ଚୋରକୁ ଧରିଲେ ଲୋକ, ପୁଲିସ ଛାଡ଼ିଦେଲା

ପୁରୁଣା ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଧୀନ ବିବେକାନନ୍ଦ ମାର୍ଗରେ ଜଣେ ବ୍ୟକ୍ତିଙ୍କ କାର୍ କାଚ ଭାଙ୍ଗି ଲୁଟ୍ ହେଲା। ଏହା ଦେଖି ସ୍ଥାନୀୟ ଲୋକ ଜଣେ ଚୋରକୁ ନିସ୍ତୁକ ମାଡ଼ ମାରି ପୁଲିସ ଜିମା ଦେଲେ। କିନ୍ତୁ ଆମ ଥାନା ଅଧୀନରେ ଆସୁନଥିବା କହି ପୁଲିସ ଚୋରକୁ ଛାଡ଼ି ଦେଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖା ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍‌ଣ ପ୍ରାୟ ୩ଟାରେ ଦୁଇ ଜଣ ଦୁର୍ବୃତ୍ତ ବିବେକାନନ୍ଦ ମାର୍ଗରେ ଥିବା ସତ୍ୟବ୍ରତ ସାହୁଙ୍କ କାର୍(ଓଡି୧୭ବି୪୧୦୦)ର କାଚ ଭାଙ୍ଗି ସେଥିରୁ ଲୁଟ୍ କରୁଥିଲେ। ଦୁର୍ବୃତ୍ତଦ୍ୱୟ ସେଥିରୁ ୧୩ହଜାର ଟଙ୍କା, ଦାମୀ ମୋବାଇଲ୍‌ ଓ ମନି ପର୍ସ ନେଇ ପଳାଉଥିଲେ। ଏହା ଦେଖି ସ୍ଥାନୀୟ କିଛି ଲୋକେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ଲିଙ୍ଗରାଜ ଥାନା ପୁଲିସକୁ ଖବର ଦେଇଥିଲେ। ଶ୍ରୀଲିଙ୍ଗରାଜ ଥାନା ପୁଲିସ ସେଠାରେ ପହଞ୍ଚିଲା ସତ। କିନ୍ତୁ ଏହା ଆମ ଥାନା ଅଧୀନ ଅଞ୍ଚଳରେ ଆସୁନାହିଁ, ତେଣୁ କାର୍ଯ୍ୟାନୁଷ୍ଠାନ ନେଇପାରିବୁ ନାହିଁ ବୋଲି ଥାନା ଅଧିକାରୀ ମନା କରିବାରୁ ଚୋରଟି ଖସି ପଳାଇଥିଲା। ପୁଲିସର ଏପରି ଖାମଖିଆଲି ମନୋଭାବକୁ ନେଇ ସେଠାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର