କଲମ ସଂଗ୍ରହ ନିଶାରେ ଭାସ୍କର

ବିଭିନ୍ନ ଲୋକଙ୍କର ଭିନ୍ନଭିନ୍ନ ରୁଚି ରହିଛି। କିଏ ଦେଶବିଦେଶର ଟଙ୍କା ସଂଗ୍ରହ କରୁଛି ତ କିଏ ଡାକଟିକଟ। ପୁଣି କିଏ ପୁରୁଣା ରେଡିଓ ସଂଗ୍ରହ କରୁଛି ତ ଆଉ କିଏ ପୁସ୍ତକ। ହେଲେ ଡ.ଭାସ୍କର ମିଶ୍ରଙ୍କର ନିଶା ଟିକେ ନିଆରା। ଏଯାବତ୍‌ ୧ ହଜାରରୁ ଊର୍ଧ୍ୱ କିସମର କଲମ ସଂଗ୍ରହ କରି ସେ ସୃଷ୍ଟି କରିଛନ୍ତି ରେକର୍ଡ।

ପେସାରେ ଆଇନଜୀବୀ ହେଲେ ମଧ୍ୟ ନିଶା ତାଙ୍କର ପେନ୍‌ କଲେକ୍‌ସନ୍‌। ଭାରତ ସମେତ ଜର୍ମାନ, ଆମେରିକା, ଋଷିଆ, ଅଷ୍ଟ୍ରେଲିଆ ଭଳି ୩୫ଟି ଦେଶର ପାଖାପାଖି ୧୩୮ଟି କମ୍ପାନିର କଲମ ସଂଗ୍ରହ କରି ନିଆରା ପରିଚୟ ସୃଷ୍ଟି କରିଛନ୍ତି। ନିଜ ଅଫିସ ଓ ବାସଭବନରେ କଲମଗୁଡ଼ିକୁ ସେ ସଜେଇ ରଖିଛନ୍ତି। ତାଙ୍କ ନିକଟରେ କେବଳ ଯେ ସାଧାରଣ କଲମଗୁଡ଼ିଏ ଅଛି ସେକଥା ଆଦୌ ନୁହେଁ, ସୁନା, ପିତ୍ତଳ, ରୁପା, ହାତୀଦାନ୍ତ, ମଇଁଷି ଶିଙ୍ଗ, କାଠି କଲମ, ପର କଲମ ଓ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଭଳି ବିଭିନ୍ନ ପ୍ରକାରର କଲମ ସେ ସାଇତି ରଖିଛନ୍ତି। ନାମୀଦାମୀ ସ୍ୱଦେଶୀ ଓ ବିଦେଶୀ କଲମ ସାଙ୍ଗକୁ ଖୁବ୍‌ ମୂଲ୍ୟବାନ ଓ ପୁରାତନ କଲମ ମଧ୍ୟ ତାଙ୍କ ନିକଟରେ ମହଜୁଦ ଅଛି।

ଏହି ନିଆରା ନିଶା ସମ୍ପର୍କରେ ସେ କୁହନ୍ତି, ‘‘ବାଲେଶ୍ୱର ଟାଉନ୍‌ର ସ୍ୱର୍ଗତ ଡ. ହରିଶ୍ଚନ୍ଦ୍ର ଜେନା ନାମକ ଜଣେ ଏଲୋପାଥିକ୍‌ ଡାକ୍ତର ଥିଲେ। ସେ ପ୍ରାୟତଃ ମୋ ନିକଟକୁ ଆସନ୍ତି। ମେଡିସିନ୍‌ ରିପ୍ରେଜେଣ୍ଟେଟିଭ୍‌ମାନେ ତାଙ୍କୁ ଦେଉଥିବା କଲମ ଗୁଡ଼ିକୁ ସେ ମୋତେ ଉପହାର ସ୍ୱରୂପ ପ୍ରଦାନ କରନ୍ତି। ଆଉ ସେହି ସବୁ ଉପହାର ହିଁ ମୋର ଏହି ନିଆରା ନିଶାର ପ୍ରଥମ ପ୍ରେରଣା।’’

୨୦୦୦ ମସିହାରୁ ପେନ୍‌ ସଂଗ୍ରହର ନିଶା ତାଙ୍କୁ ଘାରିଥିଲା। କିଛି ନିଜେ କିଣିଥିବା ବେଳେ ଆଉ କିଛି ଉପହାର ସ୍ୱରୂପ ପାଇଛନ୍ତି। ତାଙ୍କର ଏହି କଲମ ସଂଗ୍ରହର ନିଶା ଦେଖି ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ତାଙ୍କୁ କଲମ ଦେଇଛନ୍ତି। ପୁରୀ ଶଙ୍କାଚାର୍ଯ୍ୟ, ମଠାଧୀଶଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରୁ ତାଙ୍କୁ ସ୍ୱତନ୍ତ୍ର ଭାବେ ମିଳିଛି ଅନେକ କଲମ। ତେବେ ପୁରୀର ଗଜପତି ମହାରାଜା ଡ. ମିଶ୍ରଙ୍କୁ ଦେଇଥିବା କଲମ ଯାହାକି କାଲିଫର୍ଣ୍ଣିଆର ମ୍ୟୁଜିୟମ୍‌ରେ ଥିବା ୪ ଶହ ବର୍ଷ ପୁରୁଣା ‘ରେଡ୍‌ ଉଡ୍‌’ରେ ପ୍ରସ୍ତୁତ ହୋଇଛି ତାହା ତାଙ୍କର ଏକ ଅନନ୍ୟ ସଂଗ୍ରହ। କେବଳ ସେତିକି ନୁହେଁ ପୁରୀ ବଡ଼ଓଡ଼ିଆ ମଠର ମଠାଧୀଶ ବଂଶୀଧର ଦାସ ଗୋସ୍ୱାମୀ ତାଙ୍କୁ ଦେଇଥିବା ୭୫ ବର୍ଷ ପୁରୁଣା ହାତୀଦାନ୍ତ ନିର୍ମିତ କଲମକୁ ଦେଖିଲେ ଯେକୌଣସି ମଣିଷର ଆଖି ଲାଖି ଯିବ।

ଦୀର୍ଘ ୧୫ ବର୍ଷ ଧରି ଶ୍ରୀମନ୍ଦିର ପ୍ରଶାସନର ଉପ-ପ୍ରଶାସକ ଭାବେ କାମ କରିଥିବା ଡ. ମିଶ୍ର ସମ୍ପ୍ରତି ରାଜ୍ୟ ଆଇନ ବିଭାଗରେ ସ୍ୱତନ୍ତ୍ର ପଦାଧିକାରୀ ଭାବେ କାର୍ଯ୍ୟରତ। ବୟସ ୫୭ ଡେଇଁଥିଲେ ବି ମନ ଜଣେ ଯୁବକ ଭଳି। କଲେଜରେ ପଢ଼ିବା ବେଳଠାରୁ ଲେଖାଲେଖି କରିବା ତାଙ୍କର ନିଶା ପାଲଟିଯାଇଥିଲା। ଆଉ ସେଥିପାଇଁ ଜଗନ୍ନାଥଧାମରେ ଜନ୍ମ ନେଇଥିବା ଡ. ମିଶ୍ର ଜଗନ୍ନାଥ ସଂସ୍କୃତି ଓ ମଠ ସଂସ୍କୃତି ଉପରେ ଗବେଷଣା କରି ଆଜି ସୁଦ୍ଧା ୪୫ଟି ବହି ଲେଖିସାରିଲେଣି।

ସମ୍ବନ୍ଧିତ ଖବର