ରାଜଧାନୀ ଏବେ ଦୁର୍ଘଟଣାର ହବ୍‌ : ବଞ୍ଚେଇ ପାରୁନି ପିସିଆର୍‌

ଭୁବନେଶ୍ୱର(ବିଶ୍ୱଜିତ ଦାଶ): ରାଜଧାନୀରେ ଦୁର୍ଘଟଣା ହେଲେ ପ୍ରଥମେ ଲୋକଙ୍କ ମୋବାଇଲରୁ ଡାଏଲ୍‌ ହୁଏ ୧୦୮। କିନ୍ତୁ ଫୋନ୍‌ ବ୍ୟସ୍ତତା ଏବଂ ଆମ୍ବୁଲାନ୍ସ ପହଞ୍ଚିବାର ବିଳମ୍ବ ଯୋଗୁଁ ଦ୍ୱିତୀୟ ନମ୍ବର ଡାଏଲ୍‌ ହୁଏ ୧୦୦। ୧୦୦କୁ ଡାଏଲ୍‌ କରିବାର ୧୦ରୁ ୧୫ମିନିଟ ଭିତରେ ପିସିଆର୍‌ ଭ୍ୟାନ୍‌ ପହଞ୍ଚିଯାଏ। ଏଥିରେ ଦୁର୍ଘଟଣାରେ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଏ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ହସ୍ପିଟାଲରେ ଆହତ ବ୍ୟକ୍ତି ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇଯାଉଛି ନଚେତ୍‌ ପହଞ୍ଚିବାର କିଛି ସମୟ ପରେ ଡାକ୍ତର ମୃତ ବୋଲି ଘୋଷଣା କରୁଛନ୍ତି। ସଡ଼କ ଦୁର୍ଘଟଣା ସମୟରେ ସବୁଠୁ ଆଗୁଆ ସହାୟତା ଯୋଗାଉଥିବା କମିସନରେଟ୍‌ ପୁଲିସର ପିସିଆର୍‌ ଭ୍ୟାନ୍‌ରେ ଏବେ ଆହତଙ୍କୁ ପଠାଇବାକୁ ଲୋକ ଡରିଲେଣି। ଦୁର୍ଘଟଣା ପରେ ଯେଉଁ ଗୁରୁତର ବ୍ୟକ୍ତିଙ୍କର ବଞ୍ଚିବାର ସମ୍ଭାବନା କିଛି ମାତ୍ରାରେ ରହୁଛି ତାଙ୍କୁ ଯଦି ପିସିଆର୍‌ ଭ୍ୟାନ୍‌ରେ ହସ୍ପିଟାଲରେ ପହଞ୍ଚାଯାଉଛି ତେବେ ଆହତଙ୍କ ମୃତ୍ୟୁ ଏକରକମ ସୁନିଶ୍ଚିତ ହୋଇଯାଉଛି। ପିସିଆର୍‌ ଭ୍ୟାନ୍‌ ଏବେ ଆହତଙ୍କ ପାଇଁ ଦେବଦୂତ ହେବା ବଦଳରେ ଯମଦୂତ ପାଲଟି ଯାଇଛି। କମିସନରେଟ୍‌ ପୁଲିସ ଅଞ୍ଚଳରେ ତ୍ୱରିତ ସେବା ଯୋଗାଇବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିରେ ତୁରନ୍ତ ପହଞ୍ଚିବାରେ ପିସିଆର୍‌ ଭ୍ୟାନ୍‌ ବହୁ ସଫଳ ହୋଇଥିଲେ ହେଁ ଦୁର୍ଘଟଣାରେ ଆହତଙ୍କୁ ବଞ୍ଚାଇବାରେ ଫେଲ୍‌ ମାରିଯାଇଛି। ସଡ଼କ ଦୁର୍ଘଟଣାରେ ଯେଉଁ ବ୍ୟକ୍ତିି ଆହତ ହେଉଛନ୍ତି ତାଙ୍କୁ ଯେଉଁ ଆଶୁ ଚିକିତ୍ସା ଯୋଗାଇବା ଦରକାର, ଯେଉଁଭଳି ହସ୍ପିଟାଲକୁ ସ୍ଥାନାନ୍ତର କରିବା ଦରକାର ସେଥିରେ ପିସିଆର୍‌ ଭ୍ୟାନ୍‌ ଫେଲ୍‌ ମାରୁଥିବାରୁ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବରଂ ଲୋକ କହିଲେଣି ପିସିଆର୍‌ରେ ନିଅନି ବଞ୍ଚିବା ଲୋକ ମରିଯିବ। କୌଣସି କଲ୍‌ ପାଇଲେ ୧୦ରୁ ୧୫ମିନିଟରେ ପିସିଆର୍‌ ଭ୍ୟାନ୍‌ ପହଞ୍ଚୁଛି। କିନ୍ତୁ ଘଟଣାସ୍ଥଳରେ ପହଞ୍ଚିବା ପରେ ପିସିଆର୍‌ରେ ଥିବା କର୍ମଚାରୀ ଆହତଙ୍କୁ ଉଠାଉ ନାହାନ୍ତି। ସ୍ଥାନୀୟ ଲୋକଙ୍କୁ କହୁଛନ୍ତି ଉଠାଇକି ଗାଡ଼ି ପଛରେ ରଖିଦିଅ। ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ଭୟଭୀତ ହେବା ସହ ହୃଦ୍‌ଘାତର ଶିକାର ହୋଇଥାଏ। ଏହାବାଦ୍‌ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୋଇଥାଏ। ବହୁତ ରକ୍ତସ୍ରାବ ବି ହେଉଥାଏ। ତେଣୁ ଆହତଙ୍କୁ ଆରାମଦାୟକ ସ୍ଥିତିରେ ହସ୍ପିଟାଲରେ ପହଞ୍ଚାଇବା ପିସିଆର୍‌ର କର୍ତ୍ତବ୍ୟ। କିନ୍ତୁ ପିସିଆର୍‌ ଭ୍ୟାନ ପଛ ସିଟ୍‌ ପାଖରେ ଆହତଙ୍କୁ ମୋଡ଼ି ମକ୍‌ଚି ପକାଇ ଦିଆଯାଉଛି। ଆଶୁ ଚିକିତ୍ସା ଦେବା ଦୂର କଥା ଧରିକି ବି କେହି ବସୁନାହାନ୍ତି। ଏପରିସ୍ଥିତିରେ ହସ୍ପିଟାଲରେ ପହଞ୍ଚିଲାବେଳକୁ ଆହତ ବ୍ୟକ୍ତିର ମୃତ୍ୟୁ ହୋଇଯାଉଛି ନଚେତ୍‌ ପକ୍ଷାଘାତର ଶିକାର ହେଉଛନ୍ତି।

ଏନେଇ କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ପିସିଆର୍‌ ଭ୍ୟାନ୍‌ରେ ଆହତଙ୍କୁ ଆଶୁ ଚିକିତ୍ସା ଦେବା ପାଇଁ ଆମର କିଛି ବ୍ୟବସ୍ଥା ନାହିଁ। ରାଜଧାନୀରେ ମାତ୍ର ୩୩ଟି ପିସିଆର୍‌ ଭ୍ୟାନ୍‌ ଥିବାରୁ ୨୨ଟି ଥାନାରେ ଏହା କାର୍ଯ୍ୟ କରୁଛି। ପିସିଆର୍‌ରେ ରହୁଥିବା କର୍ମଚାରୀ ଯଦି ଦୁର୍ଘଟଣାରେ ଆହତଙ୍କୁ ଉଠାଇବେ ତେବେ ତାଙ୍କ ଡ୍ରେସ୍‌ରେ ରକ୍ତ ଦାଗ ଲାଗିବ। ତାଙ୍କ କାମ ତ ଏତିକିରେ ସରୁନି ଯେ, ସେ ଅପରିଷ୍କାର ଡ୍ରେସ୍‌ ପିନ୍ଧି କାର୍ଯ୍ୟ କରିବେ। ଏହାବାଦ୍‌ ରକ୍ତସ୍ରାବ ହେଉଥିବା ବ୍ୟକ୍ତିଙ୍କୁ ଖାଲି ହାତରେ ଉଠାଇଲେ ବିଭିନ୍ନ ସଂକ୍ରମଣ ହେବାର ଆଶଙ୍କା ରହୁଛି। ଏପରିକି ପୂର୍ବରୁ ତିନି ଜଣ ଗୃହରକ୍ଷୀଙ୍କର ଏଥିଯୋଗୁଁ ଏଚ୍‌ଆଇଭି ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ତେଣୁ ବିନା ଆପ୍ରୋନ୍‌ କି ଗ୍ଲୋଭ୍ସରେ ଆହତଙ୍କୁ ଉଠାଇବା ସମ୍ଭବ ନୁହେଁ। ଏହାବାଦ୍‌ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିବାକୁ ଆମକୁ ନିର୍ଦ୍ଦେଶନାମା ଅଛି। ତେଣୁ ଏପରିସ୍ଥିତିରେ ଆମେ ଘରୋଇ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରୁନୁ।

ଆଶୁ ଚିକିତ୍ସା ଯୋଗାଇବା ସମ୍ଭବ ନୁହେଁ: ଡିସିପି
ଦୁର୍ଘଟଣାଗସ୍ତ ବ୍ୟକ୍ତିଙ୍କୁ ଆମେ ପିସିଆର୍‌ରେ ଆଣି କ୍ୟାପିଟାଲରେ ହସ୍ପିଟାଲରେ ପହଞ୍ଚାଉଛୁ। ଆଶୁ ଚିକିତ୍ସା ଯୋଗାଇବା ପାଇଁ ଯେଉଁ ସରଞ୍ଜାମ ଦରକାର ତାହା ପିସିଆର୍‌ ଭ୍ୟାନ୍‌ରେ ରଖିହେବନି। ଆମର ମୁଖ୍ୟ ଦାୟିତ୍ୱ ହେଉଛି ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା। ଏପରିସ୍ଥିତିରେ ଲାଠି, ଲାଇଫ୍‌ଗାର୍ଡ, ହେଲମେଟ୍‌ ଆଦି ଗାଡ଼ି ପଛ ସିଟ୍‌ରେ ରଖୁଛୁ। ପିସିଆର୍‌ ଭ୍ୟାନରେ ଯେଉଁ ଅଧିକାରୀ ରହୁଛନ୍ତି ସେମାନଙ୍କ ଆଶୁ ଚିକିତ୍ସା ଯୋଗାଇବାର ପ୍ରଶିକ୍ଷଣ ଦିଆଯାଉନି। ତେଣୁ ଆମେ କେବଳ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚାଇପାରିବୁ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି।

ଠିକ୍‌ ଭାବେ ସ୍ଥାନାନ୍ତର କଲେ ବହୁ ଆହତଙ୍କୁ ବଞ୍ଚାଇ ହେବ: କ୍ୟାପିଟାଲ ହସ୍ପିଟାଲ ଡାକ୍ତର
ରାଜଧାନୀରେ ଯେତିକି ଦୁର୍ଘଟଣା ହେଉଛି ସେଥିରୁ ବହୁତ କମ୍‌ ଆମ୍ବୁଲାନ୍ସରେ ଆସୁଛନ୍ତି। ଅଧିକାଂଶ ପିସିଆର୍‌ ଭ୍ୟାନ୍‌ରେ କିମ୍ବା ଘରୋଇ ଗାଡ଼ିରେ ଆସୁଛନ୍ତି। ଏହି ସବୁ ଗାଡ଼ିରେ ଆସୁଥିବା ଆହତଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦିଆଗଲେ ଅଧାରୁ ଅଧିକ ଆହତଙ୍କୁ ବଞ୍ଚାଇ ହୁଅନ୍ତା। ଯେଉଁ ବ୍ୟକ୍ତି ଦୁର୍ଘଟଣାରେ ଆହତ ହେଉଛନ୍ତି ସେମାନେ ଭୟଭୀତ ହୋଇଯାଆନ୍ତି ତେଣୁ ସେମାନଙ୍କର ହୃଦ୍‌ଘାତ ହେବାର ସମ୍ଭାବନା ଅଧିକ। ଏପରି ସ୍ଥଳରେ ସେମାନଙ୍କର ଛାତିକି ମସାଜ୍‌ କରିବା ଦରକାର। ଏହାବାଦ୍‌ ନିଃଶ୍ୱାସ ପ୍ରଶ୍ୱାସରେ ଯେପରି ସମସ୍ୟା ନହେବ ସେଥିପାଇଁ ଆରାମରେ ଶୁଆଇକରି କିମ୍ବା ବସାଇକି ଆଣିବା ଦରକାର। ଅଧିକ ରକ୍ତସ୍ରାବ ହେଉଥିଲେ ତାହାକୁ ତୁରନ୍ତ ବନ୍ଦ କରିବା ଦରକାର। ଏଥିପାଇଁ କପଡ଼ା କିମ୍ବା କୌଣସି ପ୍ରକାରର ପ୍ୟାକ୍‌ ଦେବା ଦରକାର। ଏପରି ଆଶୁ ଚିକିତ୍ସା କରି ଆଣିଲେ ବହୁ ଆହତଙ୍କୁ ବଞ୍ଚାଇ ହେବ। ପୁଲିସ କର୍ମଚାରୀ/ଅଧିକାରୀଙ୍କୁ ପ୍ରଶିକ୍ଷଣ ସମୟରେ ଦୁର୍ଘଟଣା ସମୟରେ କିପରି ଆଶୁ ଚିକିତ୍ସା ଯୋଗାଇବେ ତାହା ବାଧ୍ୟତାମୂଳକ କରାଯାଉ ଏବଂ ପିସିଆର୍‌ରେ ଆଶୁ ଚିକିତ୍ସା ସୁବିଧା ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

ଦୁଇ ବର୍ଷରେ ତମାଣ୍ଡୋରୁ ପାହାଳ ଭିତରେ ମଲେଣି ୧୮୬
ରାଜଧାନୀ ଏବେ ସଡ଼କ ଦୁର୍ଘଟଣାର ହବ୍‌ ପାଲଟିଛି। ପ୍ରତି ଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି। ଏପରକି ଖୋର୍ଦ୍ଧା ଜିଲ୍ଲା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁରେ ସାରା ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଛି। ୨୦୧୭ରେ ସାରା ରାଜ୍ୟରେ ୪୭୯୦ଜଣ ସଡ଼କ ଦୁର୍ଘଟଣାରେ ମରିଥିବାବେଳେ ଏଥିରୁ ୩୨୫ଜଣ ଖୋର୍ଦ୍ଧା ଜିଲ୍ଲାରେ ମରିଛନ୍ତି। ଭୁବନେଶ୍ୱରରେ କେବଳ ୧୮୫ଜଣ ମରିଛନ୍ତି। ୨୦୧୬ରେ ଖୋର୍ଦ୍ଧା ଜିଲ୍ଲାରେ ୨୭୭ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାବେଳେ ଏଥିରୁ ଭୁବନେଶ୍ୱରରେ କେବଳ ୧୮୬ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୭ରେ ଜାନୁଆରି ଓ ଫେବ୍ରୁଆରିରେ ଖୋର୍ଦ୍ଧା ଜିଲ୍ଲାରେ ୪୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୧୮ରେ ୫୯ଜଣଙ୍କର ମୃତ୍ୟୁ ହୋଇଛି। ହେଲେ ସବୁଠୁ ଅଧିକ ଚିନ୍ତାର ବିଷୟ ପାଲଟିଛି ଏନ୍‌ ୧୬। ତମାଣ୍ଡୋରୁ ପାହାଳ ମଧ୍ୟରେ ଏହି ୨୬ ମାସରେ ୧୮୬ଜଣଙ୍କର ମୃତ୍ୟୁ ହେଲାଣି। ୨୦୧୬ରେ ଏହି ଅଞ୍ଚଳରେ ୯୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୧୭ରେ ୮୨ଜଣଙ୍କର ହୋଇଛି। ୨୦୧୮ରେ ଚାରି ମାସ ମଧ୍ୟରେ ୧୦ଜଣଙ୍କର ମୃତ୍ୟୁ ହୋଇଛି। ସଡ଼କ ସୁରକ୍ଷା ନାଁରେ ରାଜ୍ୟ ସରକାର ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଲୋକ କିପରି ବଞ୍ଚିବେ ସେନେଇ କିଛି ଯୋଜନା ନାହିଁ। ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ଯେତିକି ଲୋକଙ୍କର ମୃତ୍ୟୁ ବରଣ ହେଉଛି ତାହାଠାରୁ ବହୁଗୁଣା ଆହତଙ୍କୁ ହସ୍ପିଟାଲ ନେବା ସମୟରେ ମୃତ୍ୟୁ ହୋଇଯାଉଛି। ରାଜଧାନୀରେ ଲୋକଙ୍କ ଲାଇଫ୍‌ ଲାଇନ୍‌ ପାଲଟି ଯାଇଥିବା କମିସନରେଟ୍‌ ପୁଲିସର ପିସିଆର୍‌ ଭ୍ୟାନ୍‌ରେ ହିଁ ବହୁ ଆହତଙ୍କର ମୃତ୍ୟୁ ହୋଇଯାଉଛି। ନଚେତ୍‌ ହସ୍ପିଟାଲରେ ପହଞ୍ଚୁ ପହଞ୍ଚୁ ମୃତ୍ୟୁ ହେଉଛି।

୧୦୮ ଫେଲ୍‌
ଦୁର୍ଘଟଣା ସମୟରେ ପ୍ରଥମେ ଖୋଜା ପଡ଼ୁଥିବା ୧୦୮ ଆମ୍ବୁଲାନ୍ସ ରାଜଧାନୀରେ କିନ୍ତୁ ଫେଲ୍‌ ମାରିଛି। କଲ୍‌ ପାଇ ଦୁର୍ଘଟଣାସ୍ଥଳୀରେ ପହଞ୍ଚୁଥିଲେ ହେଁ କାମରେ ଲାଗୁନି। କାରଣ ରାଜଧାନୀର ଦୁର୍ଘଟଣାପ୍ରବଳ ଅଞ୍ଚଳରେ ୧୦୮ ଆମ୍ବୁଲାନ୍ସ ସେବା ନାହିଁ। ୧୦୮ କଲ୍‌ ପାଇବାର ୨୦ରୁ ୨୫ମିନିଟ ପରେ ପହଞ୍ଚୁଛି। କେତେକ ସ୍ଥାନରେ ୪୦ରୁ ୪୫ମିନିଟ ପରେ ପହଞ୍ଚୁଛି। ଏଥିରେ ଆହତଙ୍କୁ ଆଶୁ ଚିକିତ୍ସା ଯୋଗାଇବାକୁ ସବୁ ବ୍ୟବସ୍ଥା ଥିଲେ ବି କାମରେ ଲାଗୁନି। ରାଜଧାନୀର ଦୁର୍ଘଟଣା ପ୍ରବଣ ଜାତୀୟ ରାଜପଥର ଦୁଇଟି ସ୍ଥାନରେ ୧୦୮ ଆମ୍ବୁଲାନ୍ସ ରହୁଛି। ଗୋଟିଏ ତମାଣ୍ଡୋ ଥାନା ନିକଟରେ ଆଉ ଗୋଟି ରସୁଲଗଡ଼ ଜୋନାଲ ଓଏଚ୍‌ ନିକଟରେ। ତାହା ପୁଣି ପୁଲିସ ଅଧିକାରୀ କହିଲେ ଯିବନି, ଯଦି କଣ୍ଟ୍ରୋଲ୍‌ ରୁମ୍‌ରୁ କଲ୍‌ ଆସିନି ଆମ୍ବୁଲାନ୍ସ ଘୁଞ୍ଚିନି। ଏନେଇ କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜାତୀୟ ରାଜପଥ କଡ଼ରେ ଥିବା ସମସ୍ତ ଥାନାକୁ ଯଦି ହସ୍ପିଟାଲ ଯୋଗାଇ ଦିଆଯାଆନ୍ତା କିମ୍ବା ଦୁଇ ଥାନାର ମଝି ସ୍ଥାନରେ ଆମ୍ବୁଲାନ୍ସ ରଖାଯିବ ତେବେ ତୁରନ୍ତ ପହଞ୍ଚି ହେବ ଏବଂ ଆଶୁ ଚିକିତ୍ସା ମିଳିବ। କିନ୍ତୁ ଏ ନିଷ୍ପତ୍ତି ତ ଆମେ ନେଇପାରିବୁନି।

ସମ୍ବନ୍ଧିତ ଖବର