ପିକକ୍‌ର ୩୦ ତମ ଶିଶୁ ମେଳା, ବଡ଼ ହେବା ପାଇଁ ସ୍ବପ୍ନ ଦେଖ

ଭୁବନେଶ୍ବର: ଜୀବନରେ ବଡ଼ହେବା ପାଇଁ ସ୍ବପ୍ନ ଦେଖ। ଏହାକୁ ସାକାର କରିବା ପାଇଁ ମାତାପିତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରେରଣା ସହ ନିଜର ନିରନ୍ତର ପ୍ରୟାସ ନିହାତି ଆବଶ୍ୟକ। ପିକକ୍‌ର ୩୦ତମ ଶିଶୁ ମେଳା ଉଦ୍‌ଘାଟନୀ ସମାରୋହରେ ଅତିଥିମାନେ ଶିଶୁଙ୍କୁ ଏଭଳି ଆହ୍ବାନ ଦେଇଛନ୍ତି।

ପିକକ୍‌ ଶିଶୁ ମେଳା କମିଟିର ସଭାପତି ତଥା ବରିଷ୍ଠ ସମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକାମ୍ର ହାଟ ମୁକ୍ତ ମଞ୍ଚରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭା‌ବେ ରାଜ୍ୟ ଗୃହ ତଥା ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ପିଲାମାନଙ୍କୁ ନିଜର ପ୍ରତିଭା ବିକାଶ ପାଇଁ ଯତ୍ନବାନ ହେବା ଉଚିତ୍ ବୋଲି ସେ ମତ ବ୍ୟକ୍ତ କରିଥିଲେ। ବିଶିଷ୍ଠ ଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଯୋଗଦେଇ କହିଥିଲେ ଯେ, ପିତାମାତାମାନେ ପିଲାମାନଙ୍କୁ ଗୋଟିଏ ଯନ୍ତ୍ର ମାନବ ଭାବି ଅଧିକ ଚାପ ସୃଷ୍ଟି କରିବା ଅନୁଚିତ। ପିଲାମାନେ ସେମାନଙ୍କ ଶୈଶବକୁ ପୂର୍ଣ୍ଣ ମାତ୍ରାରେ ଉପଭୋଗ କରିବା ଉଚିତ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ରାଜ୍ୟ ଶ୍ରମ କମିସନର ନିରଞ୍ଜନ ସାହୁ ପିଲାମାନଙ୍କୁ ପରିଶ୍ରମ ଓ ସକାରାତ୍ମକ ଭାବରେ କାମକଲେ ଭଲ ନାଗରିକ ହୋଇପାରିବେ ବୋଲି ଜଣାଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ପିକକ୍‌ର ଅଧ୍ୟକ୍ଷା ଆଦରମଣି ବରାଳ, ଅଲମ୍ପିଆନ୍ ଅନୁରାଧା ବିଶ୍ବାଳ, ସେବା ମହାପାତ୍ର, ପିକକ୍‌ର ଭୂମିକା ଦାଶ, ଅଂଶିକା ରାଉତରାୟ ଯୋଗଦେଇ ମତ ରଖିଥିଲେ। ଅନୁଷ୍ଠାନର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।
ପରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ କେଟିଟି ଗ୍ରୁପ, ଅବନ୍ତିକା ଗ୍ରୁପ ଓ ଭିକି ଡ୍ୟାନ୍ସ ଗ୍ରୁପର ଶିଶୁ କଳାକାର ମାନଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା। କାର୍ଯ୍ୟକ୍ରମ ପ୍ରତ୍ୟେକ ସନ୍ଧ୍ୟାରେ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ପିକକର ରତ୍ନା ଦାଶ, ଗଣେଶ୍ବର ସିଂ, ଜ୍ୟୋତିଶଙ୍କର ମହାନ୍ତି, ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର