅପ କରାଯିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ଡାକ୍ତର କହିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। କେବଳ ବିଜୟ ନୁହନ୍ତି, ଏଭଳି ଅନେକ ରୋଗୀ ଦିନ ଦିନ ଧରି ଏମ୍‌ସରେ ଆଡମିସନ୍ ହୋଇ ରହିବା ପରେ ବିନା ଅସ୍ତ୍ରୋପଚାରରେ ଫେରିବାକୁ ବାଧ୍ୟ ହେଉଛନ୍ତି।

ସୂଚନା ଅନୁଯାୟୀ, ଏମ୍‌ସରେ ୨୫ଟି ଓଟି ବା ଅସ୍ତ୍ରୋପଚାର ଗୃହ ନିର୍ମାଣ ପାଇଁ ଯୋଜନା ରହିଥିବା ବେଳେ ଏବେ ମାତ୍ର ୭ଟି ଅସ୍ଥାୟୀ ଓଟି କାର୍ଯ୍ୟ କରୁଛି। ଅତ୍ୟାଧୁନିକ ମଡ୍ୟୁଲାର ଓଟି ପାଇଁ ଦୀର୍ଘ ଦିନରୁ ଟେଣ୍ଡର ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଥିଲେ ହେଁ ଆଜି ପର୍ଯ୍ୟନ୍ତ ନିର୍ମାଣ ଶେଷ ହୋଇନାହିଁ। ଏଥିପାଇଁ ଅକ୍ସିଜେନ୍ ଟାଙ୍କି ନିର୍ମାଣ ହୋଇନାହିଁ। ମଡ୍ୟୁଲାର ଓଟିର ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ଆହୁରି ୬ ମାସ ଲାଗିବ। ପର୍ଯ୍ୟାପ୍ତ ଓଟି ନ ଥିବା କାରଣରୁ ପ୍ରତିଦିନ ବହୁତ କମ୍ ସଂଖ୍ୟକ ରୋଗୀଙ୍କ ଅସ୍ତ୍ରୋପଚାର ହେଉଛି। ଦିନ ଦିନ ଧରି ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ଅପେକ୍ଷା କରିବାକୁ ପଡ଼ୁଛି। ଏମ୍‌ସର ନିର୍ଦେଶକ ଡା. ଗୀତାଞ୍ଜଳି ବାଟମାନବାନେଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିପାରି ନ ଥିଲା। ଅଧୀକ୍ଷକ ପ୍ରଫେସର ଡା. ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି, ଯଦି ରୋଗୀଙ୍କୁ ଉପବାସରେ ରହିବାକୁ କୁହାଯାଇଥିଲା, ତା’ ହେଲେ ଡାକ୍ତର ତାଙ୍କର ଅସ୍ତ୍ରୋପଚାର କରିବା ପାଇଁ ନିଶ୍ଚିତ ଉଦ୍ୟମ କରିଥିବେ। ଏମ୍‌ସକୁ ବହୁତ ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ‌ଅନେକ ଗୁରୁତର ରୋଗୀ ମଧ୍ୟ ଆସୁଛନ୍ତି। ଫଳରେ ବ୍ୟାକଲଗ୍ ହେଉଛି। ସମୟ ହୋଇପାରି ନ ଥିବା କାରଣରୁ ବୋଧହୁଏ ସଂପୃକ୍ତ ରୋଗୀଙ୍କ ଅସ୍ତ୍ରୋପଚାର ହୋଇ ପାରିନାହିଁ। ଏମ୍‌ସରେ ଏବେ ୭ଟି ଅସ୍ଥାୟୀ ଓଟି କାର୍ଯ୍ୟ କରୁଛି। ମଡ୍ୟୁଲାର ଓଟି ନିର୍ମାଣ ଜାରି ରହିଛି। ଆସନ୍ତା ଜାନୁଆରିରେ ଏହାର ଉଦ୍‌ଘାଟନ ହେବ ବୋଲି ଆଶା କରାଯାଉଛି। ଓଟି ସଂଖ୍ୟା ବଢ଼ିଲେ ଏହି ସମସ୍ୟାର ସମାଧାନ ହେବ ବୋଲି ଡା. ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର