କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ମେଳା : ଆଜି ଡାକ୍ତର ଦେଖାଇଲେ ୨ଦିନ ପରେ ରକ୍ତ ପରୀକ୍ଷା!

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଯୋଜନା ଆରମ୍ଭ ହେବା ପରେ କ୍ୟାପିଟାଲ ହସ୍ପିଟାଲରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ହସ୍ପିଟାଲକୁ ଯେତିକି ରୋଗୀ ପରୀକ୍ଷା ପାଇଁ ଆସୁଥିଲେ ଏବେ ଏହି ସଂଖ୍ୟା ଦୁଇଗୁଣ ବଢ଼ିଯାଇଛି। ପରିସ୍ଥିତି ଏପରି ହୋଇଛି ଯେ,  ଯଦି ଡାକ୍ତର ରକ୍ତ ପରୀକ୍ଷା ପାଇଁ ଲେଖନ୍ତି, ତେବେ ୨ ଦିନ ପରେ ରୋଗୀଙ୍କୁ ରିପୋର୍ଟ ଦେଖାଇବା ପାଳି ପଡ଼ୁଛି। ଏପରିକି ପୂର୍ବଦିନ ରାତିରୁ ଲୋକମାନେ ଧାଡ଼ି ଜଗିବା ପାଇଁ ଇଟା ଓ ପଥର ରଖୁଥିବା ଦେଖିବାକୁ ମିଳୁଛି।

ଅପରପକ୍ଷରେ ଅବଶ୍ୟକ କର୍ମଚାରୀଙ୍କ ଅଭାବ ଯୋଗୁଁ ହସ୍ପିଟାଲ୍‌ରେ ସ୍ଥିତି ଦିନକୁ ଦିନ ସଂଗିନ ହେବାରେ ଲାଗିଛି। ହସ୍ପିଟାଲ୍‌ କର୍ତୃପକ୍ଷ ମଧ୍ୟ ହାତ ଟେକି ଦେଇଛନ୍ତି। ଅଧିକ ସଂଖ୍ୟକ କର୍ମଚାରୀଙ୍କ ନିଯୁକ୍ତ ଲାଗି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ଏଥିରେ କୌଣସି ଫଳ ମିଳିନାହିଁ। ଫଳରେ କ୍ୟାପିଟାଲ ହସ୍ପିଟାଲ ଏକପ୍ରକାର ରୋଗୀଙ୍କ ମେଳାରେ ପରିଣତ ହୋଇଛି।

ପଞ୍ଜୀକରଣ, ମାଗଣା ସେବା କାଉଣ୍ଟର୍‌ରେ ଭୋରରୁ ଭିଡ଼

କ୍ୟାପିଟାଲ ହସ୍ପିଟାଲ୍‌ ପଞ୍ଜୀକରଣ କାଉଣ୍ଟର୍‌ ଦେଖିଲେ ଜଣେ ଭିଡ଼ ସମ୍ପର୍କରେ ସହଜରେ ଅନୁମାନ ଲଗାଇ ପାରିବ। ରୋଗୀଙ୍କ ପଞ୍ଜୀକରଣ ପାଇଁ ସକାଳ ୮ଟାରେ କାଉଣ୍ଟର୍‌ ଖୋଲେ। ମାତ୍ର  ଭୋର୍‌ରୁ ଏଥିପାଇଁ ଭିଡ଼ ଆରମ୍ଭ ହୋଇଯାଉଛି। ସକାଳ ୬ଟା ବେଳକୁ ପଞ୍ଜୀକରଣ କାଉଣ୍ଟର୍‌ରେ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। କାଉଣ୍ଟର୍‌ ଖୋଲିଲା ବେଳକୁ ରୋଗୀଙ୍କ ଅସମ୍ଭାଳ ଭିଡ଼ରେ କାଉଣ୍ଟର୍‌ ଗୃହ ଭର୍ତି ହୋଇଯାଉଛି। ପରିସ୍ଥିତି ଏପରି ହେଉଛି ଯେ ଧାଡ଼ିରେ ଛିଡ଼ା ହୋଇଥିବା ରୋଗୀ ଅସନ୍ତୋଷ ପ୍ରକାଶ କରୁଛନ୍ତି। ପଞ୍ଜୀକରଣ ଗୃହରେ ମାତ୍ର ୨ଟି କମ୍ପ୍ୟୁଟର କାର୍ଯ୍ୟକ୍ଷମ ହୋଇଥିବାରୁ ରୋଗୀଙ୍କ ପଞ୍ଜୀକରଣ ନେଇ ସମସ୍ୟା ଉପୁଜୁଛି।

ଅନ୍ୟପଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଇ-ଶୁଶ୍ରୂତ ଜରିଆରେ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇପାରି ନାହିଁ। ଏ ନେଇ ବହୁବାର ଆଲୋଚନା ହୋଇଥିଲେ ହେଁ, ଆବଶ୍ୟକ ଭିତ୍ତିଭୂମି ଅଭାବରୁ ତାହା କାର୍ଯ୍ୟକ୍ଷମ ହେବା ନେଇ ଆହୁରି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ଅନଲାଇନରେ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହେଲେ ହସ୍ପିଟାଲ ପରିସରରେ ରୋଗୀଙ୍କ ଲମ୍ବା ଲାଇନ୍‌ ଯଥେଷ୍ଟ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ସେହିପରି ଚଳିତବର୍ଷ ଜାନୁଆରି ପହିଲାରୁ ରାଜ୍ୟ ସରକାର ମାଗଣା ପରୀକ୍ଷା ‘ନିଦାନ’ ସେବା ଆରମ୍ଭ କରିଛନ୍ତି। ଯାହାଫଳରେ ସରକାରୀ ଡାକ୍ତରଖାନାରେ ରକ୍ତ ପରୀକ୍ଷା ପାଇଁ ରୋଗୀଙ୍କୁ କୌଣସି ପ୍ରକାର ଦେୟ ଦେବାକୁ ପଡ଼ୁନାହିଁ। ତେବେ ଏହି ସେବା ପାଇବା ପାଇଁ ହସ୍ପିଟାଲ କର୍ତୃପକ୍ଷ ପୁରୁଣା ସ୍ତ୍ରୀ ଓ ପ୍ରସୂତି ରୋଗ ଓ୍ଵାର୍ଡରେ ସ୍ୱତନ୍ତ୍ର କାଉଣ୍ଟର୍‌ ଖୋଲିଛନ୍ତି। ଏଠାରେ ୨ଟି କାଉଣ୍ଟର୍‌ ଖୋଲିଥିଲେ ହେଁ ତାହା ଯଥେଷ୍ଟ ହେଉନାହିଁ। ଏହି କାଉଣ୍ଟର୍‌ରେ ରୋଗୀମାନେ ପୂର୍ବଦିନ ରାତିରୁ ଇଟା ଓ ପଥର ଧାଡ଼ିରେ ରଖୁଛନ୍ତି। ଏଠାରେ ମଧ୍ୟ ଭୋର୍‌ରୁ ଭିଡ଼ ଆରମ୍ଭ ହୋଇଯାଉଛି। ଯାହାଫଳରେ ଜଣେ ରୋଗୀ ଗୋଟିଏ ଦିନ ପଞ୍ଜୀକରଣ କରି ଡାକ୍ତରଙ୍କୁ ଦେଖାଇବା ପରେ ପରଦିନ ମାଗଣା ସେବା ପାଇଁ ଟିକେଟ୍‌ ନେବା ପାଇଁ ଧାଡ଼ିରେ ରହିବାକୁ ପଡ଼ୁଛି। ଡାକ୍ତର ଦେଖାଇବାର ଦୁଇ ଦିନରେ ଜଣେ ରୋଗୀ ରକ୍ତ ପରୀକ୍ଷା କରିପାରିବା ସମ୍ଭବ ହେଉଛି। ରକ୍ତ ନମୁନା ସଂଗ୍ରହ କେନ୍ଦ୍ରଠାରେ ମଧ୍ୟ ସମାନ ଅବସ୍ଥା। ଯଦିଓ ହସ୍ପିଟାଲ କର୍ତୃପକ୍ଷଙ୍କ ପକ୍ଷରୁ ଦିନକୁ କେତେ ପରିମାଣର ରକ୍ତ ନମୁନା ରୋଗୀଙ୍କଠାରୁ ସଂଗ୍ରହ କରାଯିବ ସେ ନେଇ କୌଣସି କଟକଣା ଜାରି କରାଯାଇ ନାହିଁ। ତେବେ ଦିନକୁ ୧୮୦ ପର୍ଯ୍ୟନ୍ତ ରକ୍ତ ନମୁନା ସଂଗ୍ରହ ହେଉଥିବା ସୂଚନା ମିଳିଛି। ଯାହାକୁ ନେଇ ରୋଗୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଉଛି। ହସ୍ପିଟାଲରେ ମାଇକ୍ରୋବାଇଓଲୋଜି, ହେମାଟୋଲୋଜି ଓ ବାଇଓକେମିଷ୍ଟ୍ରି ଭଳି ବିଭାଗ ରହିଛି। ତେବେ ଏସବୁ ପରୀକ୍ଷା ପାଇଁ ୧୧ଜଣ ଲାବୋରେଟାରି ଟେକ୍‌ନିସିଆନ୍‌ ବା ଏଲ୍‌ଟି ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ରାଜଭବନରେ କାର୍ଯ୍ୟ କରୁଛନ୍ତି। ତେଣୁ ୧୦ଜଣ ଟେକ୍‌ନିସିଆନ୍‌ଙ୍କୁ ନେଇ ରକ୍ତ ନମୁନା ସଂଗ୍ରହ ଓ ପରୀକ୍ଷା ଏକପ୍ରକାର ଅସହ୍ୟ ହୋଇପଡ଼ିଛି।

ଖୋର୍ଧା ସିଡିଏମ୍‌ଓ ଦେବେ ୨ ଏଲ୍‌ଟି-ନିର୍ଦେଶକ

ହସ୍ପିଟାଲ୍‌ରେ ଏବେ ଯେତିକି ଏଲ୍‌ଟି ରହିଛନ୍ତି ଆହୁରି ୨ଜଣ ଏଲ୍‌ଟି ଯୋଗାଇ ଦେବାକୁ ଖୋର୍ଧା ସିଡିଏମ୍‌ଓଙ୍କୁ ଚିଠି ଦିଆଯାଇଛି। ଏଲ୍‌ଟି ଆସିବା ପରେ ରକ୍ତ ନମୁନା ସଂଗ୍ରହ ଓ ପରୀକ୍ଷାରେ ସୁଧାର ଆସିପାରିବ। ତେବେ ଦିନକୁ କେତେ ସଂଖ୍ୟକ ରକ୍ତ ନମୁନା ସଂଗ୍ରହ କରାଯିବ ସେଥିପାଇଁ କୌଣସି କଟକଣା ଧାର୍ଯ୍ୟ କରାଯାଇ ନାହିଁ। ତେବେ ଯେତିକି ସଂଖ୍ୟକ ରକ୍ତ ନମୁନା ପରୀକ୍ଷା ହୋଇପାରିବ ସେତିକ ରକ୍ତ ନମୁନା ସଂଗ୍ରହ କରାଯାଉଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା.ଚନ୍ଦ୍ରିକା ପ୍ରସାଦ ଦାସ।

ସମ୍ବନ୍ଧିତ ଖବର